କଟକ ଏସସିବି କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁଙ୍କ ପରଲୋକ
ଭୁବନେଶ୍ବର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ମୁତ୍ରରୋଗ ବିଭାଗ ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁଙ୍କ ପରଲୋକ ହୋଇଯାଇଛି। ସେ ତାଙ୍କ ଝିଅ ଜ୍ବାଇଁ ପାଖକୁ ଆମେରିକା ଯାଇଥିଲେ। ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁ ଫୁସଫୁସ ରୋଗରେ ଆକ୍ରାନ୍ତ ହେବା ପରେ ଅଗଷ୍ଟ ୨୧ ତାରିଖରେ ମରିଷ୍ଟାଉନ ନିଉ ଜର୍ସି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ଆଜି ଭାରତୀୟ ସମୟ ଅପରାହ୍ନ ୩.୪୫ମିନିଟରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ବୀଣାପାଣି ସାହୁ, କନ୍ୟା ଇପ୍ସିତା ଓ ଜ୍ୱାଇଁ ରାଜଦୀପ ଉପସ୍ଥିତ ଥିଲେ। ତାଙ୍କର ଏକମାତ୍ର ପୁତ୍ର ଅମିତ ସାହୁ ବେଙ୍ଗାଲୁରୁରେ କାର୍ଯ୍ୟରତ ଥିବା ଜଣାପଡ଼ିଛି।
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ମୁତ୍ରରୋଗ ବିଭାଗ ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିଲେ। ସେ ଜଣେ ଆଦର୍ଶବାନ ଓ ପରୋପକାରୀ ଡାକ୍ତର ଥିଲେ। ମୂତ୍ରରୋଗ ସମ୍ବନ୍ଧରେ ଜନ ସଚେତନତା ଆଣିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ। ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁ ୧୪ ସେପ୍ଟେମ୍ବର ୧୯୪୩ରେ କୋରାପୁଟ ଜିଲାର ଜୟପୁରରେ ଜନ୍ମଗ୍ରହଣ କରିଥିଲେ। ଡାକ୍ତର ଚିନ୍ତାମଣି ସାହୁଙ୍କ ସେ ଥିଲେ ଜ୍ୟେଷ୍ଠ ପୁତ୍ର। କଟକ ଏସସିବି ମେଡିକାଲ କଲେଜରୁ ୧୯୬୭ରେ ଏମବିବିଏସ ଡାକ୍ତରୀ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୭୫ ମସିହାରେ ଏମ୍ସ ନୂଆଦିଲ୍ଲୀରୁ ସୁପର ସ୍ପେସିଅଲିଟି କରିଥିଲେ। ସେ ବୁର୍ଲା ଓ କଟକରେ ମେଡିକାଲ କଲେଜରେ ବିଭିନ୍ନ ପଦରେ ଅବସ୍ଥାପିତ ହୋଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଛନ୍ତି। ସେ ପ୍ରଥମକରି ବୁର୍ଲା ମେଡିକାଲ କଲେଜ ହସ୍ପିଟାଲରେ ୧୯୮୫ରେ ସଫଳତାର ସହ କିଡନୀ ପ୍ରତିରୋପଣ କରିଥିଲେ। କଟକ ଏସସିବି ମେଡିକାଲ କଲେଜରୁ ଅଧ୍ୟକ୍ଷ ଭାବେ ୧୯୯୯ରୁ କାର୍ଯ୍ୟକରି ୨୦୦୧ ମସିହାରେ ସେବାନିବୃତ୍ତ ହୋଇ ଅବସର ଗ୍ରହଣ କରିଥିଲେ। ଏହାପରେ ସେ ରୋଗୀସେବାରେ ନିଜକୁ ସମର୍ପିତ କରିଥିଲେ।
ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁ ୟୁରୋଲୋଜିକାଲ ସୋସାଇଟି, ଓଡିଶାର ପ୍ରତିଷ୍ଠାତା ସଭାପତି ଥିଲେ। ତାଙ୍କ ପରଲୋକରେ ଡାକ୍ତରୀସେବା କ୍ଷେତ୍ରରେ ଶୂନ୍ୟସ୍ଥାନ ସୃଷ୍ଟି ହେବାସହ ସବୁଆଡେ ଶୋକର ଛାୟା ଖେଳିଯାଇଛି।
Comments are closed.