ଅନ୍ୟ କୌଣସି କାରଣରୁ ନୁହେଁ, ମନୁଷ୍ୟ ହୋଇଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଆମେ ଅଧିକରୁ ଅଧିକ ପ୍ରାପ୍ତିର ଆଶା କରିଥାଉ। ଯେତେ ପାଇଲେ ମଧ୍ୟ ସନ୍ତୁଷ୍ଟ ହେଉନା। ଏହି ପ୍ରବୃତ୍ତି ଯେ ଆମକୁ ଘୋର ଅଶାନ୍ତି, ଅବସାଦ ଭିତରେ ବୁଡ଼ାଇ ରଖିଥାଏ, ଏହା ବିବେକ ଭଳି ମହାର୍ହ ସମ୍ପଦର ଅଧିକାରୀ ହୋଇ ମଧ୍ୟ ଆମେ ଭୁଲି ଯାଇଥାଉ। ‘ପ୍ରାପ୍ତିର ଲାଳସା’ କ୍ଷେତ୍ରରେ ମନୁଷ୍ୟ ପଶୁଠାରୁ ମଧ୍ୟ ହୀନ। ପଶୁଟିଏ ଉଦର ତୃପ୍ତି ଅନ୍ବେଷଣରେ ବୁଲୁଥିବାବେଳେ କୌଣସି ପ୍ରକାରେ ଖାଦ୍ୟ ମିଳିଗଲେ ପ୍ରାୟଶଃ ସେତିକିରେ ସନ୍ତୁଷ୍ଟ ହୋଇ ଅଧିକ ଖାଦ୍ୟ ଅନ୍ବେଷଣରୁ ନିବୃତ୍ତ ରହିଥାଏ। କାମନାକୁ ସଂଯତ କରିବାରେ ହିଁ ସନ୍ତୋଷ ମିଳିଥାଏ, ଏହାର ପରିପୂରଣରେ ନୁହେଁ।
ଏ ସମ୍ପର୍କରେ ନିେମ୍ନାକ୍ତ ପ୍ରସଙ୍ଗ। ଜଣେ ଜମିଦାର ନାନାବିଧ ସମସ୍ୟା ଓ ସ୍ବୀୟ କର୍ତ୍ତବ୍ୟ ନେଇ ସର୍ବଦା ଉଦ୍ବେଗ, ଅବସାଦ ଭିତରେ ଗତି କରୁଥିଲେ। ସେବକମାନଙ୍କୁ ଥରେ ନିର୍ଦେଶ ଦେଲେ ଏଭଳି ଜଣେ ଲୋକ ମୋ ସମ୍ମୁଖକୁ ଆଣନ୍ତୁ, ଯିଏ ନିରନ୍ତର ସୁଖୀ ଥିବେ। ମୁଁ ତାଙ୍କଠାରୁ ସୁଖପ୍ରାପ୍ତିର ରହସ୍ୟ ଜାଣିବି।
ସେବକମାନେ ଅନେକ ଆଡ଼ ବୁଲିବାପରେ ଦିନେ ଲକ୍ଷ୍ୟ କଲେ ଜଣେ ମେଣ୍ଢା ଜଗୁଆଳ ଖୁସିରେ ଆତ୍ମହରା ହୋଇ ଗୀତ ଗାଉଥିଲା। ତା’ଠାରେ ଅବସାଦ କିମ୍ବା ଦୁଃଖର ସାମାନ୍ୟତମ ଲକ୍ଷଣ ନଥିଲା। ସେବକମାନେ ମେଣ୍ଢା ଜଗୁଆଳକୁ ପ୍ରଭାବିତ କରି ଜମିଦାରଙ୍କ ନିକଟକୁ ନେଇ ଯାଇଥିଲେ। ଜମିଦାର କାରଣ ପଚାରନ୍ତେ ମେଣ୍ଢା ଜଗୁଆଳ କହିଥିଲା- ମେଣ୍ଢା ଜଗିବା ବାବଦରେ ମୁଁ ଯାହା କିଛି ପାଇଥାଏ ସେଥିରେ ଦୁଇଓଳି ଆନନ୍ଦରେ ଖାଇଥାଏ। ମୁଁ ବଡ଼ ସ୍ବପ୍ନ ଦେଖେନାହିଁ ଯାହା ଚରିତାର୍ଥ କରିବା ମୋ ପକ୍ଷେ ଅସମ୍ଭବ। ଏ କ୍ଷେତ୍ରରେ ଯୁକ୍ତି କରାଯାଇଥାଏ ଯେ ମଣିଷଠାରେ ଯଦି ଉଚ୍ଚ-ଆକାଙ୍କ୍ଷା ନ ରହେ ତା’ହେଲେ ପ୍ରଗତିର ପଥ ଅବରୋଧ ହୋଇଥାଏ।
ଉଚ୍ଚ ଆକାଙ୍କ୍ଷା ତୀବ୍ର ହେଲେ ଅଧିକରୁ ଅଧିକ କାର୍ଯ୍ୟ କରିବା ନିମିତ୍ତ ଉତ୍ସାହ ଆସିଥାଏ, ଫଳତଃ ଉନ୍ନତି ହୋଇଥାଏ। ତେବେ ଉନ୍ନତି, ଆକାଙକ୍ଷାର ମାନେ କ’ଣ? ଆକାଙ୍କ୍ଷା ମହତ୍ ସୀମିତ ହୋଇଥିବା ଆବଶ୍ୟକ। ଲୌକିକ ଉନ୍ନତି ବନ୍ଧନରେ ପକାଇଥାଏ। ସାଧକଙ୍କ ଦୃଷ୍ଟିରେ ଏ ଧରଣର ଉନ୍ନତି ମୂଲ୍ୟହୀନ। ଯାହା ଆମ ପାଖରେ ନାହିଁ ତାହା ଅନ୍ୟ ପାଖେର ଅଛି। ସବୁବେଳେ ସେଇ ଚିନ୍ତା (ସେଇଭଳି ପଦପଦବୀ/ ଧନସମ୍ପଦ ଲାଭ) ସର୍ବଦା ବିତ୍ତଶାଳୀ, ମର୍ଯ୍ୟାଦାସମ୍ପନ୍ନ ବ୍ୟକ୍ତି ହେବାର ଇଚ୍ଛା ଆମକୁ ମାନସିକ ସ୍ତରରେ ଅସୁଖୀ କରିଥାଏ, ଏହା ହିଁ ଦୁଃଖ, ଅବସାଦର କାରଣ। ମନର ଭିକ୍ଷାବୃତ୍ତି (ଅଦମନୀୟ କାମନା) କେବେ ବି ଶେଷ ହୁଏନାହିଁ। ଏହାକୁ ଯଥା ସମ୍ଭବ ସୀମିତ କରିପାରିଲେ ହିଁ ଅବସାଦରୁ ମୁକ୍ତି ମିଳି ପାରିବ।



