କେନ୍ଦୁଝରଗଡ଼: କାଳୀପଡ଼ିଆଠାର ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ୧୧୪କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଶ୍ୱକଲ୍ୟାଣ କାମନା କରିଛନ୍ତି। ଗୁରୁବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ କାଳୀ ପଡ଼ିଆରେ ପହଞ୍ଚି ଯଜ୍ଞକୁଣ୍ଡକୁ ଯିବା ପୂର୍ବରୁ ତାଙ୍କୁ ସନାତନଧର୍ମୀ ବ୍ରାହ୍ମଣ ମନ୍ତ୍ର ଓ ଶ୍ଳୋକ ଗାନ କରି ସ୍ୱାଗତ କରିଥିଲେ। ଏହି ଅବସରରେ ସିଦ୍ଧମଠ ସ୍ଥିତ ବେଦ ବିଦ୍ୟାଳୟ ଛାତ୍ରଙ୍କ ଦ୍ୱାରା ପରିବେଷିତ ବେଦ ମନ୍ତ୍ର ଓ ଶ୍ଳୋକ ଯଜ୍ଞସ୍ଥଳର ପରିବେଶକୁ ଆହୁରି ଆଧ୍ୟାତ୍ମିକତାରେ ଭରି ଦେଇଥିଲା। ଏହି ଯଜ୍ଞରେ ବିଭିନ୍ନ ଜିଲା ଓ ରାଜ୍ୟରୁ ଶତାଧିକ ସାଧୁ, ସନ୍ଥ ଓ ବ୍ରାହ୍ମଣ ଯୋଗ ଦେଇଛନ୍ତି ଯଜ୍ଞ କାର୍ଯ୍ୟକୁ ଆଗେଇ ନେଇଛନ୍ତି। ସକାଳ ୭ ଘଟିକାରେ ବଡ଼ଶାସନସ୍ଥିତ ବାଲୁଙ୍କେଶ୍ୱର ମହେଶ ମନ୍ଦିର ନିକଟସ୍ଥ ପୋଖରୀରୁ କଳସ ଯାତ୍ରାରେ ବ୍ରତୀ ମାନେ ଆସିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୧୪ କୁଣ୍ଡ ସହ କୃଷ୍ଣ ଅର୍ଜୁନ ପୂଜା, ସୂର୍ଯ୍ୟ ପୂଜା ଓ ଗୋ ପୂଜା ଆଦି ଆରମ୍ଭ ହୋଇଥିଲା। ଆର୍ଯ୍ୟ ସଂସ୍କୃତି ପରିଷଦ ସଭାପତି ପଣ୍ଡିତ ନିରଞ୍ଜନ ଦାଶ ଓ ଡାକ୍ତର ଦେବଦତ୍ତ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ସୁଚାରୁରୂପେ ଚାଲିଛି। ଏଥିରେ କାଳୀତୀର୍ଥର ପ୍ରମୁଖ କର୍ମକର୍ତ୍ତା ସହଯୋଗ କରି ଆସୁଛନ୍ତି।
Popular Categories



