ସରଗରମ ହେଉଛି କଂଗ୍ରେସ ରାଜନୀତି

ସୋନିଆଙ୍କୁ ଗେହଲଟ ଓ ମଧୁସୂଦନ ମିସ୍ତ୍ରିଙ୍କୁ ଭେଟିଲେ ତରୁର୍‌

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ଦଳୀୟ ରାଜନୀତି ଦିନକୁ ଦିନ ସରଗରମ ହେବାରେ ଲାଗିଛି। ଅଧ୍ୟକ୍ଷ ନିର୍ବାଚନରୁ ଗାନ୍ଧୀ ପରିବାର ସଦସ୍ୟ ଦୂରେଇ ରହିଥିବାବେଳେ ଅନ୍ୟ ନେତାମାନେ ଏବେ ଏହି ପଦ ଉପରେ ନଜର ପକାଇଛନ୍ତି। ସାଂଗଠନିକ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ଲାଗି ଦୁଇଜଣ ପ୍ରାର୍ଥୀ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ଦୁଇଜଣ ହେଉଛନ୍ତି ସାଂସଦ ଶଶୀ ତରୁର୍‌ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ତରୁର୍ ତାଙ୍କର ପ୍ରାର୍ଥିତ୍ବକୁ ନେଇ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ବୁଧବାର ସେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପରିଚାଳନା ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରିଙ୍କୁ ଭେଟି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ସମ୍ପର୍କରେ ବୁଝିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମିସ୍ତ୍ରି କହିଛନ୍ତି ଯେ ତରୁର୍ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା, ଭୋଟର ତାଲିକା ଓ ନିର୍ବାଚନ ଏଜେଣ୍ଟଙ୍କ ସମ୍ପର୍କରେ ସବିଶେଷ ବିଷୟରେ ବୁଝିଛନ୍ତି। ସୋମବାର ତରୁରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନିମନ୍ତେ ଅନୁମତି ଲୋଡିଥିବା ଜଣାଯାଇଛି।
ଅନ୍ୟପଟେ ନିର୍ବାଚନରେ ତରୁରଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବାକୁ ଯାଉଛନ୍ତି ଅଶୋକ ଗେହଲଟ। ଗାନ୍ଧୀ ପରିବାରର ଅତ୍ୟନ୍ତ ଅନୁଗତ ଭାବେ ପରିଚିତ ଗେହଲଟ ବୁଧବାର ସୋନିଆଙ୍କୁ ସାକ୍ଷାତ କରିଛନ୍ତି। ସୋନିଆଙ୍କୁ ସାକ୍ଷାତ ପରେ ସେ ମୁମ୍ବଇ ଯିବେ। ସେଠାରେ ସେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି କଂଗ୍ରେସ ନେତୃତ୍ବ ଭାର ବହନ ନିମନ୍ତେ ତାଙ୍କୁ ମନାଇବାକୁ ଚେଷ୍ଟା କରିବେ। ଗେହଲଟ କହିଛନ୍ତି ଯେ ଦଳୀୟ ଲୋକ ଇଚ୍ଛା ପ୍ରକାଶ କଲେ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ। ଏହା ସହିତ ଦଳ ତାଙ୍କୁ ଯେଉଁ ଦାୟିତ୍ବ ତେବେ ତାକୁ ସେ ପାଳନ କରିବେ। ମଙ୍ଗଳବାର ଗେହଲଟ ରାଜସ୍ଥାନ କଂଗ୍ରେସ ବିଧାୟକଙ୍କ ବୈଠକ କରି ଦଳୀୟ ନିର୍ବାଚନ ସମ୍ପର୍କରେ ମତାମତ ନେଇଥିଲେ। ଗେହଲଟ ଯଦି ଅଧ୍ୟକ୍ଷ ହୁଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ବଜାୟ ରଖିବେ। କାରଣ କଂଗ୍ରେସ ସାମ୍ବିଧାନିକ ନିୟମରେ ଜଣେ ବ୍ୟକ୍ତି ଗୋଟିଏ ପଦରେ ରହିବାର କିଛି ନିୟମ ନାହିଁ। ମଧୁସୂଦନ ମିସ୍ତ୍ରି ମଧ୍ୟ କହିଛନ୍ତି ଯେ ଜଣେ ମୁଖ୍ୟମନ୍ତ୍ରୀ ଦଳର ଅଧ୍ୟକ୍ଷ ହେବାରେ କୌଣସି ଅସୁବିଧା ନାହିଁ। ଦଳର ସାଂଗଠନିକ ନିୟମ ଏହାକୁ ସ୍ବୀକୃତି ଦେଉଛି। ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ହେବ। ୧୭ରେ ନିର୍ବାଚନ ହେବ ଓ ୧୯ରେ ଫଳ ପ୍ରକାଶ ପାଇବ।

Comments are closed.