ଚିଲିକାରେ ବିମାନବନ୍ଦର ନିର୍ମାଣ ପ୍ରସ୍ତାବ,ବୈଷୟିକ ଟିମ୍ ରିପୋର୍ଟ ଉପରେ ପ୍ରକଳ୍ପ ଭାଗ୍ୟ
ଭୁବନେଶ୍ୱର: ଚିଲିକାରେ ବିମାନବନ୍ଦର ନିର୍ମାଣ ଯୋଜନା ଏବେ କେବଳ ପ୍ରସ୍ତାବରେ ରହିଛି। ଚିଲିକାରେ ବିମାନବନ୍ଦର ନିର୍ମାଣ ଦିଗରେ ଅନେକ ପ୍ରତିବନ୍ଧକ ରହିଛି। ତେଣୁ ଏସବୁ ପ୍ରସଙ୍ଗକୁ ଏବେ ବୈଷୟିକ ଟିମ୍ ଅନୁଧ୍ୟାନ କରୁଛନ୍ତି। ତେଣୁ ଏହାର ରିପୋର୍ଟ ଉପରେ ଚିଲିକାରେ ବିମାନବନ୍ଦର ନିର୍ମାଣ ଭାଗ୍ୟ ନିର୍ଭର କରୁଛି ବୋଲି ଏଏଆଇ ପକ୍ଷରୁ କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହଯୋଗରେ ଚିଲିକା ହ୍ରଦକୁ ବିମାନ ସହ ଯୋଡ଼ିବା ପାଇଁ ଯୋଜନା ରହିଛି। ଗୁଜରାଟ, ଗୋଆ ଭଳି ଓଡ଼ିଶାରେ ମଧ୍ୟ ମନ୍ତ୍ରାଳୟ ପକ୍ଷରୁ ଏପରି ବିମାନବନ୍ଦରର ପରିକଳ୍ପନା କରାଯାଇଛି। ଏହାକୁ ନେଇ ଚଳିତ ମାସ ଏଏଆଇ ନେତୃତ୍ୱରେ ଏକ ବୈଷୟିକ ଟିମ୍ ଚିଲିକା ଗସ୍ତ କରିଥିଲା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, ଚିଲିକା ହ୍ରଦ କୂଳରେ ବିମାନବନ୍ଦର ନିର୍ମାଣ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ତେବେ ଏହି ପ୍ରକଳ୍ପ ଆମ ପାଇଁ ସହଜ ହେବ ନାହିଁ। ଏଥିପାଇଁ ଆମ ଆଗରେ ଅନେକ ପ୍ରତିବନ୍ଧକ ରହିଛି। ବିଶେଷକରି ସେଠାରେ ବାର୍ଡହିଟ୍ ଅବା ପକ୍ଷୀମାଡ଼ର ଭୟ ଅଧିକ ରହିଛି। ସେହିପରି ଏହା ଡଲଫିନ୍ଙ୍କ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ବିମାନ ଚଳାଚଳ କଲେ ସେମାନଙ୍କ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଚିଲିକାର ଲୁଣି ପାଣିରେ ବିମାନ ଚଳାଇବା ବ୍ୟୟସାପେକ୍ଷ ହେବ। ଲବଣାକ୍ତ ଜଳ ଓ ପବନରେ ବିମାନର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ ହୋଇଥାଏ। ଏହାର ସିଧାସଳଖ ପ୍ରଭାବ ଯାତ୍ରୀ ଭଡ଼ା ଉପରେ ପଡିବ। ତେଣୁ ଏସବୁ ଦିଗକୁ ନେଇ ଏଏଆଇର ବୈଷୟିକ ଟିମ୍ ଅନୁଧ୍ୟାନ କରିଛନ୍ତି। ଯଦି ରିପୋର୍ଟରେ ଅନୁକୂଳ ପ୍ରସ୍ତାବ ଆସେ ତେବେ ବିମାନବନ୍ଦର ନିର୍ମାଣ ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ହୋତା ସୂଚନା ଦେଇଛନ୍ତି।