ଗୋଆ ରାଜନୀତିରେ ହଲଚଲ୍: ସରକାର ଗଠନ ପାଇଁ ଦାବି ଜଣାଇଲା କଂଗ୍ରେସ
ପାଣାଜି : ଗୋଆରେ ବିଜେପି ପକ୍ଷରୁ ଦୁଇ ମେଣ୍ଟ ସହଯୋଗୀଦଳକୁ ନିଜ ସହିତ ମିଶ୍ରଣ ପାଇଁ ଉଦ୍ୟମ ଚାଲିଥିବାବେଳେ କଂଗ୍ରେସ ରାଜ୍ୟରେ କ୍ଷମତା ଦଖଲ ପାଇଁ ଉଦ୍ୟମ ଆରମ୍ଭ କରିଛି। ଦେଢ଼ ବର୍ଷ ପୂର୍ବେ ନିର୍ବାଚନ ଫଳାଫଳ ପ୍ରକାଶ ପରେ କଂଗ୍ରେସ ଯେଉଁ ଭୁଲ କରିଥିଲା ଏବେ ତାହାର ସଂଶୋଧନ ପାଇଁ ଉଦ୍ୟମ ଆରମ୍ଭ କରିଛି। ଦଳର ମୋଟ ୧୬ ବିଧାୟକଙ୍କ ମଧ୍ୟରୁ ୧୪ଜଣ ରାଜଭବନକୁ ଯାଇ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କଠାରେ ସରକାର ଗଠନ ପାଇଁ ସୁଯୋଗ ଦେବାକୁ ଦାବି ଉପସ୍ଥାପନ କରିଛନ୍ତି। ‘ମୁଖ୍ୟମନ୍ତ୍ରୀ ଦୀର୍ଘ କାଳ ଧରି ଅସୁସ୍ଥ ରହିବା ଦ୍ୱାରା ସରକାର ସ୍ଥାଣୁ ପାଲଟିଯାଇଛି; ଶାସନ କଳ ମଧ୍ୟ ଏକରକମ ଅଚଳ ହୋଇପଡ଼ିଛି। ବିଧାନସଭା ନିର୍ବାଚନ ମାତ୍ର ୧୮ମାସ ପୂର୍ବେ ହୋଇଥିଲା; ତେଣୁ ଆମେ ସାନି ନିର୍ବାଚନ ଚାହୁଁନାହୁଁ। ଲୋକେ ଆମକୁ ୫ବର୍ଷ ପାଇଁ ନିର୍ବାଚିତ କରିଛନ୍ତି। ଆମେ ଲୋକଙ୍କ ଆଶା ପୂରଣ କରିବାକୁ ସମର୍ଥ। ଆମ ଦଳ ବିଧାନସଭାରେ ସର୍ବବୃହତ୍ ଦଳ। ପୂର୍ବରୁ ଆମକୁ ସରକାର ଗଠନରୁ ବଞ୍ଚିତ କରାଯାଇଥିଲା। ଆମ ନିକଟରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ରହିଛି; ତେଣୁ ଆମକୁ ଏଥିପାଇଁ ସୁଯୋଗ ଦିଆଯାଉ’ ବୋଲି ରାଜ୍ୟପାଳଙ୍କୁ ଜଣାଇଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର।
ରବିବାର କଂଗ୍ରେସ ବିଧରାୟକ ଦଳ ବୈଠକରେ ଗହଣ କରାଯାଇଥିବା ନିଷ୍ପତ୍ତି ଆଧାରରେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଦୁଇଟି ସ୍ମାରକପତ୍ର ଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ରାଜ୍ୟର ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ଟଳମଳ ସ୍ଥିତିରେ ଥିବାରୁ କେନ୍ଦ୍ର ସରକାର ଏଠାରେ ରାଷ୍ଟ୍ରପତି ଶାସନ ଜାରି କରି ପରୋକ୍ଷ ଭାବେ ନିଜ ହାତରେ ଶାସନ ରଖିବାକୁ ଉଦ୍ୟମ ଚଳାଇଥିବା ସେ ଅଭିଯୋଗ କରିବା ସହ ଏଥିରୁ ନିବୃତ୍ତ ରହିବାକୁ ଚେତାବନୀ ଶୁଣାଇଛନ୍ତି। ବିଜେପି ଭଳି କଂଗ୍ରେସ କ୍ଷମତା ପାଇଁ ବ୍ୟାକୁଳ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ଓ ମେଣ୍ଟ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଗତ ୧୬ମାସର ସରକାର ଉପରେ ପ୍ରଶାସନଠାରୁ ରାଜ୍ୟବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅସୁଖୀ ବୋଲି ଚନ୍ଦ୍ରକାନ୍ତ ଅଭିଯୋଗ କରିଛନ୍ତି। କଂଗ୍ରେସ ସ୍ଥିର ସରକାର ଚଳାଇବାରେ ସକ୍ଷମ ବୋଲି ଚନ୍ଦ୍ରକାନ୍ତ ଦାବି କରିଛନ୍ତି।
ବିଜେପିର ଦୁଇ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମଲାଲ ଓ କେ.ଏଲ ସନ୍ତୋଷ ରବିବାରଠାରୁ ପାଣାଜିରେ ଉପସ୍ଥିତ ରହି ଗୁରୁତର ଅସୁସ୍ଥ ମୁଖ୍ୟମନ୍ତ୍ରୀ ମନୋହର ପରିକରଙ୍କ ଉତ୍ତରାଧିକାରୀ ସନ୍ଧାନ କରୁଛନ୍ତି। ଏଥିସହିତ ସେମାନେ ମେଣ୍ଟ ସରକାରର ଅଂଶୀଦାର ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି(ଏମ୍ଜିପି) ଓ ଗୋଆ ଫରୱାର୍ଡ ପାର୍ଟି(ଜିଏଫ୍ପି) ନେତାଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ପରିକରଙ୍କ ବିକଳ୍ପ ପରିବର୍ତ୍ତେ ଦୁଇ ମେଣ୍ଟ ଦଳକୁ ନିଜ ସହିତ ମିଶ୍ରଣ ଉପରେ ସେମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି।
ଏ ସମ୍ପର୍କରେ ବିଧାନସଭାର ଉପବାଚସ୍ପତି ତଥା ବିଜେପି ନେତା ମାଇକେଲ ଲୋବୋ ରବିବାର ସୂଚନା ଦେଇଥିଲେ। ବିଧାନସଭାରେ ବିଜେପିର ସଂଖ୍ୟା ୧୪ ଥିବାବେଳେ ଏହାକୁ ବୃଦ୍ଧି କରାଯିବା ଉପରେ ପ୍ରାଥମିକତା ଦିଆଯାଉଥିବା ସେ କହିଥିଲେ। ତେବେ ଏ ସମ୍ପର୍କରେ ଜିଏଫ୍ପି ମୁଖ୍ୟ ବିଜୟ ସରଦେଶାଇଙ୍କଠାରୁ କୌଣସି ଜବାବ ମିଳିପାରି ନଥିବାବେଳେ ଏମ୍ଜିପି ମୁଖ୍ୟ ଦୀପକ ଦାଭଲିକର ବିଜେପି ସହିତ ମିଶ୍ରଣକୁ ଅସ୍ୱୀକାର କରିଥିଲେ। ବିଜେପି ସହିତ ତାଙ୍କ ଦଳର ମିଶ୍ରଣର ପ୍ରଶ୍ନ ଉଠୁନାହିଁ ବୋଲି ଦୀପକ କହିଥିଲେ।