ମାନବ କଲ୍ୟାଣରେ ଉନ୍ନତ ଜ୍ଞାନକୌଶଳ ଉପଯୋଗ ହେଉ – ରାଜ୍ୟପାଳ
ଭୁବନେଶ୍ୱର: ବିଜ୍ଞାନ ଓ କାରିଗରୀ କୌଶଳ ଅନ୍ଧକାର ଦୂର କରେ। ମନରେ ଉତ୍ସାହ ଆଣେ, ଆମ ଜୀବନକୁ ସରଳ କରିଥାଏ। ତେବେ ସମଗ୍ର ମାନବଜାତି ବର୍ତ୍ତମାନ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ଦିଗରେ ବୈଜ୍ଞାନିକଙ୍କ ସମ୍ମୁଖରେ ବଡ଼ ଆହ୍ବାନ ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି।
ଗୁରୁବାର ସିଏସ୍ଆଆଇଆର-ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍ଏମ୍ଟି)ର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ କହିଥିଲେ ଯେ ମାନବ ଶରୀର ହେଉଛି ଖଣିର ଉତ୍ସ। ପଞ୍ଚ ତତ୍ତ୍ବକୁ ନେଇ ସୃଷ୍ଟି ହୋଇଥିବା ଆମର ଏହି ଶରୀରରେ ସମସ୍ତ ଖଣିଜ ଉପାଦାନ ଭରି ରହିଛି। ଠିକ୍ ସେହିପରି ବିଶ୍ବବ୍ରହ୍ମାଣ୍ଡରେ ଖଚିତ ଖଣିଜ ସମ୍ପଦ ଜୀବଜଗତର ହିତ ଉଦ୍ଦେଶ୍ୟରେ ବ୍ୟବହାର ହେବା ଉଚିତ। ଖଣି ଭିତରେ ଲୁଚି ରହିଥିବା ଖଣିଜ ସମ୍ପଦକୁ ବୈଜ୍ଞାନିକ ଉପାୟରେ ଅଲଗା କରାଯାଇ ବହୁବିଧ ସମସ୍ୟାର ନିରାକରଣ ପାଇଁ ବ୍ୟବହାର ହେବା ଜରୁରୀ। ଶକ୍ତି ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଗବେଷଣା ହେବା ଉଚିତ। ତତ୍ସଙ୍ଗେ ପରିବେଶ ଓ ଜୈବ ବିବିଧତାର ସୁରକ୍ଷା କରିବା ମଧ୍ୟ ବୈଜ୍ଞାନିକଙ୍କ ପାଇଁ ଏକାନ୍ତ ଆବଶ୍ୟକ। ଆମ ସମାଜକୁ ଏକ ସୁସ୍ଥ ବାତାବରଣ ପ୍ରଦାନ କରିବାରେ ଜ୍ଞାନକୌଶଳର ବିନିଯୋଗ ହେବା ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ।
Comments are closed.