କ୍ରସର ବିରୋଧି ଗଣଧାରଣା ; ଧାରଣାସ୍ଥଳରେ ପାଠପଢିଲେ ଛାତ୍ରଛାତ୍ରୀ
ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଚାଲିଥିବା କ୍ରସର ବିରୋଧି ଗଣଧାରଣାକୁ ସୋମବାର ସାତଦିନ ପୂରିଛି । କ୍ରସର, ପଥର କୁଆଁରୀ ହଟାଅ ଦାବିକରି ଗ୍ରାମବାସୀ ଆନ୍ଦୋଳନ ଜାରି ରଖିଛନ୍ତି। ଅନ୍ୟପଟେ ଧାରଣାରେ ସାମିଲ ହୋଇଥିବା ପିଲାମାନେ ସ୍କୁଲ ନଯାଇ ଆଜି ଧାରଣସ୍ଥଳରେ ବସି ପାଠପଢୁଥିବା ଦେଖିବାକୁ ମିଳିଛି । ସ୍କୁଲ ବର୍ଜ୍ଜନ ଯୋଗୁଁ ପିଲାଙ୍କ ପାଠପଢା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ଛାତ୍ରଛାତ୍ରୀଙ୍କ ପ୍ରତୀକ ଗଣଧାରଣା ଯୋଗୁଁ ପିଲାଙ୍କ ଭବିଷ୍ୟତ ନଷ୍ଟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଆନ୍ଦୋନକାରୀଙ୍କ ମଧ୍ୟରେ ଦୁଇ ଦୁଇଥର ଆଲୋଚନା ମଧ୍ୟ ବିଫଳ ହୋଇସାରିଛି ।ଏହାପରେ ମଧ୍ୟ ଆନ୍ଦୋଳନକାରୀ ଏବଂ କୁନି କୁନି ପିଲାଙ୍କ ଭବିଷ୍ୟତ ଏବଂ ସୁରକ୍ଷା ପ୍ରତି ଦାୟିତ୍ୱବୋଧ ରହିଥିବା ରାଜନେତା ତଥା ସ୍ଥାନୀୟ ବିଧାୟକ ଆଦୌ ଚିନ୍ତାପ୍ରକଟ ନକରିବା ଘଟଣା ସାଧାରଣ ଲୋକଙ୍କ ମନକୁ କୁଠାରଘାତ କରିଛି। ଯାହାଫଳରେ ଆନ୍ଦୋଳନକାରୀଙ୍କ ରୋଷ ବୃଦ୍ଧି ପାଉଛି। ସବୁଠାରୁ ଆଶ୍ଚର୍ଯ୍ୟ କଥାହେଲା ଧାରଣାସ୍ଥଳ ସମ୍ମୁଖରେ ଶରାଡିଖୋଲ ପର୍ଯ୍ୟଟନ ପାଇଁ ଲାଗିଥିବା ଏକ ଲୁହା ସୂଚନାଫଳକକୁ ଗତରାତିରେ କେହି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି । ଶରାଡିଖୋଲ ପର୍ଯ୍ୟଟନକୁ ଯିବା ରାସ୍ତା ଉପରେ ପଥର କୁଆଁରୀ, କ୍ରସର କମ୍ପାନୀ ସେହି ସମାନ ରାସ୍ତାରେ ନିର୍ଭର କରୁଛନ୍ତି । ତେଣୁ ପ୍ରଶାସନକୁ ଅନ୍ଧାରରେ ରଖିବା ପାଇଁ ଲାଗିଥିବା ପର୍ଯ୍ୟଟନ ସୂଚନା ଫଳକ କେହି ଭାଙ୍ଗିଦେଇଥିବା ଆନ୍ଦୋଳନକାରୀ ଅଭିଯୋଗ ଉଠାଇଛନ୍ତି । ସବୁଦୃଷ୍ଟିକୋଣରୁ ବିଚାର ବିମର୍ଷ କରାଯାଇ ରାଜନେତା, ଜିଲ୍ଲାପ୍ରଶାସନ, ପୁଲିସ ପ୍ରଶାସନ, ସ୍ୱେଛାସେବୀ ସଂସ୍ଥା ଏବଂ ବୁଦ୍ଧିଜୀବିଙ୍କୁ ନେଇ ଏକ କମିଟି ଗଠନ କରାଯିବାର ଆବଶ୍ୟକତା ରହିଛି ।ଅତିଶୀଘ୍ର ଆନ୍ଦୋଳନକୁ ବନ୍ଦ କରି କୋମଳମତି ଶିଶୁଙ୍କ ଭବିଷ୍ୟତ ସୁରକ୍ଷା କରିବା ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ଏ ଦିଗରେ ୫-ଟି ସଚିବ, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିପଡିବା ଜରୁରୀ ହୋଇପଡିଛି ।
Comments are closed.