ବଜେଟ୍ ଅର୍ଥ ବିନିଯୋଗ : କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କମିଛି
ଭୁବନେଶ୍ବର : କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍ଏସ୍) ଏବଂ କେନ୍ଦ୍ରୀୟ ଯୋଜନା ଅର୍ଥ ଖର୍ଚ୍ଚରେ ବିଭାଗୀୟ ଅଧିକାରୀମାନେ ଆନ୍ତରିକତା ଦେଖାଉ ନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ଖର୍ଚ୍ଚ ନେଇ ବିଭିନ୍ନ ପ୍ରକାର କଟକଣା ରହିଥିବାରୁ ରାଜ୍ୟ ପ୍ରଶାସନିକ ଅଧିକାରୀମାନେ ସେଥିପ୍ରତି ଗୁରୁତ୍ବ ଦେଉ ନାହାନ୍ତି। ଯେଉଁଥିପାଇଁ ଗତ ୪ମାସ ମଧ୍ୟରେ ବ୍ୟୟ ବରାଦର ୫ ପ୍ରତିଶତ ଅର୍ଥ ମଧ୍ୟ ବିନିଯୋଗ ହୋଇପାରି ନାହିଁ। ଅନ୍ୟପକ୍ଷରେ ରାଜ୍ୟର ନିଜସ୍ବ ଯୋଜନା ଅର୍ଥ ଖର୍ଚ୍ଚ ହାର ବଢ଼ିଛି। ଗତ ୪ମାସ ମଧ୍ୟରେ ରାଜ୍ୟ ବଜେଟର ପ୍ରାୟ ୧୯ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି। ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାର ବହୁବିଧ ଯୋଜନା ପ୍ରଣୟନ କରିବା ସହିତ ତା’ର ସଫଳ ରୂପାୟନ ଲାଗି ଉଦ୍ୟମ ଅବ୍ୟାହତ ରଖିଛନ୍ତି। ହେଲେ ବାସ୍ତବକ୍ଷେତ୍ରରେ ଅଧିକାରୀମାନେ ଠିକଣା ସମୟରେ ଖର୍ଚ୍ଚ କରୁ ନଥିବା ନିକଟରେ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଭାଗସ୍ତରୀୟ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ସମୀକ୍ଷା ବୈଠକରୁ ଜଣାଯାଇଛି।
ବୈଠକର ତଥ୍ୟ ଅନୁଯାୟୀ, ଚଳିତବର୍ଷ ରାଜ୍ୟ ବଜେଟରେ ୧୦ଟି ବିଭାଗର କେନ୍ଦ୍ରୀୟ ଯୋଜନା ବାବଦକୁ ୩୭୧.୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସେଥିମଧ୍ୟରୁ ଜୁଲାଇ ମାସ ସୁଦ୍ଧା ମାତ୍ର ୧୮.୭୮କୋଟି ଟଙ୍କା ଖର୍ଚ୍ଚ ହୋଇଛି। କେନ୍ଦ୍ରୀୟ ଯୋଜନାରେ ଗୃହ ବିଭାଗ ପକ୍ଷରୁ ୧୨.୭୨କୋଟି ଟଙ୍କାର ପ୍ରସ୍ତାବ ରହିଥିବାବେଳେ ରାଜସ୍ବ ବିଭାଗର ୫୫କୋଟି, ଆଇନ ବିଭାଗର ୧୦.୩୬କୋଟି, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସର୍ବାଧିକ ୧୪୦କୋଟି, ସ୍ବାସ୍ଥ୍ୟ ବିଭାଗର ୪୮ କୋଟି, ଯୋଜନା ଓ ସଂଯୋଜନା ବିଭାଗର ୪୪.୨୫କୋଟି ବାଣିଜ୍ୟ ଓ ପରିବହନ ବିଭାଗର ୪୦କୋଟି ଟଙ୍କା ରହିଥିଲା। ହେଲେ ଜୁଲାଇ ସୁଦ୍ଧା ଆଇନ ବିଭାଗ କେବଳ ୧.୩୩କୋଟି ଟଙ୍କା ବିନିଯୋଗ କରିଥିବାବେଳେ ଯୋଜନା ଓ ସଂଯୋଜନା ବିଭାଗ ୧୫.୬୮କୋଟି ଓ ପରିବହନ ବିଭାଗ ୧.୫୩କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି କେନ୍ଦ୍ରୀୟ
ପ୍ରବର୍ତ୍ତିତ ଯୋଜନା(ସିଏସଏସ) ବାବଦକୁ ଓଡ଼ିଶା ବଜେଟରେ ୩୫ହଜାର ୮୩୮ କୋଟି ଟଙ୍କା ବ୍ୟୟବରାଦ ରହିଥିବାବେଳେ ଜୁଲାଇ ସୁଦ୍ଧା ୬ହଜାର ୧୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଯୋଜନାରେ ଗୃହ ବିଭାଗ ଲାଗି ୪୦୭.୬୧ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରହିଥିବାବେଳେ ବିଭାଗ ଖର୍ଚ୍ଚ କରିନାହିଁ। ଆଇନ ବିଭାଗ ୧୮.୩୫କୋଟି ଟଙ୍କା ମଧ୍ୟରୁ ୪.୮୫କୋଟି ଟଙ୍କା ବିନିଯୋଗ କରିଛି। ପୂର୍ତ୍ତ ବିଭାଗ ୭୨୦କୋଟି ଟଙ୍କା ମଧ୍ୟରୁ ୧୧୫.୦୪ କୋଟି ଟଙ୍କା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୪୮୦୦କୋଟିରୁ ମାତ୍ର ୧୦୮ କୋଟି, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୧୨୧୫ କୋଟିରୁ ୧୩୦.୪୦ କୋଟି, ସ୍ବାସ୍ଥ୍ୟ ବିଭାଗ ୨୨୮୮ କୋଟି ଟଙ୍କା ମଧ୍ୟରୁ ୧୦୨୧.୬୮କୋଟି, ନଗର ଉନ୍ନୟନ ବିଭାଗ ୧୮୪୪ କୋଟିରୁ ୩୭୨କୋଟି, ପଞ୍ଚାୟତିରାଜ ୧୩ହଜାର ୭୫୦କୋଟି ଟଙ୍କା ମଧ୍ୟରୁ ୮୮୦.୫୪କୋଟି, ପୂର୍ତ୍ତ ବିଭାଗ ୨୧୧୭କୋଟି ଟଙ୍କା ମଧ୍ୟରୁ ୬୯୪.୬୦କୋଟି, କୃଷି ବିଭାଗ ୧୪୬୯ କୋଟି ମଧ୍ୟରୁ ୩୮.୪୭କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ୧୫୫୦କୋଟି ଟଙ୍କା ମଧ୍ୟରୁ ୧୧୧୪କୋଟି, ମତ୍ସ୍ୟ ଓ ପଶ୍ୁସମ୍ପଦ ବିଭାଗର ୩୦୦କୋଟି ଟଙ୍କାରୁ ୪.୩୭କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ୨୫୪୧କୋଟି ଟଙ୍କା ମଧ୍ୟରୁ ୮୪୭ କୋଟି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ୧୩୬୦କୋଟିରୁ ୨୨୧କୋଟି ଟଙ୍କା ବିନିଯୋଗ କରିପାରିଛି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନା ଖର୍ଚ୍ଚ ହାର ବଢ଼ିଛି। ରାଜ୍ୟ ବଜେଟରେ ଚଳିତବର୍ଷ ଲାଗି ରାଜ ସରକାରଙ୍କ ନିଜସ୍ବ ଉତ୍ସରୁ ୯୩ହଜାର ୫୩୭.୩୧କୋଟି ଟଙ୍କା କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ କରିବାକୁ ରହିଥିବାବେଳେ ୪ମାସ ମଧ୍ୟରେ ୧୭ହଜାର ୮୩୨କୋଟି ଟଙ୍କା ବିନିଯୋଗ ହୋଇପାରିଛି। ବଜେଟ ଅର୍ଥ ଖର୍ଚ୍ଚ କରିବାରେ ସ୍ବାସ୍ଥ୍ୟ ବିଭାଗ ସର୍ବାଧିକ ୨୯୬୮ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପୂର୍ତ୍ତ ବିଭାଗ ୨୬୪୦ କୋଟି ଟଙ୍କା ଖର୍ଚ୍ଚ କରିଛି। ହେଲେ ସାଧାରଣ ପ୍ରଶାସନ, ବାଣିଜ୍ୟ ଭଳି କେତେକ ବିଭାଗରେ ପଛରେ ଅଛନ୍ତି।
Comments are closed.