ରେଳ ଘରୋଇକରଣକୁ ସିଟୁର ବିରୋଧ
କେନ୍ଦୁଝରଗଡ଼: ୨୦୧୪ରେ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ଦେଶର ଜାତୀୟ ସମ୍ପଦ ସାମୁଦ୍ରିକ ବନ୍ଦର, ବିମାନ ବନ୍ଦର, ସରକାରୀ କାରଖାନା, ପ୍ରତିରକ୍ଷା ଉତ୍ପାଦନ, ବ୍ୟାଙ୍କ, ବୀମା, ଟେଲି ଯୋଗାଯୋଗ, ଖଣି, ଜମି, ଜଳ ଓ ଆକାଶ ଆଦି ସବୁକୁ ଘରୋଇ ବ୍ୟବସାୟୀମାନଙ୍କ ହାତରେ ଟେକି ଘରୋଇକରଣକୁ ପ୍ରୋତ୍ସାହିତ କରି ଆସୁଛନ୍ତି। ୧ ଜୁଲାଇ ୨୦୨୦ରେ ରେଳମନ୍ତ୍ରୀ ଘୋଷଣା କଲେ ଯେ, ୧୫୧ଟି ଟ୍ରେନ ୧୦୯ଟି ପଥରେ ଘରୋଇ ସଂସ୍ଥା ଦ୍ୱାରା ଚଳାଚଳ କରିବ। ଏହା ପୂର୍ବରୁ ବିଜେପି କେନ୍ଦ୍ରରେ କ୍ଷମତାସୀନ ହେବାପରେ ୨୦୧୪ରେ ରେଳବାଇକୁ ଘରୋଇକରଣ ପାଇଁ ବିବେକ ଦେବରାୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ମୋଦୀ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି। ଦେବରାୟ କମିଟି ସୁପାରିଶ ଅନୁଯାୟୀ ରେଳବାଇର ଘରୋଇକରଣ ଯାତ୍ରୀ ଭଡ଼ା ଦିଗୁଣ ବୃଦ୍ଧି ହେବାସହ ଯାତ୍ରୀ ଯେତିକି ପରିମାଣର କ୍ଷତିଗ୍ରସ୍ତ ହେବେ ତା’ଠାରୁ ଅଧିକ ରେଳ କର୍ମଚାରୀ ଓ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ବୋଲି ଶ୍ରମିକ ସଙ୍ଗଠନ ସିଟୁର ଜିଲା ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ରାଉତ କହିଛନ୍ତି। ରେଳବାଇର ଘରୋଇକରଣକୁ ବିରୋଧ କରି ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସିଟୁ ଜିଲା ଉପସଭାପତି ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଜିଲା ସମ୍ପାଦକ ତଥା ରାଜ୍ୟ ଉପସଭାପତି ଇନ୍ଦ୍ରମଣି ବେହେରା, ଧରଣୀଧର ମହାନ୍ତ, ଟୁଲୁକୁ ମାଝି, ନବଘନ ମାଝୀ, ଅଲ ଇଣ୍ଡିଆ ଲୋକ ରନିଂ ଷ୍ଟାଫ୍ ଆସୋସିଏସନର କେନ୍ଦୁଝର ଜିଲା ଆବାହକ ତୃପ୍ତୀରଞ୍ଜନ ପଟ୍ଟନାୟକ ପ୍ରମୁଖ କେନ୍ଦୁଝରଗଡ଼ ରେଳଷ୍ଟସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
Comments are closed.