ବର୍ତ୍ତମାନ ଭାରତ ମହାସାଗରର ପରିସ୍ଥିତି ଅତ୍ୟନ୍ତ ଜଟିଳ ଓ ପରିବର୍ତ୍ତନଶୀଳ। ସେ ଦୃଷ୍ଟିରୁ, କଲମ୍ବୋ ସୁରକ୍ଷା ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ମଞ୍ଚ ଭାବରେ ଉଭା ହୋଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସପ୍ତମ ଜାତୀୟ ସୁରକ୍ଷା ପରାମର୍ଶଦାତାସ୍ତରୀୟ ବୈଠକରେ ଅଜିତ ଡୋଭାଲଙ୍କ ମନ୍ତବ୍ୟ ଅନୁଯାୟୀ ଭାରତ ମହାସାଗର କେବଳ ଏକ ସହଜ ବାଣିଜ୍ୟ ପଥ ହୋଇ ରହିନାହିଁ, ବରଂ ଏହା ଏକ ଜଟିଳ ରଣାଙ୍ଗନରେ ପରିଣତ ହୋଇଛି। ସେଠାରେ ବଡ଼ବଡ଼ ଶକ୍ତିଗୁଡ଼ିକର ପ୍ରତିଦ୍ୱନ୍ଦ୍ୱିତା, ଦୁର୍ବଳ ଅର୍ଥନୈତିକ ସୁରକ୍ଷା ଏବଂ ଦେଶଗୁଡ଼ିକର ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ଭଳି ବିବିଧ ବିପଦ ପରସ୍ପର ସହ ଜଡିତ ହେବାରେ ଲାଗିଛି।
ପ୍ରଥମେ ଭାରତ, ଶ୍ରୀଲଙ୍କା ଓ ମାଳଦ୍ୱୀପ ମଧ୍ୟରେ ଏକ ଛୋଟ ସାମୁଦ୍ରିକ ପଦକ୍ଷେପ ଭାବରେ ଆରମ୍ଭ ହୋଇଥିବା ଏହି ମଞ୍ଚ ବର୍ତ୍ତମାନ ମରିସସ୍, ବାଂଲାଦେଶ ଓ ସେସଲ୍ସକୁ ସାମିଲ କରି ଏକ ବୃହତ୍ତର ମଞ୍ଚରେ ପରିଣତ ହୋଇଛି। ଏବେ କଲମ୍ବୋ ସୁରକ୍ଷା ସମ୍ମିଳନୀ ଆଉ କେବଳ କଥାବାର୍ତ୍ତାର ମଞ୍ଚ ହୋଇ ରହିନାହିଁ। ଏହା ଏକ ଅାନୁଷ୍ଠାନିକ ନିୟମ-ଆଧାରିତ ମଞ୍ଚ ଆଡ଼କୁ ଅଗ୍ରସର ହେଉଛି। ଏହା ଦ୍ୱାରା ଚିହ୍ନଟ ହୋଇଥିବା ପାଞ୍ଚଟି ମୁଖ୍ୟ ପ୍ରସଙ୍ଗ-ସାମୁଦ୍ରିକ ନିରାପତ୍ତା, ଆତଙ୍କବାଦର ମୁକାବିଲା, ସଙ୍ଗଠିତ ଅପରାଧକୁ ପ୍ରତିହତ କରିବା, ସାଇବର ସୁରକ୍ଷା ଏବଂ ମାନବିକ ସହାୟତା ଓ ତ୍ରାଣକାର୍ଯ୍ୟ ଦର୍ଶାଏ ଯେ ଏହି ଅଞ୍ଚଳର ବିପଦସମୂହ ଅଣ-ପାରମ୍ପରିକ ଏବଂ ପରସ୍ପର ସହ ଜଡିତ।
‘ମୁକ୍ତ, ସମନ୍ୱିତ ସାମୁଦ୍ରିକ କ୍ଷେତ୍ର’ ଏବଂ ‘ନିୟମ-ଆଧାରିତ ବ୍ୟବସ୍ଥା’ ପ୍ରତିଷ୍ଠା ପାଇଁ ଆହ୍ୱାନ ଭାରତର ଏକ ସୁଚିନ୍ତିତ ଏବଂ ସୁଷମ ଆଭିମୁଖ୍ୟକୁ ସୂଚାଏ। ଏହି ଆହ୍ୱାନ ବିଶେଷ କରି ସେହି ଉପକୂଳବର୍ତ୍ତୀ ରାଷ୍ଟ୍ରମାନଙ୍କର ଚିନ୍ତାକୁ ପ୍ରତିଫଳିତ କରେ ଯେଉଁମାନେ ବାହ୍ୟ ଶକ୍ତିମାନଙ୍କ ଦ୍ୱାରା ହେଉଥିବା ଅର୍ଥନୈତିକ ଓ ସାମରିକ କାର୍ଯ୍ୟକଳାପକୁ ନେଇ ଭୟଭୀତ ଅଛନ୍ତି। ତେବେ, କଲମ୍ବୋ ସୁରକ୍ଷା ସମ୍ମିଳନୀରେ ବାଂଲାଦେଶର ଅଂଶଗ୍ରହଣ ଏକ ଗୁରୁତ୍ୱପୂର୍ଣ୍ଣ କଥା। ଏହା ଦର୍ଶାଏ ଯେ ଘରୋଇ ରାଜନୀତି ଯାହା ହେଉନା କାହିଁକି, ଭାରତ ମହାସାଗର ଅଞ୍ଚଳରେ ଥିବା ସାଧାରଣ ବିପଦ ସବୁକୁ ଉପେକ୍ଷା କରାଯାଇ ନପାରେ।
ସମ୍ମିଳନୀର ଭବିଷ୍ୟତ ସଫଳତା କେବଳ ଭାଷଣ କିମ୍ବା ଲିଖିତ ବକ୍ତବ୍ୟରେ ନୁହେଁ, ବରଂ ବାସ୍ତବରେ କେତେ କାର୍ଯ୍ୟ କରାଯାଇପାରୁଛି, ତାହା ଉପରେ ନିର୍ଭର କରେ। ଏଥିପାଇଁ ମିଳିତ ନିରୀକ୍ଷଣ, ବିପର୍ଯ୍ୟୟ ସମୟରେ ତୁରନ୍ତ ସମନ୍ୱିତ ପ୍ରତିକ୍ରିୟା, ସମୁଦ୍ରର ଗତିବିଧି ଜାଣିବା ପାଇଁ ଉନ୍ନତ ସୂଚନା ଆଦାନ ପ୍ରଦାନ ଏବଂ ସାଇବର ଆକ୍ରମଣ ସହ ମିଥ୍ୟା ସୂଚନାକୁ ପ୍ରତିହତ କରିବା ପାଇଁ ସାଧାରଣ ନିୟମାବଳୀ ପ୍ରଣୟନ କରିବା ନିହାତି ଜରୁରୀ। କଲମ୍ବୋ ସୁରକ୍ଷା ସମ୍ମିଳନୀର ସଫଳତା ସମ୍ପୂର୍ଣ୍ଣ ରୂପେ ଭାରତର ପରିଚାଳନା ଉପରେ ନିର୍ଭର କରେ। ଏହାକୁ ଦୀର୍ଘକାଳୀନ ଆଞ୍ଚଳିକ ସ୍ଥିରତା ଓ ସହଯୋଗର ଏକ ପ୍ରକୃତ ମଞ୍ଚ ଭାବରେ ଗଢ଼ିବା ଉଚିତ। ଏଥିପାଇଁ ଛୋଟ ଦ୍ୱୀପ ରାଷ୍ଟ୍ରମାନଙ୍କର ସ୍ୱାର୍ଥ ଓ ସାର୍ବଭୌମତ୍ୱ ପ୍ରତି ସମ୍ପୂର୍ଣ୍ଣ ସମ୍ମାନ ପ୍ରଦର୍ଶନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।



