ଗୋପାଳପୁର-ସମ୍ବଲପୁର ରେଳପଥରୁ ଫୁଲବାଣୀ ବାଦ୍; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପିର ଦାବିପତ୍ର

ଫୁଲବାଣୀ: ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥରୁ ରେଳ ବିଭାଗର ଓ୍ବେବସାଇଟରୁ ଫୁଲବାଣୀକୁ ବାଦ ପକାଯାଇଥିବା ପ୍ରତିବାଦରେ ଶୁକ୍ରବାର କନ୍ଧମାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସଭାପତି ଗୋଲକ ବିହାରୀ କଅଁରଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ପରେ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଂଯୋଜକ ତଥା କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ନାରାୟଣ କର୍ମୀ ଏହି ରେଳପଥରୁ ଫୁଲବାଣୀକୁ ବାଦ ଦେବା ରାଜ୍ୟ ସରକାରଙ୍କ କନ୍ଧମାଳ ଜିଲ୍ଲା ପ୍ରତି ବୈମାତୃକ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ଏହି ୨୪୦ କିମି ବିଶିଷ୍ଟ ରେଳ ଲାଇନ୍ ପାଇଁ ଗତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ବଜେଟ୍ ଘୋଷଣା କରାଯାଇଥିଲା । ଏହାପରେ କନ୍ଧମାଳ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାର ବାସିନ୍ଦା ବହୁଦିନର ଦାବୀ ପୂରଣ ହେବ, ଯାହାକି କନ୍ଧମାଳର ଆର୍ଥିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ହେବ ଭାବି ଖୁସି ମନାଇଥିଲେ । ସରକାରଙ୍କ ନିୟମାବଳୀ ଅନୁଯାୟୀ, ଯେକୌଣସି ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଇଦେବା ରାଜ୍ୟ ସରକାରଙ୍କ ଦାୟିତ୍ଵ ।

prayash

ବଜେଟ୍ ଘୋଷଣା ପରେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଓରିଡିଲ୍(ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍) ସଂସ୍ଥା ସର୍ଭେ ଆରମ୍ଭ କରିଥିବା ବେଳେ ରାଜ୍ୟ ସରକାର ଫୁଲବାଣୀକୁ ରେଳପଥ ଗଲେ ଜମି ଯୋଗାଇ ଦେବାକୁ କୁଣ୍ଠାବୋଧ କରି ତାହାକୁ ଭଞ୍ଜନଗରଠାରୁ ମାଧପୁର ଆଡେ ନୂତନ ଲାଇନ୍ କରି ରେଳ ବିଭାଗର ଓ୍ବେବସାଇଟରେ ମାନଚିତ୍ର ପ୍ରଦର୍ଶନ କରିଛନ୍ତି, ଯାହାକି ରାଜ୍ୟ ସରକାରଙ୍କ କନ୍ଧମାଳ ଜିଲ୍ଲା ପ୍ରତି ଭିନ୍ନ ଦୃଷ୍ଟିଭଙ୍ଗୀର ମନୋଭାବ ବାରି ହୋଇପଡୁଛି । କନ୍ଧମାଳ ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇ ଅନେକ ପର୍ଯ୍ୟଟନ ସ୍ଥଳୀ ଥିବା ବେଳେ ଗମନାଗମନର ଅସୁବିଧା ଯୋଗୁଁ ବାହ୍ୟ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସି ପାରୁନାହାନ୍ତି, ଏହା ସହ କନ୍ଧମାଳ ବାସିନ୍ଦାଙ୍କ ମୂଳ ଆୟ ଲଘୁବନଜାତ ଦ୍ରବ୍ୟ ହୋଇଥିବା ବେଳେ ଏହାର ସଠିକ୍ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି, ଏହା ସହ ଆଗାମୀ ଦିନରେ ଜିଲ୍ଲାର ସଦରମହକୁମା ଫୁଲବାଣୀ ଠାରେ ଏକ ମେଡ଼ିକାଲ କଲେଜ ହେବାକୁ ଯାଉଛି ଏବଂ ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ବାହାର ଅଞ୍ଚଳକୁ ପାଠପଢିବାକୁ ଯାଉଛନ୍ତି ଯାହାକି ଏସବୁକୁ ଦୃଷ୍ଟିରେ ରଖି ଅଞ୍ଚଳ ବାସୀଙ୍କ ଆର୍ଥିକ ବିକାଶ ତଥା ଗମନାଗମନ ପାଇଁ ଜିଲ୍ଲାର ସଦରମହକୁମାକୁ ରେଳ ସଂଯୋଗ ହେବା ଅତ୍ୟନ୍ତ ଜରୁରୀ ଅଟେ । ଅବିଭକ୍ତ କନ୍ଧମାଳ ଜିଲ୍ଲାକୁ ଗୋଟାଏ ସୂତ୍ରରେ ଯୋଡିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ମହତ୍ବାକାଂକ୍ଷୀ ଯୋଜନାରୁ ରାଜ୍ୟ ସରକାର ଜମି ଅଧିଗ୍ରହଣର ବାହାନା କରି ଫୁଲବାଣୀ ସହରକୁ ଏଥିରୁ ବାଦ୍ ପକାଇ ଦେଇଛନ୍ତି, ଯାହାକି ଆଦୌ ଗ୍ରହଣୀୟ ନୁହେଁ ବୋଲି କର୍ମୀମାନେ କହିଛନ୍ତି । ଜିଲ୍ଲାବାସୀ ଆଗାମୀ ଦିନରେ ଫୁଲବାଣୀଠାରୁ ଭାୟା ବାଲିଗୁଡା ଦେଇ ଭବାନୀପାଟଣାକୁ ରେଳ ସଂଯୋଗର ସ୍ବପ୍ନ ଦେଖୁଥିବା ବେଳେ ପୂର୍ବରୁ ଘୋଷଣା ହୋଇ କାର୍ଯ୍ୟ ଆରମ୍ଭ ସାରିଥିବା ରେଳ ପଥରୁ ଫୁଲବାଣୀକୁ ବାଦ ପକାଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

Comments are closed.