କେସିଙ୍ଗା: ସହିଦ ଈଶ୍ୱର ଚନ୍ଦ୍ର ଦୋରାଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗ୍ରାମ ବେଲଖଣ୍ଡିରେ ପହଞ୍ଚିଛି। ସେ ତ୍ରିପୁରାରେ ସୀମା ସୁରକ୍ଷା ବଳର ୪୨ ବାଟାଲିଅନରେ କାର୍ଯ୍ୟରତ ଥିବା ବେଳେ ଶୁକ୍ରବାର ସକାଳେ ତାଙ୍କର ମୃତ ଦେହ ଭାରତ-ବାଂଲାଦେଶ ସୀମା ଲୁକାମୋରା ଲୁହାପୋଲ ତଳୁ ଉଦ୍ଧାର ହୋଇଥିଲା। ଆଜି ଦିନ ୧୦.୩୦ ମିନିଟ ସମୟରେ କଳାହାଣ୍ଡି-ବଲାଂଗୀର ସୀମା ଅମାଠ ଛକ ଠାରେ ତାଙ୍କ ପାର୍ଥିବ ଶରୀର ପହଂଚିବା ପରେ ଜିଲ୍ଲାବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଅମାଠ ଛକରୁ ତାଙ୍କ ପାର୍ଥିବ ଶରୀରକୁ ନିଜ ପୈତୃକ ଗ୍ରାମ ବେଲଖଣ୍ଡିକୁ ନିଆଯାଇଥିଲା। ଅମାଠରୁ ବେଲଖଣ୍ଡି ଯିବା ବାଟରେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକମାନେ ‘ସହିଦ ଈଶ୍ୱର ଅମର ରହେ’ ଧ୍ୱନି ଦେବା ସହ ଶେଷ ଦର୍ଶନ କରିଥିଲେ।
ବେଲଖଣ୍ଡିରେ ପାର୍ଥିବ ଶରୀର ପହଂଚିବା ପରେ ତାଙ୍କ ପୈତୃକ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସହିଦ ଈଶ୍ୱରଙ୍କ ପରିବାରବର୍ଗ ଏବଂ ସମ୍ପର୍କୀୟମାନଙ୍କ ଦୁଃଖରେ ସମସ୍ତ ଗ୍ରାମବାସୀ ଏକ ହୋଇଛନ୍ତି। ସହିଦଙ୍କ ୪ ବର୍ଷର ଝିଅର ଆଖିର ଲୁହ ପରିବେଶକୁ ଶୋକାକୁଳ କରିଛି।



