www.samajalive.in
Monday, December 15, 2025
17.1 C
Bhubaneswar

ଅସମ୍ଭାଳ ଭିଡ଼

କଟକ : ମାସର ଦ୍ୱିତୀୟ ଶନିବାର। ସରକାରୀ ଚାକିରିଆଙ୍କ ଛୁଟିଦିନ। ବଲିଉଡ କଣ୍ଠଶିଳ୍ପୀ କୈଳାସ ଖେରଙ୍କ ଐତିହାସିକ ବାଲିଯାତ୍ରାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରିଥିଲେ। ଶନି ଓ ରବିବାର ଛୁଟିଦିନ ସାଙ୍ଗକୁ ମଞ୍ଚରେ କୈଳାସ ଖେରଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଉତ୍ସାହ ଦ୍ୱିଗୁଣ। ସେଥିପାଇଁ ଅପରାହ୍ଣ ୧ଟାରୁ ମେଳା ପଡିଆକୁ ଦର୍ଶକଙ୍କ ଛୁଅ ଛୁଟିଥିଲା। ଅପରାହ୍ଣ ୪ଟାରୁ ଉଭୟ ଉପର ଓ ତଳ ମେଳା ପଡିଆ ଜନସମୁଦ୍ର ପାଲଟି ଯାଇଥିଲା। ସୋରିଷ ପକାଇବାକୁ ଜାଗା ବି ନଥିଲା। ଗାଡି ପାର୍କିଂସ୍ଥଳରେ ବି ଖଚାଖଚ ଦୁଇ ଓ ଚାରିଚକିଆ ଗାଡି। ପାର୍କିଂସ୍ଥଳରେ ସ୍ଥାନାଭାବ ସାଙ୍ଗକୁ ମେଳା ପଡିଆରେ ପ୍ରବଳ ଜନଗହଳି ଯୋଗୁଁ ସନ୍ଧ୍ୟା ୬ଟାରୁ ପୁଲିସ ମେଳା ପଡିଆକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥରେ କଟକଣା ଜାରି କରିଦେଇଥିଲା। ଏଥିଯୋଗୁଁ ଯୋବ୍ରାଠାରୁ ସିସୋର ଗଡା, ଚହଟାରୁ କ୍ୟାଣ୍ଟନମେଣ୍ଟ ଥାନା ପର୍ଯ୍ୟନ୍ତ ରିଂବନ୍ଧ ରାସ୍ତାରେ ଶହଶହ ଗାଡି ଦୀର୍ଘ ସମୟଧରି ଅଟକି ରହିଥିଲେ। ମେଳା ପଡିଆକୁ ପୁଲିସ ଯିବାକୁ ନ ଦେବାରୁ ହଜାରହଜାର ଦର୍ଶକ ବାଲିଯାତ୍ରା ବୁଲି ନପାରି ନିରାଶ ହୋଇଫେରିଯାଇଥିଲେ। ରାତି ୧୨ଟା ପର୍ଯ୍ୟନ୍ତ ଗହଳି ଲାଗି ରହିଥିଲା। ଶୁକ୍ରବାର ପରି ଶନିବାର ମଧ୍ୟ ବାଲିଯାତ୍ରା ପଡିଆ ଜନରଣ୍ୟ ପାଲଟିଥିଲା। ଲକ୍ଷାଧିକ ଲୋକ ଭିଡରେ ଯାତ୍ରା ପଡିଆରେ ଫସିଯାଇଥିଲେ। ମେଳା ପଡିଆକୁ ଆସୁଥିବା ଗାଡିଗୁଡିକୁ ବିଭିନ୍ନ ଛକରେ ଅଟକାଇ ରଖିବାକୁ ପୁଲିସ ବାଧ୍ୟ ହୋଇଥିଲା।
ଦୁଇବର୍ଷ ପରେ ଆୟୋଜନ ହେଉଥିବାରୁ ଚଳିତବର୍ଷ ବାଲିଯାତ୍ରାରେ ପ୍ରବଳ ଜନ ସମାଗମ ହେବାନେଇ ପ୍ରାକ ସୂଚନା ମିଳିସାରିଥିଲା। ଏଥିପାଇଁ ଦୁଇ ପଡିଆର ପ୍ରବେଶ ପଥକୁ ପ୍ରଶସ୍ତ କରାଯିବା ସହ ଷ୍ଟଲ ମଧ୍ୟରେ ଆବଶ୍ୟକ ବ୍ୟବଧାନ ରଖାଯାଇଛି। ବିଡାନାସୀ ଭୁଆଷୁଣୀ ପଡିଆ, ଖ୍ରୀଷ୍ଟିଆନ ପଡିଆ, ଦୟାଶ୍ରମ ସାମ୍ନା ପଡିଆ, କାର୍ତ୍ତିକେଶ୍ୱର ଗଡାର ବାମ ଏବଂ ପଶ୍ଚିମ ପଟ, ମୁଣ୍ଡାସାହି ଏବଂ ଗୋରାକବର ପଡିଆରେ ପାର୍କିଂସ୍ଥଳ ତିଆରି ହୋଇଛି। ପ୍ରତି ପାର୍କିଂସ୍ଥଳରେ ୩ହଜାରରୁ ଅଧିକ ଗାଡି ରହିଲା ଭଳି ବ୍ୟବସ୍ଥା ହୋଇଛି। ଏକାଧିକ ପାର୍କିଂସ୍ଥଳ ସତ୍ତ୍ବେ ପ୍ରଶାସନର ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଥିଲା ଶନିବାରର ଭିଡ। ଆଜି ଭିଡ଼ ସବୁ କିଛି ଓଲଟପାଲଟ କରିଦେଇଥିଲା। ସନ୍ଧ୍ୟା ବଢିବା ସହିତ ପଡିଆରେ ଲୋକଗହଳି ବଢ଼ିବାରେ ଲାଗିଥିଲା। ୬ଟା ବେଳକୁ ସବୁ ପାର୍କିଂ ସ୍ଥଳରେ ଯାନବାହନ ରଖିବାକୁ ଜାଗା ନଥିଲା। ମାତାମଠଛକରୁ ଶିଖରପୁର ଛକ, କ୍ୟାଣ୍ଟନମେଣ୍ଟ ଥାନାଠାରୁ ଚହଟା ଦେଇ ଖାନନଗର ଟ୍ରାଫିକ ଛକ ଯାଏ ଶହଶହ ଗାଡି ଲମ୍ବା ଧାଡିରେ ରହିଥିଲା। ରିଂବନ୍ଧର ବିପରୀତ ପାର୍ଶ୍ବ ରାସ୍ତାରେ ମଧ୍ୟ ସମାନ ଅବସ୍ଥା ଥିଲା। ଯେଉଁ ସଂଖ୍ୟାରେ ଗାଡି ସହରରୁ ବାହାରୁଥିଲା ତା’ଠାରୁ ଅଧିକ ବାଲିଯାତ୍ରା ପାଇଁ ସହରକୁ ପ୍ରବେଶ କରୁଥିଲା। ଏଥିଲାଗି ରାଜପଥରେ ମଧ୍ୟ ଦୀର୍ଘ ସମୟଧରି ଟ୍ରାଫିକ୍‍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା। ସେପଟେ ଭିଡ ଯୋଗୁଁ ପାର୍କିଂ ଭିତରୁ ଗାଡି ବାହାର କରିବା ବି କାଠିକର ପାଠ ହୋଇପଡିଥିଲା। ଷ୍ଟାଣ୍ଡରେ ଦୁଇଚକିଆ ଗାଡ଼ିଗୁଡ଼ିକୁ ଏଭଳି ରଖାଯାଇଥିଲା ଯେ ଗାଡ଼ିଗୁଡ଼ିକୁ କାଢ଼ିବା ମଧ୍ୟ ସମ୍ଭବ ନଥିଲା। ଷ୍ଟାଣ୍ଡ ନିଲାମ ନେଇଥିବା ବ୍ୟକ୍ତିଙ୍କ ମନ୍ତବ୍ୟ ହେଲା ଯେ, ସେମାନେ ବିପୁଳ ଅର୍ଥ ଦେଇ ନିଲାମ ନେଇଛନ୍ତି; ତେଣୁ ଗାଡ଼ିଗୁଡ଼ିକୁ ଛାଡ଼ି ଛାଡ଼ି ରଖିହେବ ନାହିଁ। ଏହାକୁ ନେଇ ଅନେକ ଷ୍ଟାଣ୍ଡ ନିଲାମଧାରୀ ଓ ବାଲିଯାତ୍ରା ବୁଲିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଉଚବାଚ ହୋଇଥିଲା। ଷ୍ଟାଣ୍ଡ ଗୁଡ଼ିକରେ ସ୍ଥାନାଭାବ ଯୋଗୁଁ ଯାତ୍ରୀ ରାସ୍ତାକଡ଼ରେ ବେଆଇନ ପାର୍କିଂ କରିବାରୁ ଟ୍ରାଫିକ ସମସ୍ୟା ବଢ଼ିଯାଇଥିଲା। ଅସମ୍ଭବ ଭିଡ ଯୋଗୁଁ ବାଲିଯାତ୍ରା ପଡିଆରୁ ବି ଲୋକେ ବାହାରି ପାରି ନଥିଲେ। ବାଧ୍ୟ ହୋଇ ପୁଲିସ ରାତି ୮ଟା ପରେ ନୂଆପଟଣା ସେତୁ, ଯୋବ୍ରା, ଶିଖରପୁର ଦେଇ ବାଲିଯାତ୍ରା ଆସୁଥିବା ଗାଡିଗୁଡିକୁ ଆଉ ଛାଡି ନଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories