କରୋନା ଯୋଦ୍ଧା ଗ୍ରାମରକ୍ଷୀଙ୍କ ପରଲୋକ

ବେଲଗାଁ : ସମ୍ପ୍ରତି କରୋନା ମହାମାରି ସମୟରେ ବିଶେଷ କରି କରୋନା ଯୋଦ୍ଧା ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ପୁଲିସ ବାହିନୀ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିଛନ୍ତି। ଏପରିପ୍ରେକ୍ଷୀରେ ମହାମାରୀ ନେଇ ସଟଡାଉନ ତଥା ଲକଡାଉନ ସମୟରେ ଗ୍ରାମରକ୍ଷୀ ଭାବରେ ଡ୍ୟୁଟିରେ ରହି ସେବା ପ୍ରଦାନ କରୁଥିବା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଦେଢେଲ ଗ୍ରାମର ମାମରାଜ ସେଠଙ୍କ ପରଲୋକ ଘଟିବା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଲିଯାଇଛି। ୪୪ ବର୍ଷ ବୟସ୍କ ମାମରାଜ ସଇଁନ୍ତଲା ଥାନା ଆଇଆଇସିଙ୍କ ଗାଡିରେ ସାମୟିକ ଭାବରେ ଡ୍ରାଇଭର ଭାବରେ କାର୍ଯ୍ୟରତ ଥିବା ସହ ରାତ୍ରୀକାଳିନ ଡ୍ୟୁଟିରେ ସହାୟତା କରୁଆସୁଥିଲେ।  ୨୦୦୬ରେ ସେ ବେଲଗାଁ ଫାଣ୍ଡିରେ ଗୃହରକ୍ଷୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଶୁକ୍ରବାର ଅଚାନକ ତାଙ୍କ ଦେହ ଅସୁସ୍ଥ ହେବା ନେଇ ଘରୁ ପୁଲିସ ଗାଡିରେ ସଇଁନ୍ତଲା ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା ପରେ ଫେରିଯାଇଥିଲେ। ସନ୍ଧ୍ୟାରେ ପୁଣି ଦେହ ଖରାପ ହୋଇଥିବା ବେଳେ ଡାକ୍ତରଖାନା ଅଣାଯାଇଥିବା ବେଳେ ତାଙ୍କୁ ପରଲୋକ ଘଟିଥିବା ଜଣାଯାଇଛି। ଶନିବାର ଟିଟିଲାଗଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କ ପରଲୋକ ନେଇ ସଇଁନ୍ତଲା ଥାନା ଆଇଆଇସି ବାରିଣୀ ଦାସ ତଥା ସମସ୍ତ ପୁଲିସ ଅଧିକାରୀ, କର୍ମଚାରୀ, ଗ୍ରାମବାସୀ ମହଲରେ ଶୋକର ଛାୟା ଖେଲିଯାଇଛି। ତାଙ୍କ ପତ୍ନୀ ତଥା ଦୁଇ ସନ୍ତାନ ରହିଥିବା ବେଳେ ପରିବାରଙ୍କୁ ସରକାରଙ୍କ ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

Comments are closed.