ନିୟମିତ ହେବ ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି

0

କଟକ  : ବାଣିଜ୍ୟ କର ବିଭାଗରେ ୨୦୦୫ରୁ ଠିକାରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିୟର ପ୍ରୋଗ୍ରାମରଙ୍କ ଚାକିରି ନିୟମିତ କରାଯିବ। ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଦୀର୍ଘ ବର୍ଷ ହେବ ଏହି ବିଭାଗରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିୟର ପ୍ରୋଗ୍ରାମରଙ୍କୁ ନିୟମିତ ନିଯୁକ୍ତି ପ୍ରଦାନ ପାଇଁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌) ୨୦୧୭ ମେ ୧୭ରେ ନିର୍ଦେଶ ଦେଇଥିଲେ। ସ୍ୟାଟ୍‌ଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଅର୍ଥ ସଚିବ ଓ ବାଣିଜ୍ୟକର କମିସନର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏ ସଂପର୍କିତ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ସ୍ୟାଟ୍‌ଙ୍କ ରାୟ କାଏମ ରହିଛି। ସ୍ୟାଟ୍‌ଙ୍କ ନିର୍ଦେଶ କାର୍ଯ୍ୟକାରୀ କରି ଆବେଦନକାରୀଙ୍କୁ ନିୟମିତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦେଶ ପରେ ୭୫ ଜଣ ଡାଟାଏଣ୍ଟ୍ରି ଅପରେଟର ନିୟମିତ ନିଯୁକ୍ତି ପାଇବେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବି.ଏସ୍‌ ତ୍ରିପାଠୀ ଓ ଅତୁଲ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ। ୨୦୦୫ ଓ ଓ ପରେ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗ ଭଳି ବାଣିଜ୍ୟକର ବିଭାଗରେ ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିୟର ପ୍ରୋଗ୍ରାମରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ସଂସ୍ଥା ମାଧ୍ୟମରେ ଠିକା ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ପରେ ବିଭାଗ ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିୟର ପ୍ରୋଗ୍ରାମରଙ୍କୁ ନିଯୁକ୍ତି ଦେଇଥିଲା। ୬ବର୍ଷରୁ ଅଧିକ ସମୟ ଧରି ଠିକାରେ ଥିବା ଏପରି କର୍ମଚାରୀଙ୍କ ଚାକିରି ନିୟମିତ କରିବାକୁ ୨୦୧୩ରେ ସରକାର ନିୟମ ପ୍ରଣୟନ କରିଥିଲେ; କିନ୍ତୁ ଏହି ନିୟମ ଲାଗୁ କରିବାରେ ବାଣିଜ୍ୟକର ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରିଥିଲା। ବାଣିଜ୍ୟକର ବିଭାଗର ବଡବିଲ ସର୍କଲରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଯତୀନ କୁମାର ଦାସ ଓ ଅନ୍ୟମାନେ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ସଂପର୍କିତ ସମସ୍ତ ମାମଲାର ଏକତ୍ର ଶୁଣାଣି କରି ସ୍ୟାଟ୍‌ ୨୦୧୩, ସେପ୍ଟେମ୍ବର ୧୭ରୁ ଆବେଦନକାରୀଙ୍କୁ ନିୟମିତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Leave A Reply