ଏଆରସିଏସଙ୍କୁ ଆକ୍ରମଣ ଓ କାର୍ଯ୍ୟାଳୟରେ ଭଙ୍ଗାରୁଜା

ଆଠଗଡ : ଆଠଗଡସ୍ଥିତ ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କ ଉପରେ ଏକ ସମବାୟ ସମତିର ସଂପାଦକ ଓ ସଭାପତି ଆକ୍ରମଣ କରିବା ସହ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବଡମ୍ବା ଥାନା ଅନ୍ତର୍ଗତ ଗୋପପୁର କୃଷି ସେବା ସମବାୟ ସମିତିର ସଂପାଦକ ସୂର୍ଯମଣି ସାମନ୍ତରାୟ, ସଭାପତି କାର୍ତ୍ତିକେଶ୍ୱର ପରିଡାଙ୍କ ସହ ଏଆରସିଏସଙ୍କ କାର୍ଯ୍ୟାଳୟକୁ ଧାନମଣ୍ଡି ସ୍ଥାନାନ୍ତର ସଂପର୍କୀତ ଏକ ଶୁଣାଣି ପାଇଁ ଆସିଥିଲେ। ତେବେ ଧାର୍ଯ୍ୟ ସମୟ ପରେ ଆସିଥିବାରୁ ଉଭୟ ପକ୍ଷଙ୍କର ଏକସଙ୍ଗେ ଶୁଣାଣି କରାଯାଇ ପାରିନଥିଲା । ଝାଜିଆ ପଞ୍ଚାୟତ ଲାଗି ଧାନମଣ୍ଡି ସୁନାପାଳରେ ହେଉଥିବାବେଳେ ଗୋପପୁର ସେବା ସମବାୟ ସମିତିର ସଂପାଦକ ଉକ୍ତ ପଞ୍ଚାୟତର ଧାନମଣ୍ଡି ଗୋପପୁରଠାରେ କରିବା ପାଇଁ ଦାବି କରିଥିଲେ । କିନ୍ତୁ ଝାଜିଆ ପଞ୍ଚାୟତବାସୀ ସେମାନଙ୍କର ସୁବିଧା ପାଇଁ ଧାନମଣ୍ଡି ସୁନାପାଳରେ ପୂର୍ବବତ ଚାଲୁ ରଖିବା ପାଇଁ ଦାବି ଜଣାଇଥିଲେ । ଏ ସଂପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଉଭୟଙ୍କର ଅଭିଯୋଗ ଓ ଦାବି ଶୁଣାଣି ପାଇଁ ଏଆରସିଏସ ଅଶୋକ କୁମାର ପାଣି ସେମାନଙ୍କୁ ଆଜି (ବୁଧବାର) ସକାଳ ୧୧ଟାରେ କାର୍ଯ୍ୟାଳୟକୁ ଆସିବା ପାଇଁ ଡାକିଥିଲେ। ଗୋପପୁର ସମିତିର କର୍ମକର୍ତ୍ତା ଠିକ୍‌‌ ସମୟରେ ଆସି ପହଞ୍ଚି ନଥିଲେ। ଝାଜିଆ ପଞ୍ଚାୟତବାସୀ ଯଥାସମୟରେ ଆସି ପହଞ୍ଚିବା ସହ ସେମାନଙ୍କର ମତାମତ ଓ ଦାବି ଲିଖିତ ଆକାରରେ ଦେଇ ଫେରି ଯାଇଥିଲେ। ଅପରାହ୍ନ ୪ଟା ପରେ ଗୋପପୁର ସମିତିର ସଂପାଦକ ଓ ସଭାପତି ଆସିବା କ୍ଷଣି ଏଆରସିଏସ ସେମାନଙ୍କୁ ଯାହା କିଛି କହିବାର ଅଛି ଲିଖିତ ଆକାରରେ ଦେବା ପାଇଁ କହିଥିଲେ କିନ୍ତୁ ହଠାତ୍‌‌ ସଂପାଦକ ସୂର୍ଯ୍ୟମଣି କ୍ଷୁବ୍ଧ ହୋଇ ଅଶ୍ଳିଳ ଭାଷାରେ ଗାଳି ଦେବା ସହ ଏଆରସିଏସଙ୍କ ଉପରକୁ ଏକ ଲୁହା ଚୌକି ଫୋପାଡି ଥିଲେ। ଚୌକିଟି ଏଆରସିଏସଙ୍କ ଶ୍ରୀ ପାଣିଙ୍କ ଦେହରେ ବାଜିବା ପରେ ସେ ତଳେ ପଡିଯାଇ ଥିଲେ। ତଥାପି ଏତିକିରେ ସନ୍ତୁଷ୍ଟ ନହୋଇ ସୂର୍ଯ୍ୟମଣି ଏଆରସିଏସଙ୍କ ଟେବୁଲ ଉପରେ ପଡିଥିବା କାଚକୁ ବାଡେଇ ଭଙ୍ଗାରୁଜା କରିଥିଲେ । କାର୍ଯ୍ୟାଳୟ କର୍ମଚାରୀ ସେମାନଙ୍କୁ ଯେତେ ବୁଝାଇଥିଲେ ମଧ୍ୟ ଭଙ୍ଗାରୁଜା ଓ ଅଶ୍ଳିଳ ଗାଳିଗୁଲଜରୁ ବିରତ ହୋଇନଥିଲେ। ଏ ସଂପର୍କରେ ଏଆରସିଏସ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଇଆଇସି ବାମଦେବ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। କାଚକୁ ହାତରେ ବାଡେଇ ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନା ଯାଇଥିବା ଗୋପପୁର ସମିତି ସଂପାଦକ ସୂର୍ଯ୍ୟମଣି ଓ ସଭାପତି କାର୍ତ୍ତିକେଶ୍ୱରଙ୍କୁ ଧରିଆଣି ଥାନାରେ ଅଟକ ରଖି ଘଟଣା ସଂପର୍କରେ ପଚରା ଉଚୁରା କରିଛନ୍ତି।

kalyan agarbati

Comments are closed.