ବାତ୍ୟା ନୁହେଁ ; କେବଳ ବର୍ଷା

୧୦ ସନ୍ଧ୍ୟାରୁ ୧୨ ଯାଏଁ ଉପକୂଳରେ ବର୍ଷା, ଗୋପାଳପୁରରୁ ପୁରୀ ମଧ୍ୟରେ ଦୁର୍ବଳ ହେବ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଆଜି ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ୍‌)ର ରୂପ ନେଇଛି। ବାତ୍ୟାର ନାମକରଣ ଶ୍ରୀଲଙ୍କା ଅନୁଯାୟୀ ‘ଅସାନି’ ରହିଛି। ଅସାନିର ଅର୍ଥ କ୍ରୋଧ। ତେବେ ଏହି ବାତ୍ୟା ୧୦ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମୁହଁା ହେବ। ଉପକୂଳ ଆଡ଼କୁ ବାତ୍ୟା ମାଡ଼ି ଆସୁଥିଲେ ମଧ୍ୟ ସ୍ଥଳଭାଗ ଛୁଇଁବ ନାହିଁ, ଏହା ସମୁଦ୍ର ଉପକୂଳରୁ ପ୍ରାୟ ୧୫୦ରୁ ୨୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଦିଗ ବଦଳାଇବା ଦ୍ବାରା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ସମୁଦ୍ର ମଧ୍ୟରେ ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ। ପୁରୀଠାରୁ ପ୍ରାୟ ୧୦୦ କିମି ଦୂର ସମୁଦ୍ର ଭିତରେ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟା ଧରି ଏହା ଘଣ୍ଟାପ୍ରତି ୧୪ କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଆରମ୍ଭ ହୋଇଯିବ। ୧୧ରେ ଉପକୂଳ ଓଡ଼ିଶାରେ ପବନ ବହିବ। କିନ୍ତୁ ସମୁଦ୍ର ମଧ୍ୟରେ ବାତ୍ୟା ଅସାନି ଗତି କରିବା ହେତୁ ଉପକୂଳବର୍ତ୍ତୀ ଜିଲା ଗୁଡିକରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିମି ବେଗରେ ବହିପାରେ। ଅପରପକ୍ଷରେ ୧୦ରୁ ତିନିଦିନ ଧରି ୯ ଜିଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତି ୧୦ଟା ସୁଦ୍ଧା ବାତ୍ୟାଟି ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ୯୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ପୋର୍ଟ ବ୍ଲେୟାରଠାରୁ ଏହା ୪୪୦ କିମି ଓ ବିଶାଖାପାଟଣାଠାରୁ ୮୫୦ କିମି ଦୂରରେ ରହିଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ୧୦ ତାରିଖରେ ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାରେ ୭ରୁ ୧୧ ସେଣ୍ଟିମିଟର(୭୦ରୁ ୧୧୦ ମିମି) ଯାଏଁ ବର୍ଷା ହୋଇପାରେ। ସେହିପରି ୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରର ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି
କରାଯାଇଛି। ବାତ୍ୟା ଅସାନି ଆସନ୍ତାକାଲି ବଙ୍ଗୋପସାଗର କେନ୍ଦ୍ରୀୟ ଅଞ୍ଚଳରେ ପହଞ୍ଚିବା ପରେ ସମୁଦ୍ରରେ ପବନର ବେଗ ଘଣ୍ଟାପ୍ରତି ୧୦୫ରୁ ୧୧୫ କିମି ଓ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟା ପ୍ରତି ୧୨୫ କିମି ଛୁଇଁବ। ୧୦ରେ ବାତ୍ୟାର କେନ୍ଦ୍ରସ୍ଥଳ ଅର୍ଥାତ ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୯୫ରୁ ୧୦୫ ଏବଂ ଝଟକା ପବନର ବେଗ ୧୧୫ ଛୁଇଁବାର ଆଶଙ୍କା ରହିଛି। ସନ୍ଧ୍ୟାରେ ୯୦ରୁ ୧୦୦ କିମି ଏବଂ ଝଟକା ପବନର ବେଗ ଘଣ୍ଟା ପ୍ରତି ୧୧୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ୧୧ରେ ଉତ୍ତର-ପଶ୍ଚିମ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦କିମି ଓ ଝଟକା ପବନର ବେଗ ଘଣ୍ଟା ପ୍ରତି ୧୦୦ କିମି ଛୁଇଁବ। ୧୨ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ଏବଂ ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୮୦ କିମି ରହିବ। ସନ୍ଧ୍ୟା ବେଳକୁ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୧ ଓ ୧୨ ରେ ଓଡ଼ିଶା ଉପକୂଳରେ ଅର୍ଥାତ ସ୍ଥଳ ଭାଗରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ଓ ସ୍ଥଳବିଶେଷରେ ଘଣ୍ଟା ପ୍ରତି ୬୦ କିମି ଛୁଇଁବାର ଆଶଙ୍କା ରହିଛି। ଗଞ୍ଜାମ, ପୁରୀ, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା ସମୁଦ୍ର ଉପରେ ପବନ ବହିବ। ଏଥିପ୍ରତି ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ଜାରି ବିଲେଟିନରେ ପରାମର୍ଶ ଦିଆଯାଇଛି। ବାତ୍ୟା ଅସାନି ଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବାତ୍ୟା ପାଇଁ ଓଡ଼ିଶାର ସମସ୍ତ ବନ୍ଦର ଗୁଡ଼ିକରେ ୨ ନଂ ବିପଦ ସଙ୍କେତ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ଏବଂ ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି, ଏଥିପ୍ରତି ଚାଷୀମାନେ ସତର୍କ ରହିବାକୁ କୁହାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶାରେ ବାତ୍ୟା ଅସାନିର ପ୍ରକୋପ ପ୍ରଭାବ ହୀନ ହୋଇପଡିବ। ୧୦ତାରିଖ ସନ୍ଧ୍ୟା ପରେ ଦିଗ ପରିବର୍ତ୍ତନ କରିବା ଦ୍ବାରା ସମାନ୍ତରାଳ ଓଡ଼ିଶା ଉପକୂଳରେ ଗତି କରିବା ସମୟରେ ଗତି ଧିମେଇ ଯିବାର ସମ୍ଭାବନା ରହିଛି। ୧୧ ସନ୍ଧ୍ୟା ବେଳକୁ ଗଭୀର ଅବପାତରେ ପରିଣତ ହୋଇଯିବ ଅସାନି। ୧୨ରେ ଓଡ଼ିଶା ଉପକୂଳରୁ ୨୦୦ କିମି ଦୂରରେ ଗତି କରିବା ଦ୍ବାରା ପବନ ଓ ବର୍ଷା ଭୟର ସମ୍ଭାବନା ନାହିଁ। ଓଡ଼ିଶା ଉପକୂଳ ସମୁଦ୍ର ଭିତରେ ହଁ ଅସାନି ବିଲୀନ ହୋଇଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

kalyan agarbati

Comments are closed.