ଅଶୋଧିତ ତୈଳ ଦର ୧୦୦ ଡଲାର ତଳକୁ ଖସିଲା
ତୈଳ ଦର ହ୍ରାସ ପାଇବା ଆଶା
ଲଣ୍ଡନ : ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ତଳକୁ ଖସିଛି। ସୋମବାର ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩.୯୩ ଡଲାର ବା ୩.୮% ହ୍ରାସ ପାଇ ୯୮.୮୫ ଡଲାର ହୋଇଛି। ସେହିପରି ୱେଷ୍ଟ ଟେକ୍ସାସର ଇଣ୍ଟରମିଡିଏଟ୍ କ୍ରୁଡ୍ ଅଏଲର ଦର ୪.୩% ହ୍ରାସ ପାଇ ୯୪.୦୭ ଡଲାରରେ ପହଞ୍ଚିଛି । ଚୀନରେ କରୋନା ଭୂତାଣୁ ସଂକ୍ରମଣ ଜନିତ ତାଲାବନ୍ଦ ଯୋଗୁଁ ତୈଳ ଦର ହ୍ରାସ ପାଇଛି। ଚୀନର ତାଲାବନ୍ଦ ଯୋଗୁଁ ତୈଳ ଚାହିଦା ହ୍ରାସ ପାଇଛି। ତେଣୁ ଅଶୋଧିତ ତୈଳ ଓ ତୈଳ ସାମାଗ୍ରୀର ବିକ୍ରି ବୃଦ୍ଧି ନିମନ୍ତେ ଏହାର ଦର ହ୍ରାସ କରାଯାଇଛି। ବ୍ୟାଙ୍କ ଅଫ ଆମେରିକା ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ରେଣ୍ଡ କ୍ରୁଡ୍ ଅଏଲ୍ର ହରାହାରି ଦର ୧୦୨ ଡଲାର ଧାର୍ଯ୍ୟ କରାଯିବା ସତ୍ତ୍ବେ ଏହାର ମୂଲ୍ୟ ହ୍ରାସ ପାଇଛି। ସେହିପରି ସୁଇସ୍ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଏହାର ବ୍ରେଣ୍ଟ କ୍ରୁଡ୍ ଅଏଲ ମୂଲ୍ୟ ୧୧୫ ଡଲାର ଧାର୍ଯ୍ୟ କରିଥିଲା। ଭାରତରେ ତୈଳ ଦର ନିୟମିତ ବୃଦ୍ଧି ପାଇ ଚାଲିଥିବାବେଳେ ଆନ୍ତର୍ଜାତିକ ବଜାର ଦର ହ୍ରାସ ଯୋଗୁଁ ଏଥିରୁ ଆଶ୍ବସ୍ତ ମିଳିବା ଆଶା କରାଯାଇଛି। ଆଗାମୀ ଦିନରେ ଭାରତରେ ତୈଳ ଦର ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଆନ୍ତର୍ଜାତିକ ଶକ୍ତି ଏଜେନ୍ସି (ଆଇଇଏ)ର ସଦସ୍ୟ ରାଷ୍ଟ୍ରଗୁଡିକର ଘୋଷଣା ଅନୁଯାୟୀ ଆସନ୍ତା ୬ମାସ ମଧ୍ୟରେ ଏହା ୬୦ ନିୟୁତ ବ୍ୟାରେଲ ତୈଳ ରପ୍ତାନି କରିବେ। ଆମେରିକା ମଧ୍ୟ ୧୮୦ ନିୟୁତ ବ୍ୟାରେଲ ତୈଳ ରପ୍ତାନି କରିବାକୁ ଘୋଷଣା କରିଛନ୍ତି।
ଅନ୍ୟପଟେ ଭାରତରେ ତୈଳ ଆବଶ୍ୟକତା ବୃଦ୍ଧି ପାଇଛି। ଗତ ମାର୍ଚ୍ଚରେ ଭାରତରେ ସର୍ବାଧିକ ପରିମାଣର ପଟ୍ରୋଲ ବ୍ୟବହାର ହୋଇଛି । ମାର୍ଚ୍ଚ ମାସରେ ଭାରତର ପେଟ୍ରୋଲ ବ୍ୟବହାର ଗତ ୩ବର୍ଷର ରେକର୍ଡ ଭାଙ୍ଗିଛି । କରୋନା ମହାମାରୀ ପରେ ଭାରତର ଅର୍ଥନୀତି ଓ ସାଧାରଣ ଜୀବନଯାତ୍ରା ଗତିଶୀଳ ହୋଇଥିବାରୁ ପେଟ୍ରୋଲର ବ୍ୟବହାର ବୃଦ୍ଧି ପାଇଛି। ଗତ ମାର୍ଚ୍ଚରେ ଭାରତରେ ୧୯.୪୧ ନିୟୁତ ଟନ ପେଟ୍ରୋଲ ବ୍ୟବହାର ହୋଇଛି। ଯାହା ପୂର୍ବବର୍ଷ ତୁଳନାରେ ୪.୨% ଅଧିକ। ଭାରତ ବିଶ୍ବର ତୃତୀୟ ବୃହତ ତୈଳ ଆମଦାନୀକାରୀ ରାଷ୍ଟ୍ର।
Comments are closed.