ପାଞ୍ଚ ରାଜ୍ୟର ସ୍ଥିତି ଗମ୍ଭୀର

ସଂକ୍ରମଣ ରୋକିବାରେ କେରଳ ବିଶ୍ବରେ ଶ୍ରେଷ୍ଠ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଭାରତର ୫ ରାଜ୍ୟରେ ସର୍ବାଧିକ କାୟା ବିସ୍ତାର କରିଛି। ଏହି ରାଜ୍ୟଗୁଡ଼ିକର ସ୍ଥିତି କେବଳ ସମ୍ପୃକ୍ତ ରାଜ୍ୟ ନୁହେଁ; କେନ୍ଦ୍ର ସରକାରଙ୍କର ମଧ୍ୟ ଚିନ୍ତା ବଢ଼ାଇଛି। କଥିତ ୫ ରାଜ୍ୟରେ ସଂକ୍ରମଣ ଯେତିକି ବ୍ୟାପିଛି ତାହା ସାରା ଦେଶର ପ୍ରାୟ ୫୯ପ୍ରତିଶତ। ଏତଦ୍‌ବ୍ୟତୀତ ମୋଟ ମୃତ୍ୟୁ ସଂଖ୍ୟାର ୬୪ପ୍ରତିଶତ ଓ ସୁସ୍ଥତାର ୪୫ପ୍ରତିଶତ ମଧ୍ୟ ଏହି ୫ ରାଜ୍ୟର ବୋଲି ପରିସଂଖ୍ୟାନରୁ ଜଣାପଡ଼ିଛି। ଉକ୍ତ ରାଜ୍ୟଗୁଡ଼ିକ ହେଉଛନ୍ତି ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ରାଜସ୍ଥାନ ଓ ତେଲଙ୍ଗାନା। ଏଗୁଡ଼ିକ କରୋନା ହଟ୍‌ ସ୍ପଟ୍‌ ବା ସମ୍ବେଦନଶୀଳ ଭାବେ ପରିଗଣିତ ହେଉଛି। ଗତ ଦୁଇ ସପ୍ତାହ ଧରି ଭାରତରେ କରୋନା କାୟା ବିସ୍ତାର କରିଚାଲିଥିବାବେଳେ ସମ୍ପ୍ରତି ଏହା ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପିଛି। ଦେଶର ମୋଟ ୭୧୮ରୁ ୩୧୮ ଜିଲା ଏହା କବଳରେ ପଡ଼ିଛି। ମହାରାଷ୍ଟ୍ରରେ କରୋନା ହୁ ହୁ ହୋଇ ମାଡ଼ିଚାଲିଥିବାବେଳେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩୬୪ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୯୭ ଛୁଇଁଛି। ଏଥିମଧ୍ୟରୁ ୧୨୫ ସୁସ୍ଥ ହୋଇ ଫେରିଛନ୍ତି। ସର୍ବାଧିକ ଚିନ୍ତାର କାରଣ ହୋଇଛି ଧରାବି ବସ୍ତି। ଏଠାରେ ୧୪ ସଂକ୍ରମିତ ହୋଇଥିବାବେଳେ ତିନିଜଣଙ୍କ ମୃତ୍ୟୁ ହୋଇଛି। ମୁମ୍ବଇ ମହାନଗର ନିଗମ ପକ୍ଷରୁ ଏଠାରେ ବାସ କରୁଥିବା ୧୫ଲକ୍ଷରୁ ଅଧିକ ବାସିନ୍ଦାଙ୍କର ଜଣଜଣ କରି କରୋନା ଯାଞ୍ଚ କରାଯିବ ବୋଲି ଘୋଷଣା କରାଯାଇଛି। ମହାରାଷ୍ଟ୍ରର ମୃତ୍ୟୁ ସଂଖ୍ୟା ସାରା ଦେଶର ସଂଖ୍ୟାର ୪୯ପ୍ରତିଶତ ଏବଂ ସୁସ୍ଥତା ହାର ମାତ୍ର ୯ ପ୍ରତିଶତ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ବୀକାର କରାଯାଇଛି।
ସେହିପରି ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୯୧୧ରେ ପହଞ୍ଚିଥିବାବେଳେ ଏହା ସର୍ବଭାରତୀୟ ସଂଖ୍ୟାର ୧୩ ପ୍ରତିଶତ। ସେହିଭଳି ରାଜ୍ୟରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨୧। ସପ୍ତାହକ ମଧ୍ୟରେ ରାଜ୍ୟର ସ୍ଥିତି ଖରାପ ହୋଇପଡ଼ିଛି। ଦିଲ୍ଲୀ ହେଉଛି ଦେଶର ତୃତୀୟ ସର୍ବାଧିକ ସଂକ୍ରମିତ ରାଜ୍ୟ। ଏଠାରେ ମୋଟ ୮୯୮ ସଂକ୍ରମିତ ହୋଇଥିବାବେଳେ ୧୩ଜଣଙ୍କ ମୃତ୍ୟୁ ହୋଇଛି ଓ ୨୫ଜଣ ସୁସ୍ଥ ହୋଇଛନ୍ତି। ସର୍ବଭାରତୀୟ ସଂଖ୍ୟା ତୁଳନାରେ ଏହାର ସଂକ୍ରମଣ ପରିମାଣ ୧୧ ପ୍ରତିଶତ ଓ ସୁସ୍ଥତା ହାର ୩.୧୩ ପ୍ରତିଶତ। ରାଜସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ୪୬୩ ଥିବାବେଳେ ଏହା ଭାରତର ୭.୨ ପ୍ରତିଶତ। ଏହି ରାଜ୍ୟରେ ମୃତ୍ୟୁ ସଂଖ୍ୟା ମାତ୍ର ୩ ଥିବାବେଳେ ୨୧ଜଣ ସୁସ୍ଥ ହୋଇଛନ୍ତି। ମାର୍ଚ୍ଚ ପ୍ରଥମ ସପ୍ତାହରେ ଏଠାରେ ପ୍ରଥମ ସଂକ୍ରମଣ ଠାବ କରାଯାଇଥିଲା। ସେହିଭଳି ତେଲଙ୍ଗାନାରେ ମୋଟ ୪୭୩ଜଣ ସଂକ୍ରମିତ ହୋଇଥିବାବେଳେ ୭ଜଣଙ୍କ ମୃତ୍ୟୁ ହୋଇଛି ଓ ୩୫ ସୁସ୍ଥ ହୋଇଛନ୍ତି।
ଅପରପକ୍ଷରେ କରୋନା ସଂକ୍ରମଣ ରୋକିବାରେ ସର୍ବାଧିକ ସଫଳତା ପାଇଛି ​କେରଳ। ଏହା କେନ୍ଦ୍ର ସରକାରଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ବିଶ୍ବରେ କରୋନାରୁ ସୁସ୍ଥତା ହାର ୨୨.୨ ପ୍ରତିଶତ ଥିବାବେଳେ କେରଳ ଏହାଠାରୁ ଯଥେଷ୍ଟ ଆଗରେ ରହିଛି। ଏଠାକାର ସୁସ୍ଥତା ହାର ୨୭.୧୭ ପ୍ରତିଶତ ଏବଂ ଭାରତର ସଫଳତା ହାର ମାତ୍ର ୯.୧୨ ବୋଲି ଜଣାପଡ଼ିଛି। ଭାରତରେ ଏହି ରାଜ୍ୟରେ ପ୍ରଥମେ ଜାନୁଆରୀ ୩୦ରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ ମଧ୍ୟ ମାତ୍ର ୨ଜଣ ପ୍ରାଣ ହରାଇଛନ୍ତି। ସର୍ବଭାରତୀୟସ୍ତରରେ ମାର୍ଚ୍ଚ ୮ରେ ସଂକ୍ରମଣ ବ୍ୟାପିଥିଲା। କେରଳରେ ମୋଟ ୩୫୭ ସଂକ୍ରମିତ ହୋଇଥିଲାବେଳେ ୯୭ ସୁସ୍ଥ ହୋଇଛନ୍ତି। ଅବଶିଷ୍ଟ ୨୫୮ ସମ୍ପ୍ରତି ଚିକିତ୍ସାଧୀନ ଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ଭଲ ଅଛି। ମହାରାଷ୍ଟ୍ର ସରକାର କେରଳର ସଫଳତା ଉପରେ ତର୍ଜମା କରୁଛନ୍ତି।

Comments are closed.