www.samajalive.in
Wednesday, December 10, 2025
18.1 C
Bhubaneswar

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସର ପ୍ରଶ୍ନ- ଓବିସି କ’ଣ ପୋଇଲି ପୁଅ ?

ଭୁବନେଶ୍ୱର: କଂଗ୍ରେସ ଭବନରେ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଓବିସି କ’ଣ ପୋଇଲି ପୁଅ? କାହିଁକି ଓବିସି ପ୍ରତି ଅବିଚାର ଓ ଅଣଦେଖା କରାଯାଉଛି? ପ୍ରଥମେ କେନ୍ଦ୍ର ବିଜେପି ନେତୃତ୍ୱାଧିନ ସରକାରଙ୍କ ଠାରୁ ଶ୍ରୀ ବେହେରା ନିମ୍ନମତେ କେତେଗୁଡ଼ିଏ ତଥ୍ୟ ଉପସ୍ଥାପନ କରି ଜାଣିବାକୁ ଚାହିଁଛନ୍ତି ଯେ, କାହିଁକି ଜାତିଭିତିକ ଜନଗଣନାର ବିରୋଧ କରାଯାଉଛି । ସେ ପଚାରିଛନ୍ତି (କ) ୨୦୧୦ ମସିହାରେ ଉପା ସରକାର ସମୟରେ ବିଜେପି ଜାତିଭିତିକ ଜନ ଗଣନା ପାଇଁ ଦାବି କରିଥିଲା । (ଖ) ୨୦୧୮ ଜୁଲାଇ ୩୧ ତାରିଖରେ ତତ୍କାଳୀନ ଘରୋଇ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଗଣନା ସଂକ୍ରାନ୍ତ ବୈଠକରେ ୨୦୨୧ ଜନଗଣନା ସହ ଓବିସି ଜନଗଣନା କରାଯିବାର ନିଷ୍ପତି ନିଆଯାଇଥିଲା । (ଗ) ଜୁଲାଇ ୧୪, ୨୦୨୧ ରେ ଓବିସି କଲ୍ୟାଣ ସଂସଦୀୟ କମିଟି ଏଥିନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ (ଘ) ଜାତୀୟ ଓବିସି ଆୟୋଗ ଏପ୍ରିଲ ୨୦୨୧ ରେ କେନ୍ଦ୍ର ସରକାରଙ୍କୁ ଓବିସି ଜନଗଣନା ନିମିତ ଅନୁରୋଧ କରିଥିଲେ । (ଙ) ଅଗଷ୍ଟ ୧୦, ୨୦୨୧ ରେ ସଂସଦର ୧୨୭ ତମ ସମ୍ବିଧାନ ସଂଶୋଧନ ବିଧେୟକ ଆଲୋଚନା ବେଳେ ସାଂସଦ ସଂଘମିତ୍ରା ମୌର୍ଯ୍ୟ ବକ୍ତବ୍ୟ ରଖି ସୁଚାଇଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଜନ ଗଣନା ଚାହାନ୍ତି । ଏ ସମସ୍ତ ସତ୍ୱେ ଆଜି କେନ୍ଦ୍ର ସରକାର ଜାତି ଜନଗଣନା ପାଇଁ ପଛଘୁଂଚା ଦେଉଛନ୍ତି କାହିଁକି? ମୋଦି ସରକାରଙ୍କର ଏହି ଆଭିମୁଖ୍ୟ ପ୍ରମାଣ କରେ ଯେ ଓବିସି, ବିଜେପିର ଏଜେଣ୍ଡାରେ ନାହିଁ ।

ଶ୍ରୀ ବେହେରା ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ୨୦୧୧ ମସିହାରେ ତତ୍କାଳୀନ ଉପା ସରକାର ଦ୍ୱାରା କରାଯାଇଥିବା ସାମାଜିକ ଅର୍ଥନୈତିକ ଜାତି ଗଣନା ରିପୋର୍ଟ ତ୍ରୁଟି ଥିବାର ଆଳ ଦର୍ଶାଇ ପ୍ରକାଶ କରୁନାହାନ୍ତି ଯାହା ସଂପୂର୍ଣ୍ଣ ନିରାଧାର । ଗ୍ରାମ୍ୟ ଉନ୍ନୟନ ସଂସଦୀୟ କମିଟି ୨୦୧୬ ଅଗଷ୍ଟ ୩୧ ରେ ମାନ୍ୟବର ଲୋକସଭା ବାଚସ୍ପତିଙ୍କୁ ପ୍ରଦତ ରିପୋର୍ଟରେ ଦର୍ଶାଇଛନ୍ତି ଯେ,ସାମାଜିକ ଅର୍ଥନୈତିକ ଜାତି ଗଣନା ରିପୋର୍ଟ-୨୦୧୧ର ତଥ୍ୟ ୯୮.୮୭ ଶତାଂଶ ତ୍ରୁଟି ଶୂନ୍ୟ । ଏଥିସହ ରେଜିଷ୍ଟର ଜେନେରାଲ ଅଫ ଇଣ୍ଡିଆଙ୍କ ତଥ୍ୟ ଅନୁଶାରେ ୧୧୮ କୋଟି ୬୪ ଲକ୍ଷ ୩୭୭୦ ସଂଖ୍ୟା ମଧ୍ୟରୁ ମାତ୍ର ୧ କୋଟି ୩୪ ଲକ୍ଷ ୭୭ ହଜାର ୩୩୦ ସଂଖ୍ୟାରେ ତ୍ରୁଟି ଅଛି । ଯାହା ୧ ଶତାଂଶରୁ କମ୍ ।

- Advertisement -

ଶ୍ରୀ ବେହେରା ପୁନଶ୍ଚ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ଓବିସି ଜନଗଣନାର ତର୍ଜମା କରି ଏହାର ବର୍ଗୀକରଣ ନିମନ୍ତେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗରିଆଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞ କମିଟିର ରିପୋର୍ଟ ଆଜି ପର୍ୟ୍ୟନ୍ତ କାହିଁକି ମିଳିନାହିଁ? ବା ମିଳିଥିଲେ ସାଧାରଣଙ୍କ ଅବଗତି ନିମନ୍ତେ କାହିଁକି ପ୍ରକାଶ ପାଇନାହିଁ? ଏଥିରୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ବିଜେପି ସରକାର ଓବିସି ପ୍ରତି କେତେ ଦରଦ ଜଣାପଡ଼େ । କେନ୍ଦ୍ର ସରକାରଙ୍କ ଠାରୁ ସେ ନିର୍ଦ୍ଦିଷ୍ଟ ଭାବରେ ଜାଣିବାକୁ ଚାହିଁଛନ୍ତି ଯେ, କେବେହେବ ଜାତି ଜନଗଣନା? ୫୦ ପ୍ରତିଶତ ସଂରକ୍ଷଣ କଟକଣା ଉଚ୍ଛେଦ ପାଇଁ କେବେ ପ୍ରଣୟନ ହେବ ଆଇନ?

ଅନୁରୂପ ଭାବରେ ରାଜ୍ୟ ନବୀନ ସରକାରଙ୍କ ଓବିସି କଲ୍ୟାଣ ପ୍ରତି ଆନ୍ତରିକତାଙ୍କୁ ପ୍ରଶ୍ନକରି ଶ୍ରୀ ବେହେରା ନିମ୍ନମତେ ଜବାବ ଚାହିଁଛନ୍ତି : (କ) କାହିଁକି ଓଡ଼ିଶାର ସ୍ୱତନ୍ତ୍ର ସ୍ଥିତି ଉପସ୍ଥାପନ କରି ସ୍ରୁପ୍ରିମକୋର୍ଟରେ ୫୦ ପ୍ରତିଶତ ସଂରକ୍ଷଣ ଅଂକୁଶ ଉଚ୍ଛେଦ ନିମନ୍ତେ ଯୁକ୍ତି ଉପାସ୍ଥାପନ କରାଯାଇନାହିଁ (ଖ) ଶିକ୍ଷା କ୍ଷେତ୍ରରେ ନାମଲେଖା ପାଇଁ ଓବିସି ସରଂକ୍ଷଣ ଆଜି ପର୍ୟ୍ୟନ୍ତ କାହିଁକି କରାଯାଇ ନାହିଁ । ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି ଯେ ଆଗାମୀ ସେପ୍ଟେମ୍ବର ବିଧାନସଭାର ମୌସୁମୀ ଅଧିବେଶନରେ ଜାତି ଜନଗଣନା ପାଇଁ ସରକାରୀ ପ୍ରସ୍ତାବ ଆଣିବେକି? (ଘ) ଜାତି ଜନଗଣନା ନିମନ୍ତେ କେନ୍ଦ୍ର ସରକାରଙ୍କ ଉପରେ ଚାପସୃଷ୍ଟି କରିବାକୁ ସମସ୍ତ ରାଜନୈତିକ ଦଳର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ କି?

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ଓବିସିଙ୍କ ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ସଚେତନ ଥାଇ ନିମ୍ନମତେ ପଦକ୍ଷେପ ନେଇଥିଲା : (କ) ୧୯୯୩ ରେ ନରସିଂହ ରାଓଙ୍କ ସରକାର ଜାତୀୟ ସ୍ତରରେ ସଂରକ୍ଷଣ ଆଇନ କାର୍ୟ୍ୟକାରୀ କରିଥିଲେ । (ଖ) ୨୦୦୭ ରେ ମନମୋହନ ସିଂହ ସରକାର କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ମାନଙ୍କରେ ୨୭ ପ୍ରତିଶତ ଓବିସି ମାନଙ୍କ ପାଇଁ ସଂରକ୍ଷଣ ଆଇନ ପ୍ରଣୟନ କରିଥିଲେ । (ଗ) ୨୦୧୧ ରେ ସାମାଜିକ ଅର୍ଥନୈତିକ ଜାତି ଜନଗଣନା କରିଥିଲେ (ଘ) ଜୁଲାଇ ୩, ୨୦୨୦ ରେ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ରାଜ୍ୟମାନଙ୍କରେ ଥିବା ମେଡିକାଲ କଲେଜ ମାନଙ୍କରେ ଅଲ ଇଣ୍ଡିଆ କୋଟାରେ ୨୭ ଶତକଡ଼ା ଓବିସି ଛାତ୍ରଛାତ୍ରୀ ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

ସୁତରାଂ, କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ଲୋକ ଦେଖାଣିଆ ମନୋଭାବ ଛାଡ଼ି ଦେଶର ଅର୍ଦ୍ଧାଧିକ ଓବିସି ଜନସଂଖ୍ୟା ପାଇଁ କଂଗ୍ରେସ ପ୍ରସ୍ତାବ ମୁତାବକ ଠୋସ ପଦକ୍ଷେପ ଗ୍ରହଣ କରନ୍ତୁ । ତାନହେଲେ ଓବିସି ଐତିହାସିକ ଅବିଚାରକୁ ଦେଶ ଓ ରାଜ୍ୟବାସୀ ବରଖାସ୍ତ କରିବେ ନାହିଁ ବୋଲି ପିସିସି ମିଡ଼ିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଚେତାବନୀ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସିର ଦୁଇ ବରିଷ୍ଠ ମୁଖପାତ୍ର ଜ୍ଞାନଦେବ ବେଉରା ଓ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories