ବ୍ରହ୍ମପୁରରେ ନାଳରେ ଭାସିଯାଇ ନାବାଳକ ମୃତ୍ୟୁ – ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଡେସ୍କ: ବ୍ରହ୍ମପୁରରେ ନାଳରେ ଭାସି ଜଣେ ନାବାଳକର ଗତକାଲି ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

prayash

ସୂଚନା ଯୋଗ୍ୟ, ବ୍ରହ୍ମପୁର ମହାନଗର ନିଗମର ଦୁଇ ନମ୍ବର ୱାର୍ଡ ଲକ୍ଷ୍ମୀନୃସିଂହ ସାହି ୧୪ ନମ୍ବର ଗଳିରେ ନାଳରେ ଭାସିଯାଇ ସେହି ନାବାଳକଙ୍କ ଜୀବନ ଚାଲିଯାଇଥିଲା। ମୃତ ନାବାଳକ ଜଣକ ଯେଉଁଛନ୍ତି ଶିବା ପାତ୍ରଙ୍କ ୧୧ ବର୍ଷର ପୁଅ ସାଈରାମ ପାତ୍ର। ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ସାଇରାମ ନାଳରେ ଭାସିଯାଇଥିବା ବେଳେ ରାତି ପ୍ରାୟ ଗୋଟାଏ ବେଳେ କିଛି ଦୂରରୁ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ସହିତ ମୁକୁଳା ନାଳ ଉପରେ ସ୍ଳାବ ପକାଇବା ଏବଂ ଅନ୍ୟାନ୍ୟ ଦାବି ନେଇ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ କର୍ପୋରେଟର ଏବଂ ଅଞ୍ଚଳବାସୀ ଘେରାଉ କରିଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଘଟଣା ଘଟିଥିଲା। ଘର ପାଖରେ ସାଇରାମ ଟ୍ୟୁସନ ପାଇଁ ଯାଇଥିଲେ। ସେଠାରୁ ନିଜ ସାଇକଲରେ ଘରକୁ ଫେରିଥିଲେ। ଘରେ ତାଙ୍କ ବ୍ୟାଗ୍‌ ରଖିଦେଇ ନିକଟସ୍ଥ ଏକ ଦୋକାନକୁ ଯାଇଥିଲେ। ଦୋକାନରୁ ସାଇକେଲରେ ଫେରିବା ବେଳେ ରାସ୍ତା କଡ଼ରେ ଥିବା ମୁକୁଳା ନାଳରେ ପଡ଼ିଯାଇଥିଲେ। ସେହି ସମୟରେ ପ୍ରବଳ ବର୍ଷା ହେଉଥିବାରୁ ନାଳ ଭର୍ତ୍ତି ହୋଇଯାଇ ରାସ୍ତା ଉପରେ ପାଣି ଚାଲୁଥିଲା। ସେଥିପାଇଁ ନାଳକୁ ସାଇରାମ ଦେଖିପାରିନଥିବା ଅନୁମାନ କରାଯାଉଛି। ସାଇରାମ ନାଳରେ ପଡ଼ିବା କ୍ଷଣି ପାଖରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ସାଇରାମ ଆଖି ପିଛୁଳାକେ ନାଳ ଭିତରେ ଭାସି ଯାଇଥିଲେ। ତୁରନ୍ତ ଏନେଇ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯିବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆଖାପାଖରେ ଆଲୋକ ବ୍ୟବସ୍ଥା ମଧ୍ୟ ନଥିବାରୁ ନାନା ସମସ୍ୟା ହୋଇଥିଲା। ଜେସିବି ସାହାଯ୍ୟରେ ନାଳକୁ ଖୋଳା ଯାଇଥିଲା। ନାଳର ସ୍ରୋତରେ ଆଗକୁ ଆଗକୁ ସାଇରାମଙ୍କୁ ଖୋଜା ଚାଲିଥିଲା। ଅନେକ ସମୟ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିବା ପରେ ରାତି ପ୍ରାୟ ଗୋଟାଏ ବେଳେ ସାଇରାମଙ୍କ ମୃତଦେହ ମିଳିଥିଲା। ଯେଉଁଠି ସାଇରାମ ଗଳି ପଡ଼ିଥିଲେ, ସେଠାରୁ ପାଖାପାଖି ଶହେ ମିଟର ଦୂରରେ ତାଙ୍କ ଶବ ପଙ୍କ ଭିତରୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

kalyan agarbati

Comments are closed.