ଦିଲ୍ଲୀର ୨ୟ ବିଜୟ ; କେକେଆର୍‌ର ୨ୟ ପରାଜୟ

ମୁମ୍ବଇ : ଦୁଇ ଓପ୍‌ନରଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ସଫଳତା ବଳରେ ଚଳିତ ଆଇପିଏଲ୍‌ରେ ୨ୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ରବିବାର ପ୍ରଥମ ମ୍ୟାଚ୍‌ରେ ପୂର୍ବ ଚମ୍ପିଆନ୍ କଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ୪୪ ରନ୍‌ରେ ଦିଲ୍ଲୀ ପରାସ୍ତ କରିଛି। ସାମୂହିକ ବ୍ୟାଟିଂ ସଫଳତା ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ୫ ୱିକେଟରେ ୨୧୫ ରନ୍‌ କରିଥିଲା। ଚଳିତ ଆଇପିଏଲ୍‌ରେ ଅଦ୍ୟାବଧି ଏହା ସର୍ବାଧିକ ଦଳଗତ ସ୍କୋର୍‌। ପରେ ଅଧିନାୟକ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ସତ୍ତ୍ବେ କେକେଆର୍ ୧୯.୪ ଓଭରରେ ୧୭୧ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ୫ମ ମ୍ୟାଚ୍‌ରେ କେକେଆର୍‌ର ଏହା ୨ୟ ପରାଜୟ।
୨୧୬ ରନ୍‌ର ପାହାଡ଼ ଅତିକ୍ରମ କରିବା ଲାଗି କଲକାତା ନାଇଟ୍‌ ରାଇଡର୍ସର ୨/୩ ଜଣ ବ୍ୟାଟ୍‌ସମ୍ୟାନଙ୍କୁ ବଡ଼ ସ୍କୋର୍ କରିବାର ଥିଲା। ଭେଙ୍କଟେଶ ଆୟର ୮ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୮ ରନ୍‌କରି ଆଉଟ ହୋଇଥିଲେ। ଅଜିଙ୍କ୍ୟ ରାହାଣେ ତାଙ୍କର ଖରାପ ଫର୍ମ ଜାରିରଖି ୮ ରନ୍‌କରି ବିଦାୟ ନେଇଥିଲେ। ୩୮ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ଶ୍ରେୟାସ ଆୟର ଓ ନୀତୀଶ ରାଣା ୩ୟ ୱିକେଟ ପାଇଁ ୭ ଓଭରରେ ୬୯ ରନ୍‌ ଯୋଗ କରିିଥିଲେ। ବାମହାତି ରାଣା ୨୦ ବଲ୍‌ରୁ ୩ଟି ଛକା ସହ ୩୦ ରନ୍‌କରି ଆଉଟ୍‌ ହେବା ସହ କେକେଆର୍‌ର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ଶ୍ରେୟାସ ୩୩ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୫୪ ରନ୍‌କରି ଆଉଟ ହୋଇଥିଲେ। ୩୮ ରନ୍‌ରେ କେକେଆର୍ ଶେଷ ୬ଟି ୱିକେଟ ହରାଇ ଅଲ୍‌ଆଉଟ ହୋଇ ଯାଇଥିଲା। ସାମ୍ ବିଲିଙ୍ଗ୍‌ସ ୯ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୫ ରନ୍‌ କରିଥିଲେ। ଆ​‌େ​‌ନ୍ଦ୍ର ରସେଲ ସ୍ବାଭାବିକ ଭାବେ ଆକ୍ରମଣାତ୍ମକ ବ୍ୟାଟିଂ କରିନପାରି ୨୧ ବଲ୍‌ରୁ ୩ଟି ଚୌକା ସହ ୨୪ ରନ୍‌ କରିଥିଲେ। କୁଲଦୀପ ଯାଦବ ୪ଟି, ଖଲିଲ ଅହମ୍ମଦ ୩ଟି ଓ ସାର୍ଦୁଳ ଠାକୁର ୨ଟି ୱିକେଟ ନେଇଥିଲେ। କୁଲଦୀପ ଯାଦବ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି କଲକାତା ନାଇଟ ରାଇଡର୍ସ ଫିଲ୍‌ଡିଂ ନେବା ପରେ ଦିଲ୍ଲୀ କ୍ୟାପିଟାଲ୍‌ସର ଓପ୍‌ନର ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ପୃଥ୍ବୀ ସ’ ତାଙ୍କ ବ୍ୟାଟିଂ ଫର୍ମ ଜାରି ରଖିଥିବା ବେଳେ ଡେଭିଡ୍‌ ୱାର୍ଣ୍ଣର ଫର୍ମ ଫେରି ପାଇଥିଲେ। ଦୁହେଁ ୬ ଓଭରର ପାୱରପ୍ଲେ ଶେଷରେ ୬୮ ରନ୍‌ କରିଥିଲେ। ୯୩ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ପୃଥ୍ବୀ ସ’ ମାତ୍ର ୨୯ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୫୧ ରନ୍‌କରି ଆଉଟ ହୋଇଥିଲେ। ୨ୟ ୱିକେଟ ପାଇଁ ୱାର୍ଣ୍ଣର ଓ ଅଧିନାୟକ ଋଷଭ ପନ୍ତ୍ ୨୫ ବଲ୍‌ରୁ ଦ୍ରୁତ ୫୫ ରନ୍‌ ଯୋଡ଼ିଥିଲେ। ପନ୍ତ୍ ୧୪ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୭ ରନ୍‌କରି ଆଉଟ ହୋଇଥିଲେ। ଏହାସହ ୧୮ ରନ୍‌ରେ ୪ଟି ୱିକେଟ ପଡ଼ିଥିଲା। ଲଳିତ ଯାଦବ (୧) ଓ ରୋଭ୍‌ମ୍ୟାନ୍ ପୱେଲ (୮) ବିଫଳ ହୋଇଥିଲେ। ୱାର୍ଣ୍ଣର ୪୫ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୬୧ ରନ୍‌ କରିଥିଲେ। ଶେଷ ୨ ଓଭରରୁ ସାର୍ଦୁଳ ଠାକୁର ଓ ଅକ୍ଷର ପଟେଲ ୪୯ ରନ୍‌ କରିଥିଲେ। ସାର୍ଦୁଳ ୧୧ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୯ ଏବଂ ଅକ୍ଷର ୧୪ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୨ ରନ୍‌କରି ଅପରାଜିତ ଥିଲେ। ସୁନୀଲ ନାରାୟଣ ୨ଟି ୱିକେଟ ପାଇଥିଲେ।

kalyan agarbati

Comments are closed.