ଆମେ ପ୍ରସ୍ତୁତ ? ବେଳ ହୁଁ ସଚେତନ ହେବା ଜରୁରୀ
ତୁଳନାତ୍ମକ ଭାବେ ଭାରତରେ କରୋନା ସଂକ୍ରମଣ ଏତେ ସଙ୍କଟଜନକ ହୋଇନଥିଲେ ହେଁ(ଏବେ ଷ୍ଟେଜ୍ ୨ରେ ରହିଛି) ଆଗୁଆ ପ୍ରତିକାର ବା ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଭାରତ ଓ ଓଡ଼ିଶା ସରକାର କରୋନାକୁ ‘ବିପତ୍ତି’ ଘୋଷଣା କରି ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଅବସରରେ ଏକ ଆଲୋଚନା ଆରମ୍ଭ ହୋଇଛି ଯେ କରୋନା ଯଦି ଚୀନ୍ ବଦଳରେ ଭାରତରୁ ସୃଷ୍ଟି ହୋଇଥା’ନ୍ତା ତେବେ ଅବସ୍ଥା କ’ଣ ହୋଇଥା’ନ୍ତା? ଏହି ଆଲୋଚନାକୁ ଆମ ଦେଶ ପ୍ରତି ଏକ ନକାରାତ୍ମକ ଭାବନା ବା ହୀନମନ୍ୟତା ଭାବେ ଅଭିହିତ କରି ନିନ୍ଦା କରାଯାଇପାରେ, କିନ୍ତୁ ଏଥିରେ ଯେ ବାସ୍ତବତା ପ୍ରତି ଏକ ସଙ୍କେତ ରହିଛି ତାହାକୁ ମଧ୍ୟ ଅସ୍ୱୀକାର କରାଯାଇନପାରେ। ଏହି ପରିପ୍ରେକ୍ଷୀରେ ଭାରତର ସ୍ୱାସ୍ଥ୍ୟ ସେବାର ବିଭିନ୍ନ ଅଙ୍ଗକୁ ଅନ୍ୟ ଦେଶ ସହିତ ତୁଳନାତ୍ମକ ଭାବେ ସମୀକ୍ଷା କରିବାର ପୁଣି ଥରେ ଅବକାଶ ସୃଷ୍ଟି ହୋଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଗତ ସପ୍ତାହ ଶେଷ ସୁଦ୍ଧା ବିଶ୍ୱର ୧୨୩ଟି ଦେଶରେ ୧,୩୨,୫୩୬ଟି କରୋନା ସଂକ୍ରମଣ ଘଟଣା ସାମ୍ନାକୁ ଆସିଛି। ସଂକ୍ରମିତଙ୍କ ମଧ୍ୟରୁ ୯୦% ଚୀନ୍, ଇଟାଲୀ, ଇରାନ୍, ଦକ୍ଷିଣ କୋରିଆ, ସ୍ପେନ୍, ଫ୍ରାନ୍ସ, ଜର୍ମାନୀ, ଆମେରିକା, ସ୍ୱିଜରଲ୍ୟାଣ୍ଡ, ଜାପାନ୍ ଆଦି ୧୦ଟି ଦେଶରେ ରହିଛନ୍ତି। ୨୦୧୭ ରେ ମିଳିଥିବା ତଥ୍ୟାନୁଯାୟୀ ଭାରତରେ ପ୍ରତି ୧୦୦୦ ଲୋକଙ୍କ ପାଇଁ ଚିକିତ୍ସକ ସଂଖ୍ୟା ହେଉଛି ୦.୮। ଅଥଚ ପାଖାପାଖି ସେହି ସମୟରେ ଏହି ଅନୁପାତ(ପ୍ରତି ୧୦୦୦ ଲୋକରେ ଡାକ୍ତର ସଂଖ୍ୟା) ସ୍ୱିଜରଲ୍ୟାଣ୍ଡ ଓ ଜର୍ମାନୀରେ ୪.୨, ଇଟାଲୀ ଓ ସ୍ପେନ୍ରେ ୪.୧, ଫ୍ରାନ୍ସରେ ୩.୨, ଆମେରିକାରେ ୨.୬, ଜାପାନ୍ ଓ ଦକ୍ଷିଣ କୋରିଆରେ ୨.୪, ଚୀନ୍ରେ ୧.୮(୨୦୧୫ ତଥ୍ୟ), ଇରାନ୍ରେ ୧.୧(୨୦୧୫ ତଥ୍ୟ)। ପ୍ରତି ୧୦୦୦ ରୋଗୀଙ୍କ ପାଇଁ ଡାକ୍ତରଖାନା ଶଯ୍ୟା ସଂଖ୍ୟା ଜାପାନ୍ରେ ୧୩.୪, ଦକ୍ଷିଣ କୋରିଆରେ ୧୦.୩, ଜର୍ମାନୀରେ ୮.୨, ଫ୍ରାନ୍ସରେ ୬.୬, ସ୍ୱିଜରଲ୍ୟାଣ୍ଡରେ ୪.୯, ଚୀନ୍ରେ ୩.୮, ଇଟାଲୀରେ ୩.୫, ସ୍ପେନ୍ରେ ୩.୧, ଆମେରିକାରେ ୨.୯, ଇରାନ୍ରେ ୧.୭ ଥିବା ବେଳେ ଭାରତରେ ତାହା ହେଉଛି ମାତ୍ର ୦.୭।
କରୋନା ସଂକ୍ରମଣକୁ ଯଥାସମ୍ଭବ ନିୟନ୍ତ୍ରଣ ଲାଗି ନିୟମିତ ହାତ ଧୋଇବା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଅଥଚ ବାସ୍ତବତା ହେଉଛି ଭାରତରେ ଜନସଂଖ୍ୟାର ପାଖାପାଖି ୬୦%ରୁ ଊର୍ଦ୍ଧ୍ବ ଗରିବୀ ସୀମାରେଖା ତଳେ ରହୁଥିବାବେଳେ ଅତ୍ୟାବଶ୍ୟକ ଚିକିତ୍ସା ସେବାରୁ ସେମାନେ ବଞ୍ଚିତ। ନିୟମିତ ହାତଧୋଇବା ବା ସଫାସୁତରା ମାନସିକତା ଦୂରେ ଥାଉ ସ୍ନାନ, ଶୌଚ ଆଦି ନିତ୍ୟକର୍ମ ପାଇଁ ମଧ୍ୟ ସେମାନେ ଅର୍ଥାଭାବରୁ ସାବୁନ୍ ବା ସେଭଳି କୀଟାଣୁନାଶକ ପଦାର୍ଥ ବ୍ୟବହାର କରନ୍ତି ନାହିଁ। ୨୦୧୭ରେ ପ୍ରକାଶିତ ଏକ ତଥ୍ୟାନୁଯାୟୀ ଗ୍ରାମୀଣ ଭାରତରେ ୫୦.୭%, ସହରାଞ୍ଚଳରେ ୨୦.୨% ଓ ସାମଗ୍ରିକ ଭାବରେ ଦେଶରେ ୪୦.୫% ଲୋକଙ୍କ ପାଖରେ ହାତ ଧୋଇବା ପାଇଁ ଆବଶ୍ୟକ ସୁବିଧା ସୁଯୋଗ ନାହିଁ। ଏତଦ୍ବ୍ୟତୀତ ବ୍ୟାପକ ସଚେତନତା ଓ ଆର୍ଥିକ ସହାୟତା ସତ୍ତ୍ବେ ଗ୍ରାମୀଣ ଭାରତବାସୀ ଏ ପର୍ଯ୍ୟନ୍ତ ଖୋଲାରେ ମଳତ୍ୟାଗ ଅଭ୍ୟାସକୁ ଛାଡ଼ି ପାରିନାହାନ୍ତି। ସେହିପରି ଜୋରିମାନା ସତ୍ତ୍ବେ ପାନ ଗୁଟ୍ଖା ଛେପରୁ ସର୍ବସାଧାରଣ ସ୍ଥାନ, ରାସ୍ତାଘାଟ, ନଦୀ, ପୋଖରୀ, କାର୍ଯ୍ୟାଳୟ ଏପରିକି ମନ୍ଦିର ଭଳି ପବିତ୍ର ସ୍ଥଳ ମଧ୍ୟ ପାନ ଓ ଗୁଟ୍ଖା ଛେପର ପ୍ରକୋପରୁ ବର୍ତ୍ତି ପାରୁନାହିଁ। କରୋନା ବା ସେହିଭଳି ଭୂତାଣୁଜନିତ ରୋଗ ତ ଏକ ସତର୍କ ଘଣ୍ଟି; ଦୂଷିତ ଜଳ ଓ ପରିବେଶ ଯୋଗୁଁ ମ୍ୟାଲେରିଆ ଓ ଭେକ୍ଟରବାହିତ ଓ ରକ୍ତହୀନତାଜନିତ ରୋଗରେ ମୃତ୍ୟୁ ଓ ଆକ୍ରାନ୍ତ ସଂଖ୍ୟା ଭାରତରେ କମ୍ ଉଦ୍ବେଗଜନକ ନୁହେଁ। ଏଥିପାଇଁ କେବଳ ଲୋକଙ୍କ କୁଅଭ୍ୟାସ ନ ବଦଳାଇବାର ମାନସିକତା ହିଁ ଦାୟୀ। ଏଭଳି ପରିସ୍ଥିତିରେ ସରକାରଙ୍କ ସଚେତନତା ଜରିଆରେ ସୁରକ୍ଷା ଲକ୍ଷ୍ୟ କେତେ ସଫଳ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ। ଯଦି ଉପରୋକ୍ତ ୧୦ଟି ରାଷ୍ଟ୍ରର ପରିସ୍ଥିତି ଭାରତରେ ସୃଷ୍ଟି ହୋଇଥା’ନ୍ତା ତେବେ ସ୍ଥିତି କେତେ ଭୟଙ୍କର ହୋଇଥା’ନ୍ତା ତାହା ସହଜେ ଅନୁମେୟ।
ସ୍ୱାସ୍ଥ୍ୟ ସେବା ପାଇଁ ସରକାରଙ୍କ ବ୍ୟୟବରାଦ ଓ ଯୋଜନା ମଧ୍ୟ ଉପରୋକ୍ତ ଦେଶ ତୁଳନାରେ ନୈରାଶ୍ୟଜନକ। ବିଶ୍ୱ ବ୍ୟାଙ୍କ ୨୦୧୬ରେ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବ୍ୟୟ ବରାଦ ହେଉଛି ମୋଟ ବଜେଟ୍ର ମାତ୍ର ୩.୧୪%। ଅଥଚ ସେହି ସମୟରେ ଚୀନ୍ରେ ସ୍ୱାସ୍ଥ୍ୟ ବଜେଟ୍ ମୋଟ ବଜେଟ୍ର ୯.୦୫%, ଇଟାଲୀରେ ୧୩.୪୭%, ଇରାନ୍ରେ ୨୨.୬%।
ଆଉ ଏକ ବିଡ଼ମ୍ବନା ହେଉଛି ଭାରତର ଟିକା, ଔଷଧ ଓ ଚିକିତ୍ସା ଉପକରଣ ଶିଳ୍ପ ପ୍ରାୟତଃ ଚୀନ୍ର କଞ୍ଚାମାଲ୍ ଉପରେ ନିର୍ଭରଶୀଳ। ଚୀନ୍ରେ ବିପତ୍ତି ଓ ବାଣିଜ୍ୟ କଟକଣା ଯଦି ଆଉ କିଛି ମାସ ଲାଗି ରହେ ତେବେ ଭାରତର ଔଷଧ ଶିଳ୍ପରେ ଗୁରୁତର ସଙ୍କଟ ସୃଷ୍ଟି ହେବା ନିଶ୍ଚିତ। ଭାରତରେ ନାପ୍କିନ୍, ଟିସୁ ପେପର, ଟଏଲଟ୍ ପେପର, ମାସ୍କ ଯୋଗାଣ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ନୁହେଁ। ସେ ସବୁ ପାଇଁ ମଧ୍ୟ ଚୀନ୍ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେଣୁ କୌଣସି ସ୍ୱାସ୍ଥ୍ୟସେବାଜନିତ ସଙ୍କଟ ସୃଷ୍ଟି ହେବା ମାତ୍ରେ ଔଷଧ ଓ ଚିକିତ୍ସା ସାମଗ୍ରୀର କଳାବଜାରୀ ସମସ୍ୟା ସୃଷ୍ଟି ହେଉଛି।
ବିପତ୍ତି ଆସିବା ପରେ ଯାଇ ନିରାକରଣ ଚିନ୍ତା କରିବା ବଦଳରେ ପୂର୍ବପ୍ରସ୍ତୁତି ଓ ସଚେତନତା ନିହାତି ଜରୁରୀ – ଏକଥା ଉଭୟ ସରକାର ଓ ଜନତା ଚିନ୍ତା କରିବାର ବେଳ ଆସିଛି। କେବଳ ସରକାରଙ୍କ ଉପରେ ନିର୍ଭର ନ କରି ନିଜେ ସଚେତନ ରହିଲେ ସଙ୍କଟକୁ ଅନେକାଂଶରେ ଦୂର କରିହେବ। ତେବେ ଏ ଦିଗରେ ସରକାରଙ୍କୁ ଆହୁରି ଅଧିକ ଦାୟିତ୍ୱବାନ ହେବା ସହିତ ଔଷଧ ଶିଳ୍ପରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ ଏବଂ ଚିକିତ୍ସା ସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ହେବ- କରୋନା ସଙ୍କଟରୁ ଅନ୍ତତଃ ଏହି ଶିକ୍ଷା ଲାଭ କରାଯାଇ ପାରିବ।
Comments are closed.