ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଆଦିମ ଜନଜାତି ଗଣେଶ୍ୱର ଜୁଆଙ୍ଗ ମୃତ୍ୟୁର ତଦନ୍ତ ପୂର୍ବକ ନ୍ୟାୟ ଦିଆଯାଉ

କେନ୍ଦୁଝରଗଡ଼: ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗର ଅବହେଳା ଯୋଗୁଁ ୧୨ବର୍ଷର ନାବାଳକ ଆଦିମ ଜନଜାତି ଗଣେଶ ଜୁଆଙ୍ଗଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଜିଲା ବିଜେପି ପକ୍ଷରୁ ଏହାର ସଠିକ୍‌‌ ତଦନ୍ତ ପୂର୍ବକ ମୃତ ଗଣେଶ୍ୱରଙ୍କ ପରିବାରବର୍ଗଙ୍କୁ ନ୍ୟାୟ ଦେବାକୁ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମା ଦାବି କରିଛନ୍ତି। ବାଂଶପାଳ ବ୍ଲକ ତଳସୁମଠ ଗ୍ରାମର ଭୀମସେନ ଜୁଆଙ୍ଗଙ୍କ ୧୨ବର୍ଷର ପୁଅ ଗଣେଶ୍ୱରକୁ ସାପ କାମୁଡିବା ପରେ ଆମ୍ବୁଲାନ୍ସ ନମିଳିବାରୁ ନିକଟସ୍ଥ ନିଗୁଡା ଗ୍ରାମର ଏକ ଅଟୋକୁ ୫୦୦ଟଙ୍କା ଭଡା ସୂତ୍ରରେ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଗଣେଶ୍ୱରଙ୍କ ମୃତ୍ୟୁ ଘଟିବା ପରେ ପୁଅ ମୃତଦେହକୁ ଘରକୁ ନେବା ପାଇଁ ସରକାରଙ୍କ ଯୋଜନାରେ ମିଳୁଥିବା ମହାପ୍ରୟାଣ ଯାନ ମଧ୍ୟ ଯୋଗାଇ ଦିଆ ନ ଯିବାରୁ ଶେଷରେ ବାଧ୍ୟ ହୋଇ ୧୧୦୦ଟଙ୍କା ଭଡାରେ ପୁଣି ଏକ ଅଟୋ ଯୋଗେ ପୁଅର ମୃତଦେହକୁ ଗାଁକୁ ନେଇ ସତ୍କାର କରିବା ଘଟଣା ଜିଲାରେ ଆଦିମ ଜନଜାତି ଜୁଆଙ୍ଗଙ୍କ ପ୍ରତି ପ୍ରଶାସନ ଓ ସରକାର କେତେ ସମ୍ବେଦନଶୀଳ ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ବୋଲି ଜିଲା ବିଜେପି ସଭାପତି ଶ୍ରୀ ମହାନ୍ତବର୍ମା କ୍ଷୋଭର ସହ ଏହା କହିଛନ୍ତି।

prayash

ସୂଚନାଯୋଗ୍ୟ ଯେ, ଗଣ୍ୱେଶ୍ୱରଙ୍କୁ ନାମ ଲେଖାଇବା ପାଇଁ ବକ୍ସିବାରିଗାଁ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ ୩ହଜାର ଟଙ୍କା ଲାଞ୍ଚ ଅର୍ଥ ଦେଇନପାରିବାରୁ ଭୀମସେନ ପୁଅ ଗଣେଶ୍ୱରକୁ ବାଧ୍ୟ ହୋଇ ନିକଟସ୍ଥ ଏକ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଭୀମସେନଙ୍କ ଏକମାତ୍ର ପୁଅ ଗଣେଶ୍ୱରକୁ ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ନ୍ୟାୟ ଦେଇନପାରିବା ଏବଂ ଅପାରଗ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଶେଷରେ ପ୍ରାଣ ହରାଇଥିବା ମୃତ ଗଣେଶ୍ୱରଙ୍କୁ ତଦନ୍ତ ପୂର୍ବକ ନ୍ୟାୟ ଦେବାକୁ ଜିଲା ବିଜେପି ସଭାପତି ଶ୍ରୀ ମହାନ୍ତବର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

Comments are closed.