ପାକିସ୍ତାନ ରାସ୍ତାରେ ଚୀନ; ନିଜେ ଜଳୁଛି, ଅନ୍ୟକୁ ନିଆଁ ଫିଙ୍ଗୁଛି
ନୂଆଦିଲ୍ଲୀ: ସମରକନ୍ଦ ଯିବା ପୂର୍ବରୁ ଚୀନ ରାଷ୍ଟ୍ରପତି ଜିନ୍ପିଙ୍ଗ ତାଙ୍କ ବିଦ୍ରୋହୀଙ୍କୁ ଦମନ କରିବା ପାଇଁ ପୂର୍ବତନ ମନ୍ତ୍ରୀ ସନ୍ ଲିଜୁନ୍, ଫୁ ଝେଙ୍ଗହୁଆ, ପୂର୍ବତନ ପୁଲିସ ମୁଖ୍ୟ ଚୋଙ୍କଜ୍ୱିଙ୍ଗ ଏବଂ ସାଙ୍କସିଙ୍କୁ ଜେଲ୍ରେ ଭର୍ତ୍ତି କରିଛନ୍ତି। ଏମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯାଇ ଜେଲଦଣ୍ଡ ଦିଆଯାଇଛି। ଏପରିକି କିଛି ବିଦ୍ରୋହୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାକୁ ନେଇ ସେଠାରେ ସାମରିକ ଓ ରାଜନୈତିକ ସ୍ତରରେ ବିଦ୍ରୋହ ଆରମ୍ଭ ହୋଇଥିବା ଚର୍ଚ୍ଚା ଜୋର୍ ଧରିଛି। ଏଭଳି ଏକ ପରିସ୍ଥିତିରେ ଭାରତକୁ ଲାଗିଥିବା ସୀମାନ୍ତରେ ଚୀନ ପକ୍ଷରୁ ଅଧିକ ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ମୁତୟନ କରାଯାଇଛି।
ବାସ୍ତବ ନିୟନ୍ତ୍ରଣ ରେଖାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ରାଷ୍ଟ୍ର ମଧ୍ୟରେ ସହମତି ପରେ ଉଭୟ ଏ ଦିଗରେ ପଦକ୍ଷେପ ନେଇଥିଲେ। ତାହାସତ୍ତ୍ବେ ଚୀନ ଏଲଏସି ଆରପଟେ ତାହାର ସାମରିକ ପ୍ରସ୍ତୁତି ଜାରି ରଖିଛି। ଭାରତ ମଧ୍ୟ ତାହାସହିତ ତାଳଦେଇ ସେଠାରେ ବ୍ୟାପକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ମୁତୟନ କରିଛି। ସୂଚନାଯୋଗ୍ୟ ଯେ ଭାରତର ଅନ୍ୟତମ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ଯେତେବେଳେ ସାଧାରଣ ଜନତାଙ୍କ ଆକ୍ରୋଶ ବୃଦ୍ଧିପାଇଛି ଏବଂ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି, ସେତେବେଳେ ଦେଶର ସରକାର ଏବଂ ସେନା ସେଥିରୁ ଜନସାଧାରଣଙ୍କ ନଜର ଏଡାଇବା ପାଇଁ ଭାରତକୁ ଟାର୍ଗେଟ କରିଆସିଛନ୍ତି। ଭାରତ ସହିତ ଯୁଦ୍ଧ ଲାଗିଲେ ଜନସାଧାରଣ ନିଜ ଦେଶର ସମସ୍ୟାରୁ ନଜର ହଟାଇନେବେ ବୋଲି ପାକିସ୍ତାନ ସେନାର ବିଶ୍ୱାସ।
ପାକିସ୍ତାନକୁ ନିଜର ପାରମ୍ପରିକ ପୁରାତନ ବନ୍ଧୁ ରାଷ୍ଟ୍ର ବୋଲି କହିବୁଲୁଥିବା ଜିନ୍ପିଙ୍ଗ ଏବେ ପାକିସ୍ତାନ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି। ନିଜ ଦେଶରେ ତାଙ୍କ ବିରୋଧରେ ଅଭିଯାନ ଆରମ୍ଭ ହେବାପରେ ସେଥିରୁ ସମସ୍ତଙ୍କ ନଜର ହଟାଇବାକୁ ଜିନ୍ପିଙ୍ଗ ସମ୍ଭବତଃ ଭାରତ ସୀମାନ୍ତରେ କିଛି ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରନ୍ତି ବୋଲି ରାଜନୈତିକ ଓ ସାମରିକ ବିଶ୍ଳେଷକମାନେ ମତ ଦେଇଛନ୍ତି। ସମରକନ୍ଦରେ ଏସ୍ସିଓ ସମ୍ମିଳନୀରେ ଯୋଗଦେଇ ଫେରିବା ପରଠାରୁ ଜିନ୍ପିଙ୍ଗଙ୍କ ଚେହେରା ସତେଯେମିତି ଗଣମାଧ୍ୟମରୁ ଅଦୃଶ୍ୟ ହୋଇଯାଇଛି। ଜିନ୍ପିଙ୍ଗ ନିଜ ଦେଶରେ ଗୃହବନ୍ଦୀ ହୋଇଥିବା ଏବଂ ତାଙ୍କୁ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି କରାଇନଦେବାକୁ ଯୋଜନା ଚଳାଇଥିବା ଦେଶର କିଛି ବରିଷ୍ଠ ନେତା ତାଙ୍କୁ ବେଜିଂରେ ଗୃହବନ୍ଦୀ କରି ରଖିଥିବା ଖବର ସପ୍ତାହକ ତଳେ ସାମାଜିକ ଗଣମାଧ୍ୟମରେ ବହୁଳ ଭାବରେ ପ୍ରସାରିତ ହୋଇଥିଲା।
ତେବେ ଏହାକୁ ଚୀନ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ ଖଣ୍ଡନ କରାଯାଇନଥିଲା କିମ୍ବା ଏହା ଉପରେ କୌଣସି ପ୍ରତିକ୍ରିୟା ରଖାଯାଇନଥିଲା। ପରବର୍ତ୍ତୀ ସମୟରେ ପ୍ରସାରିତ ଖବରରେ କୁହାଗଲା ଯେ ବେଜିଂକୁ ଆନ୍ତର୍ଜାତିକ ଓ ଘରୋଇ ବିମାନ ଉଡାଣକୁ ସୀମିତ କରିଦିଆଯାଇଛି ଏବଂ ଦେଶର ପିପୁଲ୍ସ ଲିବିରେସନ ଆର୍ମି ସମୁଦାୟ ସହରକୁ ଘେରାବନ୍ଦୀ କରି ରଖିଛନ୍ତି। ଏହି ଖବର ଉପରେ ଚୀନର କୌଣସି ପ୍ରତିକ୍ରିୟା ନଆସିବାରୁ ସମସ୍ତେ ସ୍ୱୀକାର କରୁଛନ୍ତି ଯେ ସେଠାରେ ନିଶ୍ଚିତ ଭାବରେ କିଛି ଘଟିଛି। ନହେଲେ ଗଣମାଧ୍ୟମକୁ ସବୁ ସମୟରେ ନିଜ ନିୟନ୍ତ୍ରଣରେ ରଖିଆସିଥିବା ଏବଂ ସରକାର ବିରୋଧରେ ଖବର ପ୍ରକାଶ କରୁଥିବା ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାର ମୁଖ୍ୟଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରୁଥିବା ଚୀନ ସରକାର ନୀରବ କିଭଳି ରହିଛନ୍ତି।
ସୂଚନାଯୋଗ୍ୟ ଯେ ଜିନ୍ପିଙ୍ଗଙ୍କୁ ନେଇ ଏଭଳି ଖବର ପ୍ରସାରିତ ହେଉଥିବାବେଳେ ସେ କ୍ରମାଗତ ଭାବରେ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ହେବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଅକ୍ଟୋବର ୧୬ରୁ ଚୀନର ଶାସନ କ୍ଷମତାରେ ଥିବା କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ ବୈଠକରେ ଦେଶର ନୂଆ ନେତା ନିର୍ବାଚନ କରାଯିବ। ଏହି ବୈଠକ ପାଇଁ ଦଳ ପକ୍ଷରୁ ୨୩୦୦ ପ୍ରତିନିଧିଙ୍କ ନାମ ଚୂଡାନ୍ତ ହୋଇଛି ଏବଂ ତାକୁ ଜିନ୍ପିଙ୍ଗ ଅନୁମୋଦନ କରିଛନ୍ତି। ଜିନ୍ପିଙ୍ଗ ଯେଭଳି ଆଜୀବନ ଦେଶର ରାଷ୍ଟ୍ରପତି ରହିପାରିବେ ସେଥିପାଇଁ ସେ ନିୟମରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏହାକୁ ଦଳ ଭିତରେ ବିରୋଧ କରାଯାଉଛି। ତାହାସହିତ ୟୁକ୍ରେନ ପ୍ରସଙ୍ଗକୁ ନେଇ ଜିନ୍ପିଙ୍ଗ ଯେଉଁଭଳି ଭାବରେ ରୁଷର ପକ୍ଷ ନେଲେ, ତାଇୱାନ ସହିତ ଶତ୍ରୁତା, ଭାରତ ସୀମାରେ ସମରସଜ୍ଜା ଏବଂ କୋଭିଡ-୧୯କୁ ନେଇ ଦେଶବ୍ୟାପୀ କଠୋର କଟକଣା ଜାରିକୁ ଚୀନ କମ୍ୟୁନିଷ୍ଟ ପାର୍ଟିର ଅନେକ ସଦସ୍ୟ ଏବଂ ଦେଶବାସୀ ମଧ୍ୟ ସହଜରେ ଗ୍ରହଣ କରୁନାହାନ୍ତି। ଏସବୁ କାରଣରୁ ଜିନ୍ପିଙ୍ଗ ପୁନଃ ରାଷ୍ଟ୍ରପତି ନିର୍ବାଚିତ ହେବାନେଇ ଆଶଙ୍କା ଦେଖାଦେଇଛି। ତାହାଛଡା ଜିନ୍ପିଙ୍ଗଙ୍କ ବୟସ ମଧ୍ୟ ତାଙ୍କ ଇଛାରେ ଅନ୍ତରାୟ ହେବାକୁ ଯାଉଛି। ସେଠାକାର ନିୟମ ଅନୁଯାୟୀ ୬୮ ବର୍ଷ ବୟସରୁ ଅଧିକ ହେଲେ ଦେଶର ନେତୃତ୍ୱଙ୍କୁ ଅବସର ନେବାକୁ ପଡ଼ିଥାଏ। ଜିନ୍ପିଙ୍ଗଙ୍କୁ ଏବେ ୬୯ ବର୍ଷ। ତାହାପରେ ମଧ୍ୟ ସେ କ୍ଷମତାରେ ରହିବାକୁ ଚାହୁଁଥିବାରୁ ଆଇନରେ ସଂଶୋଧନ ଆଣିବା ଉଦ୍ୟମ ଚଳାଇଛନ୍ତି। ଏହାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି।
Comments are closed.