କପିଳଙ୍କ ନେତୃତ୍ବାଧୀନ କମିଟି ମୁଖ୍ୟ ପ୍ରଶିକ୍ଷକ ବାଛିବ

ନୂଆଦିଲ୍ଲୀ : ଭାରତକୁ ପ୍ରଥମ ବିଶ୍ବକପ୍ ଚମ୍ପିଆନ୍ କରିଥିବା ଅଧିନାୟକ କପିଳ ଦେବଙ୍କ ନେତୃତ୍ବାଧୀନ କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକଙ୍କୁ ମନୋନୟନ କରିବେ। ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ବିସିସିଆଇ ଦରଖାସ୍ତ ଆହ୍ବାନ କରିବା ପରେ ଏବେ ଆଶାୟୀ ମୁଖ୍ୟ ପ୍ରଶିକ୍ଷକମାନଙ୍କ ଆବେଦନ ପ୍ରକ୍ରିୟା ଜାରିରହିଛି। ଅଗଷ୍ଟର ମଧ୍ୟଭାଗରେ ସମ୍ଭାବ୍ୟ ମୁଖ୍ୟ ପ୍ରଶିକ୍ଷକମାନଙ୍କ ସାକ୍ଷାତ୍‌କାର ଅନୁଷ୍ଠିତ ହେବ; ଯାହାର ଦାୟିତ୍ବ ମିଳିଛି କପିଳ ଦେବ ନେତୃତ୍ବାଧୀନ ସିଏସି ଉପରେ। ଭାରତୀୟ କ୍ରିକେଟ୍‌ର ପରିଚାଳନା ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ ପ୍ରଶାସକ କମିଟି (ସିଓଏ)ର ବୈଠକ ଶୁକ୍ରବାର ଏଠାରେ ଅନୁଷ୍ଠିତ ହୋଇଥିଲା। ଉପରୋକ୍ତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ମହାନ୍ ଅଲ୍‌ରାଉଣ୍ଡର କପିଳ ଦେବଙ୍କ ସହ କ୍ରିକେଟ ପରାମର୍ଶଦାତା କମିଟି (ସିଏସି)ରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ପୂର୍ବତନ ଭାରତୀୟ ଟେଷ୍ଟ ଓପ୍‌ନର ତଥା ଭାରତୀୟ ପ୍ରଶିକ୍ଷକ ଅଂଶୁମାନ ଗାଏକ୍‌ୱାଡ ଓ ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗସ୍ବାମୀ। ଶୁକ୍ରବାର ବୈଠକ ପରେ ସିଓଏର ଅଧ୍ୟକ୍ଷ ବିନୋଦ ରାୟ କହିଛନ୍ତି, ଏହି ୩ ଜଣ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କୁ ବାଛିବେ। ଏହା ଏକ ଅସ୍ଥାୟୀ କମିଟି ନୁହେଁ। ତେବେ ସ୍ବାର୍ଥନିହିତ ସମସ୍ୟା ସୃଷ୍ଟିହେଲେ; ଏହି କମିଟିର ସ୍ଥାୟିତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ। ଆଶାୟୀ ପ୍ରାର୍ଥୀମାନଙ୍କର ସାକ୍ଷାତ୍‌କାର ଅଗଷ୍ଟ ମଧ୍ୟଭାଗରେ ଅନୁଷ୍ଠିତ ହୋଇପାରେ। ଇଂଲଣ୍ଡରେ ଅନୁଷ୍ଠିତ ଗତ ବିଶ୍ବକପ୍ ସହ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ଯାଇଥିଲା। ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି। ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତ ଅଗଷ୍ଟ ୩ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଛି। ପୁଣିଥରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ଲାଗି ଶାସ୍ତ୍ରୀଙ୍କୁ ସାନି ଆବେଦନ କରିବାକୁ ପଡ଼ିବ। ଶୁକ୍ରବାର ସିଓଏ କପିଳ ଦେବଙ୍କ ନେତୃତ୍ବାଧୀନ ସିଏସିକୁ ନିଯୁକ୍ତି ଦେଇଥିଲେ ଏହା ପୁରୁଣା ସିଏସିର ସଦସ୍ୟଙ୍କ ସ୍ବାର୍ଥନିହିତ ସମସ୍ୟା ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିଛି। ପୂର୍ବରୁ ଥିବା ସିଏସିର ଦୁଇ ସଦସ୍ୟ ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କ ବିରୋଧରେ ସ୍ବାର୍ଥନିହିତ ସମସ୍ୟା ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଉଭୟଙ୍କୁ ଭାଷ୍ୟକାର ଏବଂ ଅନ୍ୟ କ୍ରିକେଟ କାର୍ଯ୍ୟକଳାପରୁ ଗୋଟିଏ ବାଛିବାକୁ ପଡ଼ିବ। ବିସିସିଆଇର ନିୟମ ଅନୁସାରେ; କେବଳ ସିଏସି ହିଁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କୁ ବାଛିପାରିବେ। ଏବେ ସିଓଏ କପିଳ ଦେବଙ୍କ ନେତୃତ୍ବାଧୀନ କମିଟିକୁ ଏହାର ଦାୟିତ୍ବ ଦେଇଥିବା ବେଳେ ପୂର୍ବରୁ ଥିବା ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ ସିଏସିର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

Comments are closed.