ସାମୁଦ୍ରିକ ଝଡ଼ ଭୟ : ୭ ଲକ୍ଷ ଲୋକ ହେବେ ସ୍ଥାନାନ୍ତର
ଭୁବନେଶ୍ବର : ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବୋଲି ଉଭୟ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓ ଆମେରିକାର ଜେଟିଡବ୍ଲ୍ୟୁସିର ଆକଳନରୁ ଜଣାପଡ଼ିଛି। ତେବେ ତଳିଆ ଅଞ୍ଚଳରୁ ପ୍ରାୟ ୭ ଲକ୍ଷ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରଣ କରିବାକୁ ବ୍ୟବସ୍ଥା ହୋଇଥିବା ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି।
ଆଜି ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଥିଲେ ଯେ, ୮ ତାରିଖରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଉପକୂଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାକୁ ଥିବାବେଳେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ଗଜପତି ଜିଲାରେ ପ୍ରବଳ ବର୍ଷା ହୋଇପାରେ। ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସମ୍ଭାବନା ନାହିଁ, ମାତ୍ର
କିଛି ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ଥିବାରୁ ସେଠାରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଯେଉଁ ୧୮ ଜିଲାକୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ସମ୍ପୃକ୍ତ ଜିଲାପାଳଙ୍କ ପାଖରୁ ମିଳିଥିବା ତଥ୍ୟ ଅନୁସାରେ ଏବେ ୮୬୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ସେଥିରେ କରୋନା ନିୟମାବଳୀ ପାଳନ କରି ପ୍ରାୟ ୧.୬୦ଲକ୍ଷ ଲୋକଙ୍କୁ ରଖାଯାଇ ପାରିବ। ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ୬୬୬୧ଟି କୋଠା ଚିହ୍ନଟ ହୋଇଛି। ସେଥିରେ ପ୍ରାୟ ୬ ଲକ୍ଷରୁ ଅଧିକ ଲୋକଙ୍କ ଆଶ୍ରୟ ଦିଆଯାଇ ପାରିବ। ଆବଶ୍ୟକ ଅନୁସାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ପ୍ରାୟ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ଆଣିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହୋଇଛି।
ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ସେବା ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ନିୟୋଜିତ କରାଯିବ। ତଥାପି ଏନଡିଆରଏଫ ଦଳର ଯାତାୟାତ ନିମନ୍ତେ ଜିଲାପାଳଙ୍କୁ ଗାଡ଼ିର ବନ୍ଦୋବସ୍ତ ପାଇଁ ନିର୍ଦେଶ ଦିଆଯାଇଛି। ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
ସ୍ବତନ୍ତ୍ର ରିଲିଫ ଆେୟାଗଙ୍କ ନିର୍ଦେଶ ଅନୁସାରେ ବିପର୍ଯ୍ୟୟ ପରିଚାଳନା ଲାଗି ୧୭୫ ୟୁନିଟ୍ ପ୍ରସ୍ତୁତ ଅଛନ୍ତି। ବାତ୍ୟାର ଗତିପଥ ତଥା କେଉଁଠି ସ୍ଥଳ ଭାଗ ଛୁଇଁବ ସେ ସମ୍ପର୍କରେ ସବିେଶଷ ତଥ୍ୟ ମିଳିବା ପରେ ଅଗ୍ନିଶମ ଦଳକୁ ତୁରନ୍ତ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯିବ ବୋଲି ଅଗ୍ନିଶମ ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ କହିଛନ୍ତି।
୨୦୯ ବ୍ଲକ ଓ ୭୭ ପୌରାଞ୍ଚଳ ପ୍ରଭାବିତ ଆଶଙ୍କା
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟବାସୀ ଯେଭଳି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହେେବ ତାକୁ ଦୃଷ୍ଟିରେ ରଖି ସତର୍କ ଓ ସଜାଗ ରହିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟର ୨୦୯ଟି ବ୍ଲକ୍ ଏବଂ ୭୭ଟି ପୌରାଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ସମସ୍ତ ପୌରାଞ୍ଚଳରେ ଖାଲୁଆ ସ୍ଥାନରୁ ବର୍ଷାପାଣି ନିଷ୍କାସନ ପାଇଁ ପ୍ରାୟ ୫୦୦ ଟି ଜେନ୍ସେଟ୍ ଓ ଡିଜି ସେଟ୍ ଅନହୁଇଲ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ସ୍ଥଳେ ଅଧିକ ଜେନେରେଟର ବ୍ୟବସ୍ଥା କରିବାକୁ ବିଡିଓ ଓ ପୌରାଞ୍ଚଳ ଅଧିକାରୀଙ୍କୁ କୁହାଯାଇଛି।
ସେହିପରି ବାତ୍ୟା ଆଶ୍ରୟସ୍ଥଳିଗୁଡିକରେ ଯେପରି ପିଇବା ପାଣିର କୌଣସି ପ୍ରକାର ଅସୁବିଧା ନ ହୁଏ, ସେଥିପାଇଁ ଆବଶ୍ୟକ ସଂଖ୍ୟକ ସିଣ୍ଟେକ୍ସ ଟାଙ୍କି ବ୍ୟବସ୍ଥା କରି ପିଇବା ପାଣି ମହଜୁଦ ରଖାଯିବ। ସହରାଞ୍ଚଳଗୁଡିକରେ ଜିଲାପାଳମାନଙ୍କ ପରାମର୍ଶ କ୍ରମେ ଖାଦ୍ୟ ବ୍ୟବସ୍ଥା କରାଯିବ। ପୌରାଞ୍ଚଳଗୁଡିକରେ ୨୪ ଘଣ୍ଟିଆ ୟୁନିଫାଏଡ୍ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି।
ସେହିପରି ସହରାଞ୍ଚଳର ଯେଉଁଠି ଜଳବନ୍ଦୀ ସମସ୍ୟା ରହିବ ସେହି ସବୁ ସ୍ଥାନଗୁଡିକୁ ଚିହ୍ନଟ କରି ବ୍ୟବସ୍ଥା ଗ୍ରହଣ ସହିତ ଆବଶ୍ୟକ ହେଲେ ଫାୟାର ବ୍ରିଗେଡ୍ ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଇଛି। ସେହିପରି ପ୍ରଭାବିତ ହେବାକୁ ଆଶଙ୍କା ଥିବା ୨୦୯ଟି ବ୍ଲକ୍ ଅଞ୍ଚଳରେ ମଧ୍ୟ ଅନୁରୂପ ବ୍ୟବସ୍ଥା ମାନ ଗ୍ରହଣ କରିବାକୁ କୁହାଯାଇଛି।
Comments are closed.