ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ଓ ୪ଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ସହ ନିର୍ବାଚନ ପ୍ରଚାରରେ ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ର ଉପଯୋଗ ଉପରେ ଆୟୋଗ କେତେକ ମାର୍ଗଦର୍ଶିକା ଜାରି କରିଛନ୍ତି। ମାର୍ଗଦର୍ଶିକା ଅନୁଯାୟୀ ପ୍ରାର୍ଥୀମାନେ ସେମାନେ ପ୍ରାର୍ଥିପତ୍ର ଦାଖଲ ସମୟରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ବାବଦରେ ସବିଶେଷ ତଥ୍ୟ ଦେବେ। ସେହିପରି ସୋସିଆଲ ମିଡିଆରେ ନିର୍ବାଚନ ସମ୍ପର୍କିତ ଯେଉଁ ସବୁ ବିଜ୍ଞାପନ ପ୍ରସାରଣ ହେବ ତାର ଅନୁମତି ନେବାକୁ ପଡିବ। ଏଥିପାଇଁ ନିର୍ବାଚନ ଆୟୋଗ ଗୁଗଲ, ଫେସବୁକ, ଟ୍ବିଟର ଓ ୟୁଟ୍ୟୁବକୁ ସମସ୍ତ ବିଜ୍ଞାପନ ଯାଞ୍ଚ କରିବା ଲାଗି କୁହାଯାଇଛି। ସୋସିଆଲ ମିଡିଆରେ ବିଜ୍ଞାପନ ଖର୍ଚ୍ଚକୁ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚରେ ସାମିଲ କରାଯିବ। ସୋସିଆଲ ମିଡିଆରେ ପ୍ରସାରିତ ବିଜ୍ଞାପନ ସମ୍ପର୍କିତ ଅଭିଯୋଗର ଅନୁଧ୍ୟାନ କରିବା ଲାଗି ନିର୍ବାଚନ ଆୟୋଗ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଆପତ୍ତିଜନକ ବିଜ୍ଞାପନ ପ୍ରସାରଣ ଲାଗି ଦଳ ଓ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ବାଚନ ସମୟରେ ସମସ୍ତ ଘଟଣାକୁ ଟିକିନିଖି ଯାଞ୍ଚ କରାଯିବ। କୌଣସି ପ୍ରଚାର ନିର୍ବାଚନ ଆଚରଣବିଧିର ଉଲ୍ଲଙ୍ଘନ ସମ୍ପର୍କରେ ସାଧାରଣ ଜନତା ଅଭିଯୋଗ କରିପାରିବେ। ଏଥିପାଇଁ ସି ଭିଜିଲ୍ ନାମକ ଏକ ଆପ୍ ଆରମ୍ଭ କରାଯାଇଛି।
Popular Categories



