ରିଙ୍ଗ ରୋଡ ପାର୍ଶ୍ୱରେ ସାଧାରଣ ଲୋକ ଖୋଲାରେ ଶୌଚ ନ କରିବା ପାଇଁ  ଜଗିବେ ସିଆର୍‌ପିଏଫ୍‌ ଯବାନ

0

ସମ୍ବଲପୁର :   ସମ୍ବଲପୁର ଜିଲା ପ୍ରଶାସନ ଏବେ ରିଙ୍ଗ ରୋଡ ଚାରି ପାଖରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ତତ୍ପର ହୋଇ ପଡିଛି । ହେଲେ ରିଙ୍ଗ ରୋଡକୁ  ଲାଗିଥିବା ମହାନଦୀ ପଠାରେ କିଛି ଲୋକ ଖୋଲାରେ ଶୌଚ କରି ପରିବେଶ ଦୂଷିତ କରୁଛନ୍ତି । ସ୍ୱଚ୍ଛ୍ ଭାରତ ଅଭିଯାନରେ ପୌରସଂସ୍ଥା ଓ କିଛି ସ୍ୱେଚ୍ଛାସେବୀ ସଂଗଠନ କାମରେ ବି ଲାଗିଥିଲେ । ହେଲେ ତାହା ଫଳ ପ୍ରଦ ହୋଇ ପାରି ନାହିଁ । ଏବେ ଲୋକଙ୍କୁ ଖୋଲାରେ ଶୌଚ କରିବା ବନ୍ଦ କରିବା ପାଇଁ ପ୍ରଶାସନ ସିଆରପିଏଫ୍‌ ଯବାନ୍‌ଙ୍କର  ସହାୟତା ନେଇଛି ।

ସିଆରଫିଏଫ୍‌ ଯବାନ ଏବେ ଏଠାରେ ପହରା ଦେବେ । ବୁଧବାର ସକାଳେ ସମ୍ବଲପୁର ଜିଲାପାଳ ସମର୍ଥ ବର୍ମା ସୁରକ୍ଷା କର୍ମୀଙ୍କ ସହ ରିଙ୍ଗ ରୋଡ୍‌ରେ ବୁଲି ଲୋକଙ୍କୁ ଖୋଲାରେ ଶୌଚ ନ ହେବା ପାଇଁ ବୁଝାଇଥିଲେ । ଏହା ସହ ପୁଣି ଏପରି କାମ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ତାଗିତ କରିଥିଲେ । ମହାନଦୀ କୂଳରେ ଶୌଚ ହେଲେ ଜରିମାନା ଆଦାୟ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ମହାନଦୀ କୂଳରେ ନୂଆକରି ଶୌଚାଳୟ ନିର୍ମାଣ କରାଯାଇଛି । ଏହାକୁ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । କିଛି ଅଞ୍ଚଳରେ ଶୌଚଳୟ ନ ଥିବାରୁ ସେଠାରେ ତୁରନ୍ତ ଶୌଚାଳୟ ନିର୍ମାଣ କରିବା ପାଇଁ ଜିଲାପାଳ ପୌରସଂସ୍ଥା ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି । ପୌରସଂସ୍ଥାର ୧୫ ଜଣ କର୍ମଚାରୀ, ସିଆରପିଏଫର ୧୫ ଜଣ ଯବାନ ଓ ୩୦ ଜଣ ସ୍ୱେଚ୍ଛାସେବୀ ଭୋର ୫ଟାରୁ ରିଙ୍ଗ ରୋଡ ରେ ବୁଲି ବୁଲି ମହାନଦୀ କୂଳରେ ଶୌଚ କରୁଥିବା ଲୋକଙ୍କୁ ହୁଇସିଲ ମାରି ମନା କରିବା ସହ ସେମାନଙ୍କୁ ରିଙ୍ଗ ରୋଡ କଡ ରେ ନୁତନ ଭାବରେ ନିର୍ମିତ ହୋଇଥିବା ଶୌଚାଳୟ ଗୁଡିକୁ ବ୍ୟବହାର କରିବା ପାଇଁ ସଚେତନ କରାଉଛନ୍ତି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ପୌରସଂସ୍ଥା କର୍ମଚାରୀଙ୍କୁ ସିଆରପିଏଫ୍‌ ଯବାନ ଏହି କାମରେ ସହାୟତା ପ୍ରଦାନ କରିବେ । ଉତ୍ତମ ପରିବେଶ ସହ ଖୋଲାରେ ଶୌଚ ନ ହେବା ପାଇଁ ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣ ଲୋକ ସ୍ୱାଗତ କରିଛନ୍ତି ।

Leave A Reply