ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ନେଇ ସରକାରଙ୍କ ଉଦେଶ୍ୟ ଉପରେ ପ୍ରଶ୍ନ ଉଠାଅ ନାହିଁ: ରବିଶଙ୍କର ପ୍ରସାଦ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବ ତାକୁ ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୨ରେ ଶେଷ ହେଉଛି। ଜଷ୍ଟିସ ମିଶ୍ରଙ୍କ ପରେ କିଏ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି। ସାଧାରଣତଃ ବରିଷ୍ଠତା ଆଧାରରେ ଏହି ନିଯୁକ୍ତି ଦିଆଯାଇଥାଏ। ଜଷ୍ଟିସ ମିଶ୍ରଙ୍କ ପରେ ସୁପ୍ରିମକୋର୍ଟର ପରବର୍ତ୍ତୀ ବରିଷ୍ଠ ବିଚାରପତି ହେଉଛନ୍ତି ଜଷ୍ଟିସ ଜେ ଚେଲାମେଶ୍ୱର। ତେବେ ଜଷ୍ଟିସ ଚେଲାମେଶ୍ୱର କାର୍ଯ୍ୟକାଳ ଶେଷ ହୋଇସାରିଛି। ଜୁନ୍ ୨୨ରେ ସେ ଅବସର ଗ୍ରହଣ କରିବେ। ତେଣୁ ଜଷ୍ଟିସ ମିଶ୍ରଙ୍କ ପରେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ହେଉଛନ୍ତି ଜଷ୍ଟିସ ରଞ୍ଜନ ଗୋଗଇ। ତେବେ ଜଷ୍ଟିସ ଗୋଗଇଙ୍କୁ ସରକାର ପ୍ରଧାନ ବିଚାରପତି ପଦରେ ନିଯୁକ୍ତି ଦେବେ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି।
ସୋମବାର କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ ଡକାଇ ଗତ ୪ବର୍ଷ ମଧ୍ୟରେ ନିଜ ମନ୍ତ୍ରଣାଳୟ ସଫଳତା ବାବଦରେ ବଖାଣିଥିଲେ। ଏହି ଅବସରରେ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ନେଇ ପ୍ରଶ୍ନ ଉଠିଥିଲା। ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରସାଦ କହିଥିଲେ ଯେ ପ୍ରଥମତଃ ଏହା ଏକ କପୋଳକଳ୍ପିତ ପ୍ରଶ୍ନ। ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ ଏକ ପ୍ରକ୍ରିୟା ରହିଛି। ଏହି ପ୍ରକ୍ରିୟା ଅନୁଯାୟୀ ସରକାର କାମ କରିବେ। ସାଧାରଣତଃ କାର୍ଯ୍ୟରତ ପ୍ରଧାନ ବିଚାରପତି ତାଙ୍କ ଉତ୍ତରାଧିକାରୀ ପାଇଁ ଜଣଙ୍କ ନାମ ସରକାରଙ୍କୁ ସୁପାରିସ କରିଥାନ୍ତି। ପ୍ରଧାନ ବିଚାରପତିଙ୍କ ଏହି ସୁପାରିସ ଉପରେ ସରକାର ଯାହା କିଛି ନିଷ୍ପତ୍ତି ନେଇଥାନ୍ତି। ତେଣୁ ପ୍ରଥମେ ନାମ ସୁପାରିସ ହେଉ ତା’ ପରେ ସରକାର ନିଷ୍ପତ୍ତି ନେବେ। ଶ୍ରୀ ପ୍ରସାଦ କହିଛନ୍ତି ଯେ ପ୍ରଧାନ ବିଚାରପତି ନିଯୁକ୍ତି ନେଇ ସରକାରଙ୍କ ଉଦ୍ଦେଶ୍ୟ ଉପରେ କୌଣସି ପ୍ରଶ୍ନ ଉଠାଯିବାର କାରଣ ନାହିଁ। ପ୍ରଧାନ ବିଚାରପତି ଅବସର ଗ୍ରହଣ କରିବା ପୂର୍ବରୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ କାହାକୁ ନିଯୁକ୍ତି ଦିଆଯିବ ସେ ନେଇ ଆଇନ ମନ୍ତ୍ରଣାଳୟ ତାଙ୍କର ସୁପାରିସ ଲୋଡିଥାଏ।
ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କ କାର୍ଯ୍ୟଧାରାକୁ ନେଇ ସୁପ୍ରିମକୋର୍ଟର ୪ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଶ୍ନ ଉଠାଇଥିଲେ। ଜଷ୍ଟିସ ଚେଲାମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗଇ, ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ କୁରିଏନ ଯୋଶେଫ ଏହି ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଗତ ଜାନୁଆରୀରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ତେଣୁ ଜଷ୍ଟିସ ଗୋଗଇଙ୍କ ଏହି ସାମ୍ବାଦିକ ସମ୍ମିଳନୀ ତାଙ୍କର ପଦୋନ୍ନତିକୁ ସନ୍ଦେହ ଘେରକୁ ଆଣିଛି। ବର୍ତ୍ତମାନର ପ୍ରକ୍ରିୟା ଅନୁଯାୟୀ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତିଙ୍କୁ ନିଜର ଉତ୍ତରାଧିକାରୀ ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଥାନ୍ତି। ଯଦି ବରିଷ୍ଠ ବିଚାରପତି କାର୍ଯ୍ୟାଳୟ ସମ୍ଭାଳିବା ନେଇ ଅକ୍ଷମ ଥାଆନ୍ତି; ତେବେ ପ୍ରଧାନ ବିଚାରପତି ଅନ୍ୟ ବିଚାରପତିଙ୍କ ସହ ଆଲୋଚନା କରି ନାମ ସୁପାରିସ କରିଥାନ୍ତି। ତେଣୁ ଜଷ୍ଟିସ ମିଶ୍ର ଏବେ ନିଜର ଉତ୍ତରାଧିକାରୀ ପାଇଁ ଜଷ୍ଟିସ ଗୋଗଇଙ୍କ ନାମ ସୁପାରିସ କରିବେ କି ନାହିଁ ତାହା ପ୍ରଶ୍ନର ବିଷୟ ହୋଇଛି।
ଏକଦା ଜଷ୍ଟିସ ଚେଲାମେଶ୍ୱରଙ୍କୁ ଏହି ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ ଯେ ଆଶା ଜଷ୍ଟିସ ଗୋଗଇଙ୍କୁ ଅତିକ୍ରମ କରାଯାଇ ଅନ୍ୟ କାହାକୁ ପ୍ରଧାନ ବିଚାରପତି କରାଯାଇ ନପାରେ। ଆଉ ଯଦି ଏହା ହୁଏ ତେବେ ୪ଜଣ ବିଚାରପତି ସାମ୍ବାଦିକ ସମ୍ମିଳନୀରେ ଯାହା କହିଥିଲେ ତାହା ସତ ପ୍ରମାଣିତ ହେବ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ଜଷ୍ଟିସ ଏ ଏନ ରାୟଙ୍କୁ ପ୍ରଧାନ ବିଚାରପତି କରାଯାଇଥିଲା। ସୁପ୍ରିମକୋର୍ଟର ୩ଜଣ ବରିଷ୍ଠ ବିଚାରପତିଙ୍କୁ ପଛରେ ପକାଇ ଜଷ୍ଟିସ ରାୟ ପ୍ରଧାନ ବିଚାରପତି ହୋଇଥିଲେ। ପ୍ରଧାନ ବିଚାରପତି ଦୌଡରୁ ବାଦ ପଡିଥିବା ବିଚାରପତିମାନେ ହେଲେ ଜଷ୍ଟିସ ଜେଏମ୍ ସେଲାଟ, ଜଷ୍ଟିସ ଏଏନ୍ ଗ୍ରୋଭର ଓ ଜଷ୍ଟିସ କେ ଏସ ହେଗଡେ। ତେବେ ଏହି ନିଯୁକ୍ତିକୁ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ବିବେଚନା କରାଯାଇଥିଲା।