ଜମି କେବଳ ରେକର୍ଡ ବହିରେ ଉଲ୍ଲେଖ ଏକ ସମ୍ପତ୍ତି ନୁହେଁ, ବରଂ ଏହା ଲକ୍ଷ ଲକ୍ଷ ଲୋକଙ୍କ ପରିଚୟ, ଜୀବିକା ଏବଂ ବଞ୍ଚିବାର ମୂଳ ଭିତ୍ତି। ତଥାପି ଆଜି ଓଡ଼ିଶାରେ ଜମି ଅଧିଗ୍ରହଣ ଏକ ଗଭୀର ସଙ୍କଟରେ ପରିଣତ ହୋଇଛି, ଯାହା ଭୁବନେଶ୍ୱରର ସହରାଞ୍ଚଳ ଠାରୁ ଆରମ୍ଭ କରି କନ୍ଧମାଳ ଓ ସୁନ୍ଦରଗଡ଼ର ଜଙ୍ଗଲ ପର୍ଯ୍ୟନ୍ତ ବ୍ୟାପିଛି। ସହରରେ, ଜମି ଜବରଦଖଲ ଏକ ନିର୍ଲଜ୍ଜ, ସଂଗଠିତ କାର୍ଯ୍ୟରେ ପରିଣତ ହୋଇଛି। ଜମି ମାଫିଆ, ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ସ୍ୱାର୍ଥପର ନିର୍ମାଣକାରୀଙ୍କ ମେଣ୍ଟ ଦ୍ୱାରା ସରକାରୀ ଜମି କ୍ରମାଗତ ଜବରଦଖଲ ହେଉଛି। ଅଭିଯୋଗ ଆସିଲେ ବଡ଼ ଧୁମ୍ଧାମରେ ଉଚ୍ଛେଦ ଅଭିଯାନ ହେଉଛି; ମାତ୍ର ଏଥିରେ କେବଳ କିଛି ଗରିବଙ୍କ ଝୁମ୍ପୁଡ଼ି ଉଠୁଛି। ବଡ଼ ବଡ ବେଆଇନ ନିର୍ମାଣ ଅକ୍ଷୁଣ୍ଣ ରହୁଛି। ସରକାରୀ ସଂପତ୍ତିକୁ ମାଡ଼ି ବସିଥିବା ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ସାହସ କୁଳାଉ ନାହିଁ। ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସ ଅଧୀକ୍ଷକମାନଙ୍କୁ ଏହି ପରିପ୍ରେକ୍ଷୀରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିେର୍ଦଶ ଦେଇଛନ୍ତି। ଗୋଟିଏ ବାର୍ତ୍ତା ସ୍ପଷ୍ଟ – ଦୁର୍ବଳଙ୍କ ଉପରେ ଆଇନ କଠୋର, ଶକ୍ତିଶାଳୀମାନଙ୍କ ପାଇଁ ଏହା ଆଲୋଚନାର ଅପେକ୍ଷା ରଖେ।
ଅପରପକ୍ଷରେ, ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ଜମି ଅଧିଗ୍ରହଣର ଧାରା ଅଧିକ ଛଳନାପୂର୍ଣ୍ଣ। ଆଇନଗତ ସୁରକ୍ଷା ବ୍ୟବସ୍ଥା ଗ୍ରାମସଭା ଅନୁମୋଦନ ଆଦି ଥିଲେ ମଧ୍ୟ, ବଡ଼ ବଡ଼ ଖଣି ପ୍ରକଳ୍ପ, ଶିଳ୍ପ କିମ୍ବା ‘ଜମି ବ୍ୟାଙ୍କ୍’ ନାମରେ ଆଦିବାସୀ ପରିବାରମାନେ ନିଜ ଜମି ହରାଉଛନ୍ତି। ଅଡିଟ୍ ରିପୋର୍ଟ ସୂଚାଉଛି ଯେ ବେଆଇନ ଭାବେ ନିଆଯାଇଥିବା ଜମି ଏ ପର୍ଯ୍ୟନ୍ତ ଫେରସ୍ତ ହୋଇନାହିଁ ଏବଂ ପ୍ରକଳ୍ପ ବିଫଳ ହେବା ପରେ ଉର୍ବର ଚାଷ ଜମି ମୂଳ ମାଲିକଙ୍କୁ ନଫେରି ଚୁପ୍ଚାପ୍ ଅନ୍ୟ ନିବେଶକଙ୍କୁ ହସ୍ତାନ୍ତର ହେଉଛି। ଓଡ଼ିଶା ସରକାର ସମସ୍ୟା ସ୍ୱୀକାର କରି ଜମି ଅଧିଗ୍ରହଣ ଆଇନକୁ ଶକ୍ତ କରିବା ଭଳି କିଛି ଉଚିତ ପଦକ୍ଷେପ ନେଉଛନ୍ତି। ତେବେ ଏହି ଉନ୍ନତ ପ୍ରକ୍ରିୟାଗୁଡ଼ିକ ଯଥେଷ୍ଟ ନୁହେଁ। ଯେ ପର୍ଯ୍ୟନ୍ତ ସରକାରଙ୍କ ପାଖରେ ସ୍ୱାର୍ଥପର ଗୋଷ୍ଠୀଙ୍କୁ ମୁକାବିଲା କରିବା ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ନ ରହିଛି, ସେ ପର୍ଯ୍ୟନ୍ତ ସମାଧାନ ଅସମ୍ଭବ।
ଓଡ଼ିଶାରେ ଜମି ପ୍ରସଙ୍ଗ ଏକ ମୌଳିକ ନ୍ୟାୟର ପ୍ରସଙ୍ଗ। ରାଜ୍ୟରେ ଏବେ ଭୁବନେଶ୍ୱର ଭଳି ସହରାଞ୍ଚଳରେ ଶକ୍ତିଶାଳୀ ଗୋଷ୍ଠୀ, ଜମି ମାଫିଆ ଏବଂ କର୍ପୋରେଟମାନଙ୍କ ଦ୍ୱାରା ପ୍ରମୁଖ ସରକାରୀ ଜମିଗୁଡ଼ିକ ନିର୍ଲଜ୍ଜ ଭାବରେ ଜବରଦଖଲ ହେଉଥିବା ବେଳେ ଦୂରଦୂରାନ୍ତ ଜଙ୍ଗଲ ଅଞ୍ଚଳରେ ଆଇନଗତ ସୁରକ୍ଷା ସତ୍ତ୍ୱେ ବଡ଼ ବଡ଼ କମ୍ପାନୀ ଓ ଶିଳ୍ପ ପ୍ରକଳ୍ପମାନ ନିରୀହ ଆଦିବାସୀଙ୍କ ଜୀବିକାର ଆଧାର ଥିବା ଜମିକୁ ଛଳନାପୂର୍ଣ୍ଣ ଭାବରେ ନେଇ ଯାଉଛନ୍ତି। ତେଣୁ, ଜମି ଜବରଦଖଲ ଏବଂ ସହରରେ ଶକ୍ତିଶାଳୀମାନଙ୍କ ଦ୍ୱାରା ହୋଇଥିବା ବଡ଼ ବେଆଇନ ନିର୍ମାଣଗୁଡ଼ିକୁ ମୁକ୍ତ କରିବା ଦିଗରେ ସରକାର ତୁରନ୍ତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ମନେ ରଖିବାକୁ ହେବ ଜମି କେବଳ ବାଣିଜ୍ୟିକ ସାମଗ୍ରୀ ନୁହେଁ, ବରଂ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ଏକ ବିଶ୍ୱାସ ଓ ଜୀବନର ଆଧାର।



