ଶିକ୍ଷକଙ୍କ ଉଦ୍ୟମରେ ବିଦ୍ୟାଳୟକୁ ଫେରିଲେ ବାଳ ଶ୍ରମିକ

କୋରାପୁଟ :  ଜିଲାର ସେମିଳିଗୁଡ଼ା ବ୍ଲକର ପୁଙ୍ଗାର ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ପାଠ ଛାଡ଼ି ଶିଶୁଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଛାତ୍ରକୁ ଜଣେ ଶିକ୍ଷକ ପୁନଃ ବିଦ୍ୟାଳୟକୁ ଫେରାଇ ଆଣିବା ଚର୍ଚ୍ଚାର ବିଷୟ ପାଲଟିଛି। ଶିକ୍ଷକଙ୍କର ଏହି ଉଦ୍ୟମକୁ ସାଧାରଣରେ ବହୁତ ପ୍ରଂଶସା କରଯାଇଛି। ସୂଚନା ଅନୁସାରେ, କୋରାପୁଟ ଜିଲା ନାରାୟଣପାଟଣା ବ୍ଲକର ଏକ ଛୋଟ ଗାଁ ସାମନାରୁ ଆସି ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ପୁଙ୍ଗାରସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ଛାତ୍ର ବର୍ସୁ ନାଚିକା । ତେବେ ସେ ଖରାଛୁଟିରେ ଘରକୁ ଯାଇ ଆଉ ଫେରି ନ ଥିଲେ। ଏହାପରେ ବର୍ସୁ ବିଦ୍ୟାଳୟ କୁ କାହିଁକି ଫେରିଲେନି ସେ ନେଇ ଖବର ନିଆଯାଇଥିଲା। ପରିବାରର ଆର୍ଥିକ ଅଭାବ ଯୋଗୁଁ ପିଲାଟି କାମ କରିବାକୁ ଚାଲିଯାଇଥିବା ଜାଣିବାକୁ ମିଳିଥିଲା। ତେବେ ଏହି କ୍ରମରେ ଚଳିତବର୍ଷ ସମୁଦାୟ ସାତ ଜଣ ଛାତ୍ରଛାତ୍ରୀଙ୍କୁ ଫେରାଇ ଅଣାଯାଇଥିବା ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟନାୟକ ବର୍ସୁକୁ ଫେରାଇ ଆଣିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ। ଏହା ସମସ୍ତଙ୍କ ପାଇଁ ଏକ ଆହ୍ବାନ ଥିଲା। ନାରାୟଣପାଟଣାର ସାମନା ଗାଁକୁ ପହଞ୍ଚିବା ଯେତିକି ଅସମ୍ଭବ ଥିଲା ବର୍ସୁର ପରିବାରବର୍ଗଙ୍କୁ ବିଦ୍ୟାଳୟ ଓ ଶିକ୍ଷାର ମହତ୍ତ୍ବ ବୁଝାଇବା ତାଠାରୁ ଅଧିକ କଷ୍ଟକର ଥିଲା । ଗରିବ ପରିବାର ନାବାଳକ ପୁଅକୁ ଦୂରବର୍ତ୍ତୀ ଏକ ସହରରେ ଦାଦନ ଖଟି ଆର୍ଥିକ ସହାୟତା ପଠାଉଥିବା ବେଳେ ସେ ପୁଣିଥରେ କାହିଁକି ବିଦ୍ୟାଳୟକୁ ଫେରିବ ବୋଲି ବର୍ସୁର ବାପା ଲତି ନାଚିକା ପ୍ରଶ୍ନ କରିଥିଲେ ।ତଥାପି ସଚେତନ ଗ୍ରାମବାସୀଙ୍କ ସହଯୋଗରେ ସେହି ଗାଁକୁ ଯାଇଥିବା କିଛି ସହପାଠୀ ଓ ବିଦ୍ୟାଳୟର ଶିକ୍ଷକଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ପରିବାର ଲୋକେ ବର୍ସୁକୁ ଫେରାଇ ନେବା ପାଇଁ ସହମତି ପ୍ରକାଶ କରିଥିଲେ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ କହିଛନ୍ତି । ଆନ୍ଧ୍ରପ୍ରଦେଶର ଏକ ଛୋଟ ସହରରେ କାମ କରୁଥିବା ଅବସ୍ଥାରେ ବର୍ସୁକୁ ଉଦ୍ଧାର କରାଯାଇ ବିଦ୍ୟାଳୟକୁ ଫେରାଇ ଅଣାଯାଇଥିବା ବିଦ୍ୟାଳୟର ସହକାରୀ ଶିକ୍ଷକ ଅଭିଜିତ ପରିଡ଼ା କହିଛନ୍ତି। ଏକଲବ୍ୟ ବିଦ୍ୟାଳୟର ଶିକ୍ଷକମାନେ ଏକ ଟିମ୍ ଗଠନ କରିଛନ୍ତି। ଯେଉଁଥିରେ କି ଏଭଳି ବିଦ୍ୟାଳୟ ଛାଡ଼ୁଥିବା ପିଲାଙ୍କୁ ବୁଝାସୁଝା କରି ଫେରାଇ ଅଣାଯାଉଛି। ଯେଉଁ ପିଲାମାନଙ୍କ ଗ୍ରାମରେ ମୋବାଇଲ ନେଟ୍‌ୱର୍କ ନାହିଁ, ରାସ୍ତାଘାଟର ସୁବିଧା ନାହିଁ ସେହି ଗ୍ରାମକୁ ଏହି ଶିକ୍ଷକ ଟିମ୍ ପହଞ୍ଚି ଛାତ୍ରଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଭବିଷ୍ୟତରେ ଶିକ୍ଷକତା କରିବାର ସ୍ବପ୍ନ ଦେଖୁଥିବାବେଳେ ସେ ଯେଉଁଠାରେ ଶିକ୍ଷକତା କରିବ ସେଠାରେ କେହିବି ଯେମିତି ପାଠ ପଢ଼ିବାରୁ ବଞ୍ଚିତ ହେବେ ନାହିଁ ସେ ଦିଗରେ କାର୍ଯ୍ୟ କରିବ ବୋଲି ବର୍ସୁ ମନସ୍ଥ କରିଥିବା ଜଣାଇଛି । ବିଦ୍ୟାଳୟକୁ ଏପରି ଫେରୁ ନ ଥିବା ପିଲାଙ୍କୁ ପୁଣିଥରେ ପାଠ ପଢ଼ିବା ପାଇଁ ଆଣିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ଘରକୁ ଯାଇ ବୁଝାସୁଝା କରି ଫେରାଇ ଆଣୁଛନ୍ତି । ଏହା ଜିଲାରେ ଶିକ୍ଷା ପ୍ରତି ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ବୃଦ୍ଧି କରିଛି।

Comments are closed.