ମୋଦୀଙ୍କୁ ପ୍ରଶଂସାରେ ପୋତିଲା ଚୀନ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁବ ପ୍ରଶଂସା କରିଛି ଚୀନ। ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କ ବିଷୟରେ ମୋଦୀଙ୍କ ଟିପ୍ପଣୀକୁ ନେଇ ଚୀନ ପ୍ରଶଂସାରେ ଶତମୁଖ ହୋଇଛି। ଚୀନ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଯେଉଁ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ତାହା ପ୍ରଶଂସାଯୋଗ୍ୟ। ଚୀନ ଭାରତ ସହିତ ମିଶି ସମସ୍ତ କ୍ଷେତ୍ରରେ ସହଯୋଗ କରିବା ଲାଗି ପ୍ରସ୍ତୁତ ରହିଛି, ଯାହାଫଳରେ ଦୁଇ ଦେଶ ମଧ୍ୟରେ ଭଲ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ବଜାୟ ରହିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଗବେଷକ ଲେକ୍ସ ଫ୍ରିଡ୍ମନାନଙ୍କ ପଡକାଷ୍ଟରେ ଯୋଗଦେଇଥିଲେ। ଏହି ଅବସରରେ ଫ୍ରିଡମନାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭାରତ-ଚୀନ ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମତଭେଦ ହେବା ସ୍ବାଭାବିକ କଥା। କିନ୍ତୁ ମତଭେଦ ବିବାଦରେ ପରିଣତ ହେବା ଅନୁଚିତ। ଭାରତ-ଚୀନ ସମ୍ପର୍କ କେବଳ ଆମ ଦୁଇ ଦେଶ ପାଇଁ ଲାଭଦାୟକ ନୁହେଁ। ବରଂ ଏହା ବୈଶ୍ଵିକ ଶାନ୍ତି ଏବଂ ସ୍ଥିରତା ପାଇଁ ବି ଜରୁରୀ। ଏକବିଂଶ ଶତାବ୍ଦୀ ଏସୀୟ ଦେଶଗୁଡ଼ିକର ଶତାବ୍ଦୀ। ଏପରି ସ୍ଥିତିରେ ପ୍ରତିଯୋଗିତାମୂଳକ ମନୋଭାବ ସ୍ବାଭାବିକ, କିନ୍ତୁ ବିବାଦ ହେବା ଉଚିତ ନୁହେଁ।
ମୋଦୀ ଆହୁରି କହିଥିଲେ, ପୁରୁଣା ରେକର୍ଡ କହୁଛି ଯେ, ଭାରତ ଏବଂ ଚୀନ ଏକଦା ଦୁନିଆର ଜିଡିପିରେ ୫୦ ପ୍ରତିଶତରୁ ଅଧିକ ଯୋଗଦାନ କରୁଥିଲେ। ଦୁଇ ଦେଶ ମଧ୍ୟରେ ଗଭୀର ସାଂସ୍କୃତିକ ସମ୍ପର୍କ ରହିଛି, ଯାହାକୁ ଆମେ ଭବିଷ୍ୟତରେ ବି ମଜଭୁତ ରଖିବାକୁ ଚାହୁଁଛୁ।
Comments are closed.