କଂଗ୍ରେସ ପ୍ରବକ୍ତା ନିଯୁକ୍ତି ପାଇଁ ଦକ୍ଷତା ପରୀକ୍ଷା : କପି କରି ଧରାପଡିଲେ ନେତା

0

ଲକ୍ଷ୍ନୌ : ଜନସେବାରେ ନିୟୋଜିତ ନେତାଙ୍କ ଯୋଗ୍ୟତା ରହିବା ଆବଶ୍ୟକ। ଏଣୁ ରାଜନୈତିକ ଢାଞ୍ଚାରେ ପରିବର୍ତ୍ତନ ଆଭିମୁଖ୍ୟ ନେଇ କଂଗ୍ରେସ ଏହାର ପ୍ରମୁଖ ପଦରେ ନେତା ନିଯୁକ୍ତି ଲାଗି ଯୋଗ୍ୟତା ପରୀକ୍ଷାର ଆୟୋଜନ କରିଛି। ଉତ୍ତର ପ୍ରଦେଶ କଂଗ୍ରେସ କମିଟି(ୟୁପିସିସି)ର ମୁଖପାତ୍ର ନିଯୁକ୍ତି ପାଇଁ ଗୁରୁବାର ଅନୁଷ୍ଠିତ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହୋଇଛି। କିନ୍ତୁ ଏହି ପରୀକ୍ଷା ବେଳେ ଦଳୀୟ ନେତା କପି କରି ଧରାପଡିଛନ୍ତି। ଏପରିକି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‍ ଘଟଣା ମଧ୍ୟ ପଦାକୁ ଆସିଛି। ଉତ୍ତର ପ୍ରଦେଶରେ କେତୋଟି ବ୍ଲକ୍‍ ରହିଛି, ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ବିଫଳ ହେବାର କାରଣ କ’ଣ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନେତୃତ୍ୱାଧୀନ ସରକାରଙ୍କ ଉପଲବ୍ଧି ଦିନର ଏପରି ତିନୋଟି ମୁଖ୍ୟଖବର ଯାହା ଉପରେ କଂଗ୍ରେସ ମୁଖପାତ୍ର ଗଣମାଧ୍ୟମରେ ଚର୍ଚ୍ଚା କରିପାରିବେ, ଦଳୀୟ ମୁଖପାତ୍ର ହେବାକୁ କାହିଁକି ଇଚ୍ଛୁକ ଆଦି ୧୪ଟି ପ୍ରଶ୍ନ ଏଥିରେ ସମ୍ମିଳିତ ଥିଲା। ପ୍ରଶ୍ନପତ୍ର ବଣ୍ଟା ସରିବା କ୍ଷଣି ଏହାର ଫଟୋଚିତ୍ର ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। କଂଗ୍ରେସ ନେତାମାନେ ପରୀକ୍ଷା ଗୃହରେ ଇଣ୍ଟରନେଟ୍‍ ସହାୟତା ନେଇ ପ୍ରଶ୍ନଗୁଡିକର ଉତ୍ତର ଦେଇଥିବା କୁହାଯାଉଛି। ପ୍ରାୟ ୭୦ ଜଣ ଦଳୀୟ ନେତା ଏହି ପରୀକ୍ଷା ଦେବା ପରେ ୟୁପିସିସି ପକ୍ଷରୁ ଆୟୋଜିତ ବ୍ୟକ୍ତିଗତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ମଧ୍ୟ ସମ୍ମୁଖୀନ ହୋଇଛନ୍ତି। ଏଭଳି ଏକ ପରୀକ୍ଷାର ଆୟୋଜନ ହେବ ବୋଲି ପୂର୍ବରୁ ସୂଚନା ମିଳି ନ ଥିବାରୁ ଏଥିନେଇ ସେମାନେ ପ୍ରସ୍ତୁତ ନ ଥିଲେ ବୋଲି ପରୀକ୍ଷା ଦେଇଥିବା ନେତାମାନେ କହିଛନ୍ତି। ରାଜ୍ୟ ସରକାରକୁ ନେଇ ନେତାମାନେ କେତେ ଚିନ୍ତିତ ତାହା ଯାଞ୍ଚ କରିବା ଉଦ୍ଦେଶ୍ୟରେ ଏଭଳି ପରୀକ୍ଷାର ଆୟୋଜନ କରାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତି କ୍ରମେ କଂଗ୍ରେସ ଚଳିତବର୍ଷ ପ୍ରାରମ୍ଭରେ ମଧ୍ୟପ୍ରଦେଶରେ ଦଳୀୟ ମୁଖପାତ୍ର ନିଯୁକ୍ତି ନିମନ୍ତେ ଏଭଳି ଏକ ଦକ୍ଷତା ପରୀକ୍ଷାର ଆୟୋଜନ କରିଥିଲା। ଏ ନେଇ ଅନ୍‍ଲାଇନ୍‍ ଆବେଦନପତ୍ର ଆହ୍ୱାନ କରାଯାଇଥିଲା। ପ୍ରଶ୍ନୋଉତ୍ତର କାର୍ଯ୍ୟକ୍ରମ ନିମନ୍ତେ ଦିଲ୍ଲୀରୁ କଂଗ୍ରେସ ନେତାଙ୍କ ଏକ ଦଳ ମଧ୍ୟପ୍ରଦେଶ ପଠାଯାଇଥିଲା।

kalyan agarbati
Leave A Reply