୮ରେ ବାତ୍ୟା ସ୍ବରୂପ ସ୍ପଷ୍ଟ ହେବ
୧୦ରେ ଓଡ଼ିଶାର ୪ ଜିଲାରେ ବର୍ଷିବ,୪ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଭୁବନେଶ୍ବର : ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗତକାଲି ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ସାଢେ ୮ଟାରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହି ଲଘୁଚାପ କ୍ଷେତ୍ର ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି। ଉକ୍ତ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଆସନ୍ତାକାଲି ସନ୍ଧ୍ୟା ବେଳକୁ ଲଘୁଚାପ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଏପରିକି ୮ତାରିଖ ବେଳକୁ ଗଭୀର ଅବପାତର ରୂପନେଇ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ସେ ସଂକ୍ରାନ୍ତରେ ଚିତ୍ର ଅସ୍ପଷ୍ଟ ଥିବାବେଳେ ଆଜି ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ଚିତ୍ର ସ୍ପଷ୍ଟ କରିଛି। ହେଲେ ବାତ୍ୟାର ତୀବ୍ରତା, ଗତିପଥ ଏବଂ କେଉଁଠାରେ ସ୍ଥଳଭାଗ ଛୁଇଁବ ସେ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ଆକଳନ କରାଯାଇ ପାରିନାହିଁ। କେବଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ବଜାୟ ରଖିବା ସହ ୧୦ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ପାର୍ଶ୍ବବର୍ତ୍ତୀ ଉତ୍ତର-ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି।
ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ବର୍ଷା ହୋଇପାରେ। ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାକୁ ଥିବାବେଳେ ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲାର
ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିମି ବେଗରେ ବହିବାର ସମ୍ଭାବନା ରହିଛି। ସମୟକ୍ରମେ ଝଟକା ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୮୫ କିମି ପର୍ଯ୍ୟନ୍ତ ଛୁଇଁପାରେ। ଏହି ପବନ କ୍ରମଶଃ ବୃଦ୍ଧି ପାଇ ୧୦ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ପବନର ବେଗ ୭୦ରୁ ୮୦ କିମି ବେଗରେ ବହିବା ସହ ସ୍ଥଳ ବିଶେଷରେ ସର୍ବାଧିକ ପବନର ବେଗ୯୦ କିମି ଯାଏଁ ଛୁଇଁବାର ଆକଳନ କରାଯାଇଛି।
ବାତ୍ୟା ସ୍ଥଳଭାଗରେ ପହଞ୍ଚିବା ବେଳକୁ କ୍ରମଶଃ ଦୁର୍ବଳ ହୋଇ ଯାଇଥିବା ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। କିନ୍ତୁ ୯ ତାରିଖ ବେଳକୁ ବଙ୍ଗୋପସାଗର ଅଞ୍ଚଳ ଏବଂ ୧୦ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ। ୯ ଓ ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ୧୦ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଗଭୀର ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନେ ୮ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
Comments are closed.