୧୬ରୁ ଖୋଲିବ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ
ଭୁବନେଶ୍ବର : ଆସନ୍ତା ୧୬ ତାରିଖରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ଡ଼ିଗ୍ରୀ ମହାବିଦ୍ୟାଳୟ ଖୋଲିବ। ସ୍ନାତକୋତ୍ତର (ପିଜି) ଓ ସ୍ନାତକ(ୟୁଜି) ଶେଷ ବର୍ଷ (ପ୍ରି-ଫାଇନାଲ)ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢ଼ା ଯିବ। ୨୦୨୦-୨୦୨୧ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସିବେନାହିଁ। ଛାତ୍ରଛାତ୍ରୀ ରହିବା ନିମନ୍ତେ ଅଧୀନସ୍ଥ ସମସ୍ତ ଛାତ୍ରାବାସ ଗୁଡ଼ିକୁ ୧୪ ତାରିଖରୁ ଖୋଲିବ। ତେବେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇ ଥିଲେ ବି ପିଜି ଓ ୟୁଜି ଶେଷ ପରୀକ୍ଷା ଅନଲାଇନ୍ରେ କରାଯିବ। ନିଜସ୍ବ ପରୀକ୍ଷା କାର୍ଯ୍ୟସୂଚୀ ଅନୁସାରେ ଘରୋଇ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ଗୁଡିକ ଅନଲାଇନ୍ ଓ ଅଫଲାଇନରେ ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି। ୧୬ରୁ ମଧ୍ୟ ପିଏଚ୍.ଡି ଏବଂ ଏମ୍.ଫିଲ୍ ଛାତ୍ରଛାତ୍ରୀ ଶିକ୍ଷାଗତ ଗବେଷଣା ଶ୍ରେଣୀଗୃହ ବ୍ୟବସ୍ଥା ଅନୁସାରେ କରିପାରିବେ; କିନ୍ତୁ ଗବେଷଣାବେଳେ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ପଡିବ। ଆବଦ୍ଧାଞ୍ଚଳରେ ଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଶିକ୍ଷାନୁଷ୍ଠାନ ଆସିବେନାହିଁ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ବିଶ୍ବବିଦ୍ୟାଳୟର କୁଳପତି ଏବଂ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି।
Comments are closed.