କଣ୍ଟାବାଞ୍ଜିରେ ସ୍ଥାୟୀ ଆରଟିଓ କ୍ୟାମ୍ପ ଦାବୀ
ଟ୍ରକ ମାଲିକ ଓ ଡ୍ରାଇଭର ୟୁନିୟନ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରରେ ସ୍ଥାୟୀ ଆରଟିଓ କ୍ୟାମ୍ପ ଦାବୀ କଲା ସ୍ଥାନୀୟ ଟ୍ରକ ମାଲିକ ସଂଘ ଏବଂ ଡ୍ରାଇଭର ୟୁନିୟନ। ସୋମବାର ଦୁଇ ସଂଘର ପଦାଧିକାରୀ ଏବଂ ସଦସ୍ୟମାନେ ଏକଜୁଟ ହୋଇ କଣ୍ଟାବାଞ୍ଜି ତହସିଲ ଅଫିସ ପହଞ୍ଚିଥିଲେ। ଅଫିସ ସମ୍ମୁଖରେ କିଛି ସମୟ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଅନୁପସ୍ଥିତରେ ବରିଷ୍ଠ କିରାଣୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜିରେ ଆରଟିଓ କ୍ୟାମ୍ପ କରିବାକୁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଦୁଇ ସଂଘ। ହେଲେ ବର୍ତମାନ ସୁଦ୍ଧା କଣ୍ଟାବାଞ୍ଜିରେ କ୍ୟାମ୍ପ ନହେବା ଯୋଗୁ କଣ୍ଟାବାଞ୍ଜି ତଥା ପାଖପାଖ ଅଞ୍ଚଳର ଗାଡ଼ି ମାଲିକ, ଚାଳକଙ୍କୁ ଅନେକ ହଇରାଣ ହରକତ ହେବାକୁ ପଡୁଛି। ସାମାନ୍ୟ କଥାରେ ବଲାଙ୍ଗିର ଆରଟିଓ ଅଫିସ ଦୌଡ଼ି ଦୌଡ଼ି ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତେଣୁ କଣ୍ଟାବାଞ୍ଜିରେ ଆରଟିଓ କ୍ୟାମ୍ପ ଶୀଘ୍ର କରିବାକୁ ଦାବୀ ହୋଇଛି।
ଆଜିର ଏହି ଦାବିପତ୍ର ଦେବା ସମୟରେ ଟ୍ରକ ମାଲିକ ସଂଘ ସଭାପତି ପ୍ରବଜିତ ସିଂହ ସାଲୁଜା, ସମ୍ପାଦକ ସଞ୍ଜୟ ଅଗ୍ରୱାଲ, ସଦସ୍ୟ କୁଞ୍ଜବିହାରୀ ବେହେରା, ଉମେସ ଛପଡ଼ିଆ, ଅନୀଲ ରୁବି, ପବନ ବିଦ୍ୟାର୍ଥୀ, ଗୋପାଳ ବିଦ୍ୟାର୍ଥୀ, ଛଗନ ଜୈନ, ଗିରିଜା ମହାନ୍ତି, ଡ୍ରାଇଭର ସଂଘ ସଦସ୍ୟ ଆର୍ତ୍ତତ୍ରାଣ ମହାନନ୍ଦ, ଭୁଜ ବାଗ, ଭାଗୀରଥି ଭୋଇ, ହରି ତାଣ୍ଡି, ଅରକ୍ଷିତ ବେହେରା, ଅଶ୍ବିନୀ ହାତୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.