ବାରବାଟୀ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର
କଟକ/ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମରେ ଜୁନ୍ ୧୨ରେ ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳା ଯିବାକୁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଷ୍ଟାଡିୟମର ସୁରକ୍ଷା ଓ ଅଗ୍ନି ନିରାପତ୍ତାକୁ ନେଇ ଉଠିଛି ବଡ ପ୍ରଶ୍ନ । ତେବେ ୪୪ ହଜାର ଦର୍ଶକ ବସିପାରୁଥିବା ଏହି ଷ୍ଟାଡିୟମର ଅଗ୍ନି ନିରାପତ୍ତା ପ୍ରମାଣପାତ୍ର ନାହିଁ । ରାଜ୍ୟ ଅଗ୍ନିଶମ ନିର୍ଦେଶାଳୟ ଏହି ପ୍ରମାଣପତ୍ର ଜାରି କରିଥାନ୍ତି; କିନ୍ତୁ ଷ୍ଟାଡିୟମ କର୍ତ୍ତୃପକ୍ଷ ଏହି ପ୍ରମାଣପତ୍ର ହାସଲ କରିବାକୁ କୌଣସି ପଦକ୍ଷେପ ନେଉନାହାନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିସନ ଶୁଣାଣି କରି ଏ ନେଇ ରିପୋର୍ଟ ଦାଖଲ କରିବାକୁ କଟକ ଡିସିପି ଓ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସମ୍ପାଦକଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଆବେଦନ ଉପରେ ଶୁଣାଣି କରି କମିସନ ଆସନ୍ତା ୨୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି।
ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବାରବାଟୀ ଷ୍ଟାଡିୟମର ବିଲିଡିଂ ସେଫ୍ଟି ଯାଞ୍ଚ କରାଯାଉନାହିଁ, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ ଓ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ଯାଞ୍ଚ ହୋଇନାହିଁ। ଏଭଳି ସ୍ଥଳେ ଦର୍ଶକମାନଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଓସିଏ ସରକାରଙ୍କୁ ଅନୁମତି ମାଗିଛି। ବିଭିନ୍ନ ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ ନ କରି ଦର୍ଶକମାନଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେଲେ ବଡ ଧରଣର ବିପଦକୁ ଏଡାଇଦିଆଯାଇ ନ ପାରେ ବୋଲି ସେ ଦର୍ଶାଇଛନ୍ତି। ପୁନଶ୍ଚ ଫାୟାର ଅଫିସରୁ ବାରମ୍ବାର ଚିଠି ଆସୁଥିଲେ ମଧ୍ୟ ଓସିଏ କର୍ତ୍ତୃପକ୍ଷ ସେ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ସେ ଅଭିଯୋଗ କରି ଏ ସମ୍ପର୍କିତ ପ୍ରମାଣ ଦାଖଲ କରିଛନ୍ତି।
Comments are closed.