www.samajalive.in
Sunday, December 14, 2025
23.1 C
Bhubaneswar

ସାମ୍ପ୍ରଦାୟିକ ଫାସିବାଦ- କେନ୍ଦ୍ର ଓ ରାଜ୍ୟର ଜନବିରୋଧୀ ନୀତି ବିରୋଧରେ ସିପିଆଇର ବିକଳ୍ପ ସମାବେଶ

ଭୁବନେଶ୍ୱର:ସାମ୍ପ୍ରଦାୟିକ ଫାସିବାଦ, କେନ୍ଦ୍ର ସରକାରଙ୍କ ଗଣତନ୍ତ୍ର ବିରୋଧୀ, ଜନ ବିରୋଧୀ ନୀତି ଓ ରାଜ୍ୟ ସରକାରଙ୍କ କୁଶାସନ ବିରୋଧରେ ନୂଆ ଓଡ଼ିଶା ଗଠନ ପାଇଁ ସିପିଆଇ ବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାଜଧାନୀ ଭୁବନେଶ୍ୱରଠାରେ ଏକ ବିଶାଳ ‘ବିକଳ୍ପ ସମାବେଶ’ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ରାଜମହଲ ଛକଠାରୁ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ହଜାର ହଜାର ନରନାରୀ ଓ ବିଭିନ୍ନ ଗଣ ସଙ୍ଗଠନର କର୍ମୀ ଓ ନେତୃବର୍ଗଙ୍କର ଦଳୀୟ ଲାଲ୍ ପତାକା ଓ ଫେଷ୍ଟୁନ୍ ସୁଶୋଭିତ ଏକ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକ ଅତିକ୍ରମ କରି ସମାବେଶ ସ୍ଥଳରେ ପହଞ୍ଚିଥିଲା।

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ସିପିଆଇର ଜାତୀୟ ସମ୍ପାଦକ ଡଃ ଭାଲଚନ୍ଦ୍ର କାଙ୍ଗୋ ଉଦ୍ବୋଧନ ଦେଇ କହିଲେ- କେନ୍ଦ୍ର ବିଜେପି ସରକାର କାହା ସ୍ୱାର୍ଥରକ୍ଷା କରୁଛି ତାହା ପାର୍ଲାମେଣ୍ଟର ଘଟଣାବଳୀରୁ ଜଣାପଡ଼େ। ଆଦାନୀ କେଳେଙ୍କାରୀର ଜେପିସି ତଦନ୍ତ ଦାବିକୁ ଭଣ୍ଡୁର କରିବା ପାଇଁ ଶାସକ ବିଜେପି ପାର୍ଲାମେଣ୍ଟକୁ ଅଚଳ କରୁଛି। ମୋଦିଙ୍କ ୯ ବର୍ଷର ଶାସନରେ ଭୋକିଲା ମଣିଷଙ୍କ ସଂଖ୍ୟା ୩୫ କୋଟିରେ ପହଞ୍ଚିଥିବାବେଳେ ପୁଞ୍ଜିପତିମାନଙ୍କ ସମ୍ପତ୍ତି ୯୦ ଗୁଣ ବୃଦ୍ଧି ପାଇଛି। କେନ୍ଦ୍ର ସରକାର ଫାସିଷ୍ଟ ଆଦର୍ଶରେ ବିଶ୍ୱାସ କରୁଥିବା ସଂଘ ପରିବାର ଦ୍ୱାରା ପରିଚାଳିତ। ଏହି ସାମ୍ପ୍ରଦାୟିକ ଫାସିବାଦୀମାନେ ସରକାରଙ୍କ ପ୍ରୋତ୍ସାହନରେ ଦେଶ ସାରା ଘୃଣା ଓ ବିଦ୍ୱେଷର ମଞ୍ଜି ବୁଣିଚାଲିଛନ୍ତି ଏବଂ ଅନ୍ୟପକ୍ଷରେ କେନ୍ଦ୍ର ସରକାର ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ କ୍ଷୁଣ୍ଣ କରିବାରେ ଲାଗିିଛନ୍ତି। ଏହାର ପ୍ରତିକାର ପାଇଁ ସମସ୍ତ ବାମ ଗଣତାନ୍ତ୍ରିକ ଓ ଧର୍ମ ନିରପେକ୍ଷ ଶକ୍ତି ଐକ୍ୟବଦ୍ଧ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ।

- Advertisement -

ସମାବେଶର ପ୍ରାରମ୍ଭରେ ସିପିଆଇର ଜାତୀୟ ପରିଷଦ ସଭ୍ୟ କ୍ଷୀରୋଦ ସିଂହଦେଓ ପ୍ରାରମ୍ଭିକ ସୂଚନା ଦେବା ପରେ ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ ଉଦ୍ବୋଧନ ଦେଇ କହିଲେ- ବିପୁଳ ପ୍ରାକୃତିକ ସମ୍ପଦ ସତ୍ତେ୍ୱ ଓଡ଼ିଶା ଗରିବ ରାଜ୍ୟ। ଚାଷୀମାନେ ଧାନମଣ୍ଡିରେ ରାତି ଅନିଦ୍ରା ହୋଇ ଧାନ ବିକ୍ରି କରିପାରୁ ନାହାନ୍ତି। ଲକ୍ଷ ଲକ୍ଷ ଓଡ଼ିଆ ଯୁବକ କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି। ମହିଳା, ଶିଶୁ, ଦଳିତ ଓ ଆଦିବାସୀଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ଓଡ଼ିଆ ଆଗୁଆ। ଏଣୁ ଏସବୁର ପ୍ରତିକାର କରି ନୂଆ ଓଡ଼ିଶା ଗଠନ ପାଇଁ ୧୮ ଦଫା କର୍ମସୂଚୀ ଉପରେ ଆଜିର ଏ ବିକଳ୍ପ ସମାବେଶ ସଙ୍ଗଠିତ ହେଉଛି।

ସିପିଆଇର ଜାତୀୟ ପରିଷଦ ସଭ୍ୟ ଆଶିଷ କାନୁନ୍ଗୋ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ପ୍ରଶାନ୍ତ ମିଶ୍ର, ଅଶୋକ ଦାଶ, ପ୍ରଶାନ୍ତ ପାଟ୍ଟଯୋଷୀ, ଜୟନ୍ତ ଦାସ, ପ୍ରକାଶ ପାତ୍ର ଓ ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକ କହିଲେ- ବିଜେଡିର ନରମ ମନୋଭାବ ଫଳରେ ସାମ୍ପ୍ରଦାୟିକ ଶକ୍ତିମାନେ ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛନ୍ତି। ଏଣୁ “ବିଜେପି ହଟାଅ, ଦେଶ ବଞ୍ଚାଅ” ସହିତ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ମଧ୍ୟ ସଂଗ୍ରାମ ଚଳାଇବାକୁ ହେବ।

ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ଉତ୍କଳ ମହିଳା ସମିତିର ସାଧାରଣ ସମ୍ପାଦିକା ଜିନ୍ମୟୀ ସାହାଣୀ, ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁର ଜେନା, ଅଖିଳ ଭାରତ ଯୁବସଂଘର ରାଜ୍ୟ ସଭାପତି ପ୍ରଦୀପ ସେଠୀ ଓ ଏଆଇଏସଏଫର ରାଜ୍ୟ ସଭାପତି ସଂଘମିତ୍ରା ଜେନା ସମାବେଶରେ ଉଦ୍ବୋଧନ ଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ଯେଉଁ ୧୮ ଦଫା କର୍ମସୂଚୀ ଉପରେ ଏହି ରାଜ୍ୟସ୍ତରୀୟ ବିକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା, ସେସବୁ ମଧ୍ୟରେ- ଧାନ କୁଇଣ୍ଟାଲ ୩ହଜାର ଟଙ୍କା ଧାର୍ଯ୍ୟ କରିବା; ଭାଗଚାଷୀଙ୍କୁ ମାନ୍ୟତା; ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ସମସ୍ତ ଜମିକୁ ଜଳସେଚନ; ପଣ୍ୟ, ଜଙ୍ଗଲ ଓ କୃଷି ଭିତ୍ତିକ କାରଖାନା ପ୍ରତିଷ୍ଠା କରି ନିଯୁକ୍ତି ସୃଷ୍ଟି, କୁଟୀରଶିଳ୍ପକୁ ପ୍ରୋତ୍ସାହନ, ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ସମସ୍ତ ଯୁବକ-ଯୁବତୀଙ୍କୁ ଚାକିରି ନଚେତ୍ ବେକାରୀ ଭତ୍ତା; ଠିକା ପ୍ରଥା ବନ୍ଦ କରି ସ୍ଥାୟୀ କାମ ପାଇଁ ସ୍ଥାୟୀ ନିଯୁକ୍ତି ଓ ସମସ୍ତ ଶୂନ୍ୟସ୍ଥାନ ପୂରଣ; ସ୍କିମ୍ ୱାର୍କରମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା; ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା; ଶିକ୍ଷା ଓ ସ୍ୱାସ୍ଥ୍ୟର ବ୍ୟବସାୟୀକରଣ ବନ୍ଦ; ମୂଲିଆମାନଙ୍କୁ ବର୍ଷ ସାରା କାମ, ମନରେଗାରେ ଦୈନିକ ମଜୁରି ୭୦୦ ଟଙ୍କା; ୫୫ ବର୍ଷର ସମସ୍ତଙ୍କ ପାଇଁ ୫ ହଜାର ପେନସନ; ନାରୀ ନିର୍ଯାତନା ବନ୍ଦ ଓ ମହିଳାଙ୍କୁ ସମାନ ଅଧିକାର; ଦଳିତଙ୍କ ଉପରେ ଶୋଷଣ ଓ ଆକ୍ରମଣ ବନ୍ଦ; ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀଙ୍କ ଅଧିକାର; ଭୂମିହୀନ ଓ ଗରିବଙ୍କୁ ଦଖଲ ଜମିର ପଟ୍ଟା, ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରାଇବା; ଶ୍ରମିକ ବିରୋଧୀ ୪ ଲେବର କୋଡ୍ ଓ ନୂତନ ଶିକ୍ଷାନୀତି ବନ୍ଦ, ଦରଦାମ୍ ନିୟନ୍ତ୍ରଣ ପାଇଁ କଠିନ ପଦକ୍ଷେପ ଓ ସବୁଜପତ୍ରିକାଧାରୀଙ୍କୁ ୧ହଜାର ଭତ୍ତା ଅନ୍ତର୍ଭୁକ୍ତ।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories