କ୍ରିକେଟ୍‍ ମ୍ୟାଚ୍‍ ପୂର୍ବରୁ ପଡ଼ିବନି ଟସ୍‍!

0

ନୂଆଦିଲ୍ଲୀ :  କ୍ରିକେଟ୍‍ ମ୍ୟାଚ୍‍ ଆରମ୍ଭ ହେବା ପୂର୍ବରୁ କେଉଁ ଦଳ ପ୍ରଥମେ ବ୍ୟାଟିଂ କରିବ ସେ ସଂପର୍କରେ ନିଷ୍ପତ୍ତି ନେବାକୁ ଟସ୍‍ ପକାଯାଇଥାଏ। ତେବେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଟେଷ୍ଟ ଚମ୍ପିଆନ୍‍ସିପ ସମୟରେ ଟସ୍‍ ପକାଯିବା ପ୍ରଥାକୁ ହଟାଇ ଦେଇପାରେ ଆଇସିସି। ଟେଷ୍ଟ ଚମ୍ପିଆନ୍‍ସିପ୍‍ରେ ଟସ୍‍ ପକାଯିବ କି ନାହିଁ ସେ ସଂପର୍କରେ ନିଷ୍ପତ୍ତି ନେବାକୁ ଆସନ୍ତା ୨୮ ଓ ୨୯ରେ ମୁମ୍ବଇରେ ଆୟୋଜିତ ହେବାକୁ ଥିବା ଆଇସିସି କ୍ରିକେଟ୍‍ କମିଟି ବୈଠକରେ ଆଲୋଚନା ହେବ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଦୁଇ ଦେଶ ମଧ୍ୟରେ ଟେଷ୍ଟ ମ୍ୟାଚ୍‍ ଖେଳାଯିବା ସମୟରେ ଘରୋଇ ଦଳ ନିଜ ପସନ୍ଦ ଅନୁଯାୟୀ ପିଚ୍‍ ପ୍ରସ୍ତୁତ କରନ୍ତି। ଫଳରେ ଭ୍ରମଣକାରୀ ଦଳକୁ ଘରୋଇ ଦଳ ହରାଇବାରେ ସହଜ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ମ୍ୟାଚ୍‍ ଆରମ୍ଭ ପୂର୍ବରୁ ଟସ୍‍ ନ ପକାଯାଇ ଭ୍ରମଣକାରୀ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ଦେବାକୁ କେତେକ ପୂର୍ବତନ କ୍ରିକେଟ୍‍ର ମତ ଦେଇଛନ୍ତି। ଯଦି ଘରୋଇ ଦଳ ବ୍ୟାଟିଂ ପିଚ୍‍ ପ୍ରସ୍ତୁତ କରିଥାନ୍ତି ତେବେ ପ୍ରଥମେ ବ୍ୟାଟିଂ କରିବା ଫଳରେ ଭ୍ରମଣକାରୀ ଦଳ ଏହାର ଫାଇଦା ଉଠାଇ ପାରିବ। ସୂଚନାଥାଉକି ୨୦୧୬ କାଉଣ୍ଟି ଚମ୍ପିଆନ୍‍ସିପରେ ମ୍ୟାଚ୍‍ ପୂର୍ବରୁ ଟସ୍‍ ପକାଯାଇନଥିଲା। ସେହିପରି ଭାରତରେ ମଧ୍ୟ ଘରୋଇ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ଟସ୍‍ ନ ପକାଯିବାକୁ ପ୍ରସ୍ତାବ ଥିଲା, ମାତ୍ର ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଆଇସିସି କ୍ରିକେଟ୍‍ କମିଟିରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଓ ପ୍ରଶିକ୍ଷକ ଅନୀଲ କୁମ୍ବଲେ, ଆଣ୍ଡ୍ରୁ ଷ୍ଟ୍ରାସ୍‍, ମାହେଲା ଜୟବର୍ଦ୍ଧନେ, ରାହୁଲ ଦ୍ରାବିଡ଼, ନ୍ୟୁଜିଲାଣ୍ଡ କ୍ରିକେଟ୍‍ ଆସୋସିଏସନ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେଭିଡ୍‍ ହ୍ୱାଇଟ୍‍, ଅମ୍ପାୟାର ରିଚାର୍ଡ କେଟେଲବର୍ଗ, ଆଇସିସି ମ୍ୟାଚ୍‍ ରେଫରୀ ରଞ୍ଜନ ମଧୁଗଲେ, ସନ୍‍ ପୋଲକ୍‍ ଓ କ୍ଲାରା କର୍ଣ୍ଣର ପ୍ରମୁଖ ସଦସ୍ୟ ଅଛନ୍ତି। ବୈଠକ ପରେ ଟେଷ୍ଟ ଚମ୍ପିଆନ୍‍ସିପରେ ମ୍ୟାଚ୍‍ ଆରମ୍ଭ ପୂର୍ବରୁ ଟସ୍‍ ପକାଯିବ କି ନାହିଁ ତାହା ସ୍ପଷ୍ଟ ହୋଇଯିବ।

Leave A Reply