ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତୁତି, ଆସନ୍ତାକାଲି ମୁତୟନ ହେବେ ଏନଡିଆରଏଫ ଏବଂ ଓଡ୍ରାଫ ଟିମ
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ସମ୍ଭାବନା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବାତ୍ୟା ମେ’ ୧୦ରେ ଉପକୂଳ ଠାରୁ ୨୫୦ କିଲୋମିଟର ଦୂରରେ ଥିବ। ଭାରତୀୟ ପାଣିପାଗ ବିଭାଗର ଆକଳନ ଆସନ୍ତାକାଲି ଆଉ ଟିକେ ସ୍ପଷ୍ଟ ହେବ। ଆସନ୍ତାକାଲି ସନ୍ଧ୍ୟାରେ ଆମେ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ମୁତୟନ ପାଇଁ ଯୋଜନା କରିବୁ। ମେ’ ୧୦ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ବର୍ଷା ହୋଇପାରେ। ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ନୌସେନା ଓ କୋଷ୍ଟଗାର୍ଡକୁ କୁହାଯାଇଛି, ସେମାନେ ମତ୍ସ୍ୟଜୀବୀଙ୍କ ପ୍ରତି ନଜର ରଖିବେ। ମେ’ ୮ ତାରିଖ ସକାଳଠାରୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଚାଷ ସମ୍ପର୍କିତ ପରାମର୍ଶ ପାଇଁ କୃଷି ବିଭାଗକୁ ମାର୍ଗଦର୍ଶିକା ପ୍ରସ୍ତୁତ ପାଇଁ କୁହାଯାଇଛି। ଟେଲିକମ କମ୍ପାନୀମାନଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ଯଦି କିଛି ଟାୱାରା ଭାଙ୍ଗିଯାଏ, ତାହେଲେ ତ୍ବରିତ ସେବା ଯୋଗାଇ ଦେବାକୁ ଟେଲିକମ କମ୍ପାନୀ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ଜଳ ସମ୍ପଦ, ପୂର୍ତ୍ତ, ଜଙ୍ଗଲ ବିଭାଗ ସହ ବି ଆଲୋଚନା ହୋଇଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି କରିଛୁ, କିଛି ପରିସ୍ଥିତି ଉପୁଜିଲେ ମୁକାବିଲା ପାଇଁ ସକ୍ଷମ ହେବୁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରକାଶ କରିଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଭୟଭୀତ ନହେବା ପାଇଁ ସେ ନିବେଦନ କରିଛନ୍ତି।
Comments are closed.