ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଓଡିଶା

ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା ସଂପର୍କିତ ଆଲୋଚନାଚକ୍ର, ରାଜ୍ୟ କାର୍ୟ୍ୟ ଯୋଜନାର ପ୍ରଭାବଶାଳୀ ରୂପାୟନ ସଂପର୍କରେ ବିଚାରବିମର୍ଶ

ଭୁବନେଶ୍ୱର: ଅବସ୍ଥିତି ଓ ଭୌଗୋଳିକ ସ୍ଥିତି ଯୋଗୁଁ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ଅନୁଭୂତ ହେଉଛି । ଫଳରେ ଜନସାଧାରଣ ପ୍ରଭାବିତ ହେଉଛନ୍ତି । ବିପର୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଓଡିଶା ନିଜର ସ୍ପଷ୍ଟ ଦୃଷ୍ଟିକୋଣ ଓ ଦୃଢ଼ ନେତୃତ୍ୱ ଯୋଗୁଁ ଜଳବାୟୁ ସହନଶୀଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବା ଦିଗରେ ଅନେକ ନୂଆ ପଦକ୍ଷେପ ଗ୍ରହଣ କରିଛି । ଏ ଦିଗରେ ରାଜ୍ୟ ବୈଷୟିକ ଜ୍ଞାନ କୌଶଳ, ଗବେଷଣା ଓ ତଥ୍ୟ ସଂଗ୍ରହ କରି ସ୍ଥାନୀୟ ସ୍ତରରେ ଜଳବାୟୁରେ ସ୍ଥିରତା ପ୍ରଦାନ କରିବା ପାଇଁ ଅଧିକ ପ୍ରୟାସ ଜାରି ରଖିବ ବୋଲି ଆଜି ଓଡିଶାରେ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା ସଂପର୍କିତ ଏକ ଗୋଲ ଟେବୁଲ୍ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନିରଞ୍ଜନ ପୁଝାରୀ ଯୋଗଦେଇ ପ୍ରକାଶ କରିଛନ୍ତି।

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଏବଂ ବୈଦେଶିକ ରାଜ୍ୟଗୋଷ୍ଠୀ ଓ ଉନ୍ନୟନ କାର୍ୟ୍ୟାଳୟ(ଫରେନ୍ କମନଓ୍ୱେଲଥ ଆଣ୍ଡ ଡେଭେଲପମେଣ୍ଟ ଅଫିସ୍) ସହଯୋଗରେ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ ଘାଟନ କରି ମନ୍ତ୍ରୀ ଶ୍ରୀ ପୂଝାରୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ କ୍ଷେତ୍ରରେ ରୂପାନ୍ତରଣ ଆଣି ନୂତନ ଓଡିଶାର ସଂକଳ୍ପ ନେଇ ଦୃଢତାର ସହିତ କାର୍ୟ୍ୟ କରୁଥିବା ଓଡିଶା ବିପର୍ୟ୍ୟୟ ପରିଚାଳନା କ୍ଷେତ୍ରରେ ମଡେଲ ରାଜ୍ୟ ହୋଇଛି। ଜଳବାୟୁ ପରିବର୍ତ୍ତନ ଉପରେ ଏକ ରାଜ୍ୟସ୍ତରୀୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାରେ ଓଡିଶା ଭାରତର ଅଗ୍ରଣୀ ରାଜ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ ରହିଛି। ସଂପୃକ୍ତ ସମସ୍ତ ସହଭାଗୀ ଅନୁଷ୍ଠାନମାନଙ୍କ ସହଯୋଗରେ ରାଜ୍ୟ ଆକ୍ସନ ପ୍ଲାନର ପ୍ରଭାବଶାଳୀ ରୂପାୟନକୁ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଶ୍ରୀ ପୁଝାରୀ ପ୍ରକାଶ କରିଥିଲେ । ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବ୍ରିଟିଶ ହାଇକମିଶନର, ପୂର୍ବ ଓ ଉତ୍ତର ପୂର୍ବ ଭାରତ, ନିକ୍ ଲୋ, ଓଡିଶା ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ଏବଂ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ପରିପ୍ରେକ୍ଷୀର ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଲେ ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ରାଜ୍ୟରେ ବିଭିନ୍ନ ସମସ୍ୟା ଦେଖା ଦେଉଛି। ୨୦୧୩ ମସିହାରେ ଘଟିଯାଇଥିବା ଫାଇଲିନ୍ ପରବର୍ତ୍ତୀ ବର୍ଷ ଗୁଡିକରେ ଦେଖା ଦେଇଥିବା ହୁଡହୁଡ ଓ ତିତଲି ବାତ୍ୟା ଭଳି ବାତ୍ୟା ସଂଘଠିତ ହେବା ଜଳବାୟୁ ପରିବର୍ତ୍ତନର ଅନ୍ୟତମ କାରଣ ବୋଲି ସେ ପ୍ରକାଶ କରିଥିଲେ। ଏହା ଯୋଗୁଁ ଓଡିଶାର କୃଷି ଓ ଅର୍ଥନୀତ ପ୍ରଭାବିତ ହେଉଛି ବୋଲି ପ୍ରକାଶ କରିଥିଲେ। ଖାଦ୍ୟ ସୁରକ୍ଷା, ଭୁତଳ ଜଳ କମିବା, ଜଳ ପ୍ରଦୁଷଣ ଆଦି ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ଆହ୍ୱାନକୁ ସମାଧାନ କରିବା ପାଇଁ ଅଧିକରୁ ଅଧିକ ବୈଜ୍ଞାନିକ ଗବେଷଣା ଓ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ଉପରେ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ । ବିପର୍ୟ୍ୟୟ ମୁକାବିଲା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର “ପ୍ରତ୍ୟେକ ଜୀବନ ମୂଲ୍ୟବାନ” ଆହ୍ୱାନକୁ ଦୋହରାଇ ପରିବେଶ ସନ୍ତୁଳନ ପାଇଁ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ସେ ପ୍ରକାଶ କରିଥିଲେ ।

prayash

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରିଟିଶ ଡେପୁଟୀ ହାଇକମିଶନର (ପୂର୍ବ ଓ ଉତ୍ତର ପୂର୍ବ ଭାରତ) ନିକ୍ ଲୋ ଯୋଗଦେଇ ଓଡିଶାରେ ଗ୍ରୀଷ୍ମଦିନେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ଏହା ଦ୍ୱାରା ଜୀବଜଗତ ଓ ଜଳସ୍ତର ସ୍ଥିତି ପ୍ରଭାବିତ ହେଉଥିବା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି କହିଲେ ଯେ, ବ୍ରିଟେନ୍ ସରକାର ଏହାର ଅନ୍ତର୍ଜାତୀୟ ଉନ୍ନୟନ ବିଭାଗ ମାଧ୍ୟମରେ ଏବଂ ଓଡ଼ିଶା ସରକାରଙ୍କ ସହ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ଓଡିଶାରେ ପୋଷଣୀୟ ସହରାଞ୍ଚଳ ବିକାଶ, ଭିତ୍ତିଭୂମିରେ ପୁଞ୍ଜିନିବେଶ, ଶକ୍ତି କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର ଏବଂ ସ୍ଥାୟୀ ଜଳବାୟୁ ସହନଶୀଳ ଅଭିବୃଦ୍ଧି ଏବଂ ଅନ୍ୟାନ୍ୟ ଅନେକ କ୍ଷେତ୍ରକୁ ସମର୍ଥନ କରି ଭାଗିଦାରୀ ବୈଷୟିକ ସହାୟତା ଏବଂ ବିକାଶ ପୁଞ୍ଜି (ଡେଭଲେପମେଣ୍ଟ କ୍ୟାପିଟାସଲ ) ମାଧ୍ୟମରେ ସହାୟତା ପ୍ରଦାନ କରିଆସୁଛି ।

ରାଜ୍ୟଗୋଷ୍ଠୀ ଓ ଉନ୍ନୟନ କାର୍ୟ୍ୟାଳୟ(ଏଫସିଡିଓ), ସହନଶୀଳ ଭିତ୍ତିଭୂମି ଉନ୍ନୟନ( ଇନ୍ଫ୍ରାଷ୍ଟକ୍ଟର ଫର କ୍ଲାଇମେଟ୍ ରେସିଲିଏଣ୍ଟ ଗ୍ରୋଥ (ଆଇସିଆର୍ଜି) କାର୍ୟ୍ୟକ୍ରମ ଜରିଆରେ ଭାରତ ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ (ଏମଓଆରଡି) ଏବଂ ଓଡ଼ିଶା ସମେତ ୭ଟି ରାଜ୍ୟ ସରକାରଙ୍କୁ ବୈଷୟିକ ସହାୟତା ପ୍ରଦାନ କରିଆସୁଛି । ଏହି ରାଉଣ୍ଡ ଟେବୁଲ ଆଲୋଚନା ରାଜ୍ୟ ସରକାରଙ୍କୁ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା ପାଇଁ ମୌଳିକ ନୀତି ସହ ସହମତ ହେବା ସହିତ ଅନ୍ତର୍ଜାତୀୟ, ଜାତୀୟ ଏବଂ ରାଜ୍ୟସ୍ତରରେ ପ୍ରମୁଖ କାର୍ୟ୍ୟକ୍ରମ ଓ ପଦକ୍ଷେପ ଚିହ୍ନଟ କରିବାରେ ସାହାଯ୍ୟ କରିବ, ଯାହା ବିପର୍ୟ୍ୟୟରେ ଅଧିକ ପ୍ରଭାବିତ ହେଉଥିବା ସ୍ଥାନୀୟ ସ୍ତରରେ ଜଳବାୟୁକୁ ସ୍ଥିରତା ପ୍ରଦାନ କରିବା ପାଇଁ ଉପଯୋଗ କରାଯାଇପାରିବ ବୋଲି ବ୍ରିଟିଶ ଡେପୁଟୀ ହାଇକମିଶନର ପ୍ରକାଶ କରିଥିଲେ ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେବ କାର୍ୟ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଅରୁମୁଗମ ଯୋଗଦେଇ ଓଡ଼ିଶାର ଭୌଗୋଳିକ ସ୍ଥିତି, ଜଳବାୟୁ, ଜଙ୍ଗଲ, ପରିବେଶ, ତାପମାତ୍ରା,କୃଷି ଉତ୍ପାଦନ , ମୃତ୍ତିକାର ସ୍ଥିତି ଆଦି ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିକାଶରେ କାର୍ୟ୍ୟକରୁଥିବା ବିଭିନ୍ନ ସହଭାଗୀ ସଂସ୍ଥା ଓ ଉଦ୍ୟୋଗୀ ଅନୁଷ୍ଠାନମାନଙ୍କ ସହଯୋଗରେ ରାଜ୍ୟର ଅଭିବୃଦ୍ଧି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମସ୍ତ ସୁପାରିଶ କରାଯାଇଥିବା କାର୍ୟ୍ୟକୁ ସମନ୍ୱୟ ରକ୍ଷା କରାଯାଇ ଏବଂ କାର୍ୟ୍ୟ ଯୋଜନାର ବିଭିନ୍ନ ଉପାଦାନଗୁଡ଼ିକୁ ଶୃଙ୍ଖଳିତ ଏବଂ ସମୟବଦ୍ଧ ଢଙ୍ଗରେ କାର୍ୟ୍ୟକାରୀ କରିବା ପାଇଁ ସମ୍ବଳ ସଂଗ୍ରହ ଦିଗରେ କାର୍ୟ୍ୟ କରିବା ପାଇଁ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗରେ ଏକ ଜଳବାୟୁ ପରିବର୍ତ୍ତନ ସେଲ୍ ଗଠନ କରାଯାଇଥିବା ସ୍ୱତନ୍ତ୍ର ସଚିବ ପ୍ରକାଶ କରିଥିଲେ । କାର୍ୟ୍ୟକ୍ରମରେ ରାଜ୍ୟଗୋଷ୍ଠୀ ଓ ଉନ୍ନୟନ କାର୍ୟ୍ୟାଳୟ(ଏଫସିଡିଓ)ର ଓଡିଶା ରାଜ୍ୟ ପରିଚାଳକ(ଆଇସିଆରଜି) ନବଘନ ଓଝା ଅତିଥି ପରିଚୟ ପ୍ରଦାନ ପୂର୍ବକ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । କାର୍ୟ୍ୟକ୍ରମରେ ଅର୍ଥ ବିଭାଗ ଯୁଗ୍ମ ଶାସନ ସଚିବ ସୌମ୍ୟଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ଦ୍ୱିତୀୟ ଅଧିବେଶରେ ଅନୁଷ୍ଠିତ ଆଲୋଚନାରେ ରାଜ୍ୟ ଅର୍ଥ ବିଭାଗ ନିର୍ଦ୍ଦେଶକ ବଜେଟ୍ ତଥା ଜଳବାୟୁ ପରିବର୍ତ୍ତନ ସେଲ ଡଃ. ସତ୍ୟପ୍ରିୟ ରଥ ଯୋଗଦେଇ ଓଡିଶାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା ନେଇ ବଜେଟ୍ ବ୍ୟବସ୍ଥା , ମିଳିତ ଜାତିସଂଘ ଉନ୍ନୟନ କାର୍ୟ୍ୟକ୍ରମ (ୟୁଏନଡିପି) ତରଫରୁ ଆଶିଷ ଚକ୍ରବର୍ତ୍ତୀ ଯୋଗଦେଇ ଓଡିଶାରେ ୟୁଏନଡିପି ସହଯୋଗରେ କାର୍ୟ୍ୟକାରୀ ହେଉଥିବା ପ୍ରକଳ୍ପରୁ ଅନୁଧ୍ୟାନ, ୟୁଏନ୍ ହାବିଟାଟ ତରଫରୁ ପାରୁଲ ଚକ୍ରବର୍ତ୍ତୀ , ଏଫସି଼ଡିଓ’ରୁ ଦଲଜିତ୍ କୌର ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନର ମୁକାବିଲା ସଂପର୍କରେ କରାଯାଉଥିବା କାର୍ୟ୍ୟ ସଂପର୍କରେ ଉପସ୍ଥାପନା କରିଥିଲେ । ଏହି କାର୍ୟ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ, ୟୁନିସେଫ୍, ୟୁଏନଡିପି, ବିଶ୍ୱବ୍ୟାଙ୍କ, ନାବାଡ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ଆଦି ବିଭିନ୍ନ ସହଯୋଗୀ ଅନୁଷ୍ଠାନରୁ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

kalyan agarbati

Comments are closed.