ଗରିମାମୟ ଜୀବନ୍ତ ଇତିହାସ – ବାଲିଯାତ୍ରା
ବାଲିଯାତ୍ରା। ଆମ ସାଂସ୍କୃତିକ ଜୀବନର ଏକ ସୁମହତ ପରିଚୟ ଏବଂ ଓଡ଼ିଆ ଜାତିର ସୁପ୍ରସିଦ୍ଧ ନୌବାଣିଜ୍ୟ ଓ ଐତିହ୍ୟର ପ୍ରତୀକ। ଏହା ହଜାର ବର୍ଷ ଅତିକ୍ରାନ୍ତ, ସଂସ୍କୃତି ବିମଣ୍ଡିତ କଟକ ସହରର ସମଗ୍ର ଓଡ଼ିଆ ଜାତି ପାଇଁ ଗୌରବମୟ ଐତିହ୍ୟର ସ୍ବାକ୍ଷର ବହନ କରେ। କଟକ ଗଡ଼ଗଡ଼ିଆ ମହାନଦୀ ପଠାରେ ପବିତ୍ର କାର୍ତ୍ତିକ ପୂର୍ଣିମା ଅବସରରେ ସାତଦିନ ଧରି ଅନୁଷ୍ଠିତ ହୋଇଆସୁଛି ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ। ଏହିଦିନ ମନେପକାଇ ଦିଏ ସାଧବପୁଅର ବୋଇତଯାତ୍ରା, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଦ୍ବୀପକୁ। ସାତ ସମୁଦ୍ର, ତେର ନଈ ପାରହୋଇ ସେମାନେ ଓଡ଼ିଶାର କଳା, ଭାସ୍କର୍ଯ୍ୟଭରା ସାମଗ୍ରୀ ବାଣିଜ୍ୟ କରି କିପରି ଓଡ଼ିଶାକୁ କରୁଥିଲେ ସମୃଦ୍ଧ । ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ ନିର୍ବିଶେଷରେ ପ୍ରତ୍ୟେକ ଓଡ଼ିଶାବାସୀ ଏହି ଯାତ୍ରାରେ ସାମିଲ ହୋଇ କିଛିଦିନ ପାଇଁ ଆନନ୍ଦ ଉଲ୍ଲାସରେ ବିହ୍ଵଳିତ ହୋଇ ଉଠନ୍ତି।
ଦାଣ୍ଡି ରାମାୟଣ, ବ୍ରହ୍ମାଣ୍ଡ ପୁରାଣ, କୈବର୍ତ୍ତ ଗୀତା, ହରିବଂଶ ଓ କାଳିଦାସଙ୍କ ଲିଖିତ ରଘୁବଂଶ ଏବଂ ଚୀନ ପରିବ୍ରାଜକ ହୁଏନ୍ସାଂ ଓ ଟୋଲେମିଙ୍କ ବିବରଣୀରୁ ଉତ୍କଳର ନୌବାଣିଜ୍ୟ ବିଷୟରେ ସବିଶେଷ ତଥ୍ୟ ମିଳେ। ବଡ଼ବଡ଼ ନୌକା, ପୋତ ବା ବୋଇତ(ବ୍ରହ୍ମଦେଶ), ଶ୍ୟାମଦେଶ (ଥାଇଲାଣ୍ଡ), କମ୍ବୋଜ(କମ୍ବୋଡିଆ), ତାମ୍ରପର୍ଷି (ସିଂହଳ), ତକ୍ଷ ଓ ଜାଭା, ସୁମାତ୍ରା, ବୋର୍ଷିଓ ଓ ବାଲିହୀପ ପ୍ରଭୃତି ପୂର୍ବ ଭାରତୀୟ ଦ୍ବୀପମାନଙ୍କ ସହିତ ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ। ବିଦେଶୀଙ୍କ ଚାହିଦା ମୁତାବକ -ହାତୀଦାନ୍ତ ନିର୍ମିତ ବିଭିନ୍ନ କାରୁକାର୍ଯ୍ୟପୂର୍ଣ ଦ୍ରବ୍ୟ, ହାତବୁଣା ସୂକ୍ଷ୍ମ ପାଟବସ୍ତ୍ର, ଟସର, ତାରକସୀ କାମ ଓ ହାତତିଆରି ବିଭିନ୍ନ ସାମଗ୍ରୀ, ବିଭିନ୍ନ ମସଲା ଯଥା- ଲୁଣ, ହଳଦୀ, ଲଙ୍କା, କଂସା-ପିତ୍ତଳ ବାସନ, ନଡ଼ିଆ, ଜୀବଜନ୍ତୁଙ୍କ ଚମଡ଼ା ବିଭିନ୍ନ ଦ୍ବୀପପୁଞ୍ଜକୁ ନେଉଥିଲେ ଓ ସେ ସବୁ ବିନିମୟରେ କସ୍ତୁରୀ, ରୁଦ୍ରାକ୍ଷ, ଶାଳଗ୍ରାମ, ବାଘନଖ, ଗୁଆ, ମଣିମାଣିକ୍ୟ, କଉଡ଼ି ପ୍ରଭୃତି ପ୍ରଚୁର ପରିମାଣରେ ବୋହି ଆଣୁଥିଲେ। କାର୍ତ୍ତିକ ମାସ ଶେଷ ବେଳକୁ ସମୁଦ୍ରରେ ଜଳଯାତ୍ରା କରିବା ସହଜ ଓ ସୁବିଧା ଥିଲା । ଏହି ସମୟରେ ସମୁଦ୍ର ଶାନ୍ତ ରହେ ଏବଂ କୌଣସି ଝଡ଼ବାତ୍ୟାର ଆଶଙ୍କା ନ ଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନଟିକୁ ଉତ୍କଳୀୟମାନେ ଶୁଭଯୋଗ ବା ମାହେନ୍ଦ୍ରବେଳା ଭାବି ନୌଯାତ୍ରା କରନ୍ତି । ସେହି ଅଭୁଲା ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଓଡ଼ିଶାର ପୁରପଲ୍ଲୀରେ ଏହି ଦିନକୁ ବୋଇତ ବନ୍ଦାଣ ଉତ୍ସବ ଭାବେ ପାଳନ କରାଯାଏ। ଭାରତବର୍ଷର ଅନ୍ୟ ରାଜ୍ୟଗୁଡ଼ିକରେ ପୂର୍ଣ୍ଣିମାରେ ପ୍ରାତଃସ୍ନାନ ବିଧାନ ଥିଲେ ସୁଦ୍ଧା ଲୋକମାନେ ଡଙ୍ଗା ଭସାଇବା ପରମ୍ପରା ପ୍ରଚଳନ ଥିବା ଦେଖାଯାଏ ନାହିଁ । କେବଳ ଓଡ଼ିଶାରେ ହିଁ ଏପରି ବିଧାନ ପ୍ରଚଳିତ। ଏବେ ବାଲିଯାତ୍ରା କେବଳ କଟକରେ ସୀମିତ ହୋଇ ରହିନାହିଁ। ପାରାଦ୍ବୀପ, ତିର୍ତ୍ତୋଲ, କୋଣାର୍କ, ଚନ୍ଦ୍ରଭାଗା, ଚିଲିକା, ବାଲୁଗାଁ, ବିଡ଼ାନାସୀ, ଚହଟା, ଅସ୍ତରଙ୍ଗ, କାକଟପୁରରେ ମଧ୍ୟ ଏହାର ସ୍ମାରକ ବହନ କରି ସପ୍ତାହବ୍ୟାପୀ ଆନନ୍ଦ ଉଲ୍ଲାସ ସହକାରେ ଉତ୍ସବ ପାଳନ କରାଯାଉଛି । କିଛି ବର୍ଷ ହେବ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ବ୍ୟାପକ ରୂପେ ବାଲିଯାତ୍ରା ପାଳନ କରାଯାଉଛି।
Comments are closed.