ସାମ୍ବାଦିକଙ୍କ ଗୋଡରେ ବେଡି ଘଟଣା ; ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘର ନିନ୍ଦା
ଆଠଗଡ : ସଂପ୍ରତି ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବାରୁ ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ନୂତନ ଆଇନ ପ୍ରଣୟନ ପାଇଁ ଦାବି କରାଯାଇଛି । ନିକଟରେ ନୀଳଗିରି ପୁଲିସ ଦ୍ୱାରା ନିର୍ଯ୍ୟାତିତ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଡାକ୍ତରଖାନାରେ ଚିକିତ୍ସା ସମୟରେ ଗୋଡରେ ଶିକୁଳି ବାନ୍ଧି ଯେପରି ବେଡି ପକାଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଆଠଗଡ ସାମ୍ବାଦିକ ସଂଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ତ୍ତବ୍ୟରତ ସାମ୍ବାଦିକମାନେ ଧାରଣା ଦେବା ସହ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ନୀଳଗିରିର କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିବା, ଥାନାରେ ମାଡମାରିବା ଏବଂ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗୋଡରେ ବେଡି ପକାଇବା ଘଟଣାରେ ସଂପୃକ୍ତ ନୀଳଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ଓ ତଦନ୍ତକାରୀ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରିବା ଏବଂ ଗିରଫ କରିବା ପାଇଁ ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି । ଉତ୍କଳ ସାମ୍ବାଦିକ ସଂଘର କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ସେନାପତି, ଆଠଗଡ ଉପଖଣ୍ଡ ସଂଘର ସଂପାଦକ ସନ୍ତୋଷ କୁମାର ବାରିକ, ଉପଦେଷ୍ଟା ସର୍ବେଶ୍ୱର ପଣ୍ଡା, ସୁଧିରଞ୍ଜନ ଦାସ, ଯଶୋବନ୍ତ ବାରିକ, ମହେଶ ପ୍ରସାଦ ଦାସ, ବିଜୟ କୁମାର ନାୟକ ପ୍ରମୁଖ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ।
Comments are closed.