ଆହତ ବୁମ୍ରାଙ୍କ ସ୍ଥାନରେ ସାର୍ଦ୍ଦୁଳ
ଲଣ୍ଡନ : ଚଳିତମାସ ୧୨ରୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବିସିସିଆଇ ପକ୍ଷରୁ ଶୁକ୍ରବାର ଆହତ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ସାର୍ଦ୍ଦୁଳ ଠାକୁରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଆଘାତ ପାଇଥିବା କାରଣରୁ ବୁମ୍ରା ଓ ୱାଶିଂଟନ ସୁନ୍ଦର ଏହି ଦିନିକିଆ ସିରିଜରୁ ବାଦପଡିଥିଲେ। ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ସ୍ପିନର ଅକ୍ଷର ପଟେଲଙ୍କୁ ପୂର୍ବରୁ ବଦଳ ଖେଳାଳି ଭାବେ ସାମିଲ କରାଯାଇଛି। ଆୟରଲାଣ୍ଡ ବିପକ୍ଷରେ ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚ ଖେଳୁଥିବାବେଳେ ବୁମ୍ରାଙ୍କ ହାତ ଆଙ୍ଗୁଠି ଭାଙ୍ଗିଯାଇଥିଲା। ବୁଧବାର ଲିଡ୍ସସ୍ଥିତ ଏକ ଡାକ୍ତରଖାନାରେ ବୁମ୍ରାଙ୍କ ଆଙ୍ଗୁଠିରେ ଅସ୍ତ୍ରୋପଚାର କରାଯାଇଛି। ଜୁଲାଇ ୧୨ରେ ପ୍ରଥମ ଦିନିକିଆ ନଟିଂହାମ୍ରେ ଖେଳାଯାଉଥିବାବେଳେ ୧୪ରେ ୨ୟ ଦିନିକିଆ ଲଣ୍ଡନରେ ଓ ୧୭ରେ ତୃତୀୟ ତଥା ଅନ୍ତିମ ଦିନିକିଆ ଲିଡ୍ସରେ ଖେଳାଯିବ। ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ରୋହିତ ଶର୍ମା, ଲୋକେଶ ରାହୁଲ, ଶ୍ରେୟସ ଆୟାର, ସୁରେଶ ରୈନା, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), ଦିନେଶ କାର୍ତ୍ତିକ, ୟୁଜ୍ବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ସାର୍ଦ୍ଦୁଳ ଠାକୁର, ହାର୍ଦ୍ଦିକ ପାଣ୍ଡ୍ୟା, ସିଦ୍ଧାର୍ଥ କାଉଲ ଓ ଉମେଶ ଯାଦବ।