କାଠର ଅଭାବ ମେଣ୍ଟାଇବାକୁ ଗୋଶାଳାର ଅଭିନବ ପ୍ରୟାସ : ଗୋବର କାଠରେ ଶବଦାହ
କଟକ(ପ୍ରଭାସିନୀ ବେହେରା) : ପୂଜାପାଠ ହେଉ କି ମଣିଷର ଅନ୍ତିମ ସଂସ୍କାର (ଶବଦାହ) ହେଉ ପ୍ରଥମେ ଖୋଜା ପଡ଼େ କାଠ। କାଠ ବିନା ସମସ୍ତ କର୍ମ ଅସମ୍ଭବ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ହ୍ରାସ ପାଉଛି। ଫଳରେ ଏବେ କାଠ ମିଳିବା କଷ୍ଟକର ହୋଇପଡ଼ିଲାଣି। କାଠର ଦର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏ ସବୁକୁ ଦୃଷ୍ଟିରେ ରଖି ସରକାର ଶବଦାହ ପାଇଁ ବିଦ୍ୟୁତ୍ ଓ ଗ୍ୟାସ ଚୁଲା ନିର୍ମାଣ କରିଛନ୍ତି। ହେଲେ ଏ ଯାବତ୍ ସମସ୍ତ ଶଶ୍ମାନ ଘାଟରେ ଏହା ନିର୍ମାଣ ହୋଇପାରିନାହଁି। ଲୋକମାନେ ମଧ୍ୟ ବିଦ୍ୟୁତ୍ ଚୁଲା ଅପେକ୍ଷା କାଠରେ ପୋଡ଼ିବାକୁ ଅଧିକ ପସନ୍ଦ କରୁଛନ୍ତି। ଜଙ୍ଗଲ ହ୍ରାସ ଦ୍ବାରା ଆଉ କିଛି ବର୍ଷପରେ କାଠର ଘୋର ଅଭାବ ଦେଖାଦେବ। ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି କାଠର ବିକଳ୍ପ ଭାବେ ଗୋବର (କାଠ ଆକୃତି) ବ୍ୟବହାର କରାଯାଇ ପାରିବ। ଏଥିପାଇଁ ନୂଆବଜାରସ୍ଥିତ ଗୋଶାଳା କର୍ତ୍ତୃପକ୍ଷ ଅଭିନବ ପ୍ରୟାସ କରିଛନ୍ତି। ଉଦ୍ୟମରେ ସଫଳ ମଧ୍ୟ ହୋଇଛନ୍ତି। ଏ ଯାବତ ଗୋବର କାଠରେ ୨୦ରୁ ଅଧିକ ଶବଦାହ ହୋଇସାରିଲାଣି। ଦିନକୁ ଦିନ ପରିବେଶ ଦୂଷିତ ହେବାକୁ ଲାଗିଛି। ଗ୍ରୀନ ସହର କଂକ୍ରିଟ ସହରରେ ପରିଣତ ହେଲାଣି। ଏହା ଦ୍ବାରା ଲୋକମାନେ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି; ଯାହାକି ପରିବେଶବିତ୍ଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି। ପ୍ରଦୂଷଣ ରୋକିବା ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନେ ଏବେ ବିଭିନ୍ନ ସ୍ଥାନରେ ଚାରା ରୋପଣ କରୁଛନ୍ତି; ହେଲେ ଯେଉଁ ଅନୁପାତରେ ଚାରା ରୋପଣ କରାଯାଉଛି ଲୋକମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ତା’ ଠାରୁ ଢେର ଗୁଣା ଅଧିକ ଗଛ ପ୍ରତିଦିନ କଟା ଚାଲିଛି। ଯଥା ସମ୍ଭବ କାଠର ବ୍ୟବହାରକୁ କମାଇବା ଆବଶ୍ୟକ ହୋଇପଡିଛି। ଏପରି ସ୍ଥଳେ କାଠର ବିକଳ୍ପ ଭାବେ ଗୋବର ବ୍ୟବହାର ମଧ୍ୟ ଜରୁରୀ ହୋଇପଡ଼ିଛି।
୮ମାସ ତଳେ ଗୋଶାଳାର ସାଧାରଣ ସମ୍ପାଦକ ଗଣେଶ କୁମାର କାଣ୍ଡୋଇ ସୋସିଆଲ ମିଡିଆରେ ଗୋବରରୁ କାଠ ତିଆରି ମେସିନ ଦେଖିଥିଲେ। ଏହାକୁ ଦେଖିବା ପରେ ଗୋଶାଳାରେ ଏହି ମେସିନକୁ ଲଗାଇବା ପାଇଁ ସେ ପ୍ରୟାସ କରିଥିଲେ। ମେସିନ ଉପରେ ତଥ୍ୟ ଯୋଗାଡ଼ କରି ଜଣେ ସମ୍ପୃକ୍ତ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ। ପରେ ଗୋଶାଳା କର୍ତ୍ତୃପକ୍ଷ ପଞ୍ଜାବରୁ ଏହି ମେସିନ୍ ୫୫ ହଜାର ଟଙ୍କାରେ କିଣିଥିଲେ। ଏବେ ଗୋଶାଳାରେ ପ୍ରାୟ ୧୧୦୦ ଗୋରୁ ରହୁଛନ୍ତି। ପର୍ଯ୍ୟାପ୍ତ ଗୋବର ମିଳୁଥିବାରୁ ଆବଶ୍ୟକ ଅନୁଯାୟୀ ଗୋବର କାଠ ତିଆରି କରାଯାଉଛି। ୩ମାସ ହେଲା ଖାନନଗର ଶ୍ମଶାନରେ ଶବଦାହ ପାଇଁ ଏହାର ବ୍ୟବହାର କରାଯାଉଛି।
ଏହି କାଠରେ ଶବ ଦାହ ପାଇଁ ଏକ କାଷ୍ଟିଂ ଷ୍ଟାଣ୍ଡର ଆବଶ୍ୟକ ଥାଏ। ଷ୍ଟାଣ୍ଡରେ ଶବ ରଖି କାଠ ଲଦି ଦାହ କରାଯାଏ। ଏବେ ସୁଦ୍ଧା ଏଠାରେ ଏହି କାଠରେ ୨୦ରୁ ଅଧିକ ଶବ ଦାହ ସରିଲାଣି। କେବଳ ମାରୱାଡି ସମ୍ପଦ୍ରାୟର ଲୋକମାନେ ଏହାକୁ ବ୍ୟବହାର କରୁଛନ୍ତି। ଖାନନଗର ଶଶ୍ମାନରେ କାଠ ସଂରକ୍ଷଣ ଗୃହରେ ଏବେ ଏହି କାଠ ରଖାଯାଉଛି। ପ୍ରଚାର ପ୍ରସାର ଅଭାବରୁ ଲୋକମାନେ ଏ ବିଷୟରେ ଜାଣି ପାରୁନାହାନ୍ତି। ଫଳରେ ଘରୋଇ କାମରେ ଏହାକୁ ବ୍ୟବହାର କରାଯାଇପାରୁନାହିଁ। ଆଗାମୀ ଦିନରେ ଏହା ସମସ୍ତ ଶଶ୍ମାନରେ ବ୍ୟବହାର କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହନ୍ତି ଶ୍ରୀ କାଣ୍ଡୋଇ। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଗୋ-ଚାଷୀମାନଙ୍କୁ ସବ୍ସିଡିରେ ଏହି ମେସିନ ଯୋଗାଇ ଦିଆଗଲେ ସେମାନେ ରୋଜଗାରକ୍ଷମ ହୋଇପାରନ୍ତେ।
Comments are closed.