ବିକାଶର ପ୍ରତିଟି କ୍ଷେତ୍ରରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି : ମୁଖ୍ୟ ଶାସନ ସଚିବ
ଓଡ଼ିଶା ପ୍ରଶାସନିକ ସେବା ସଂଘର ଦୁଇ ଦିନିଆ ସାଧାରଣ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି
ଭୁବନେଶ୍ୱର:ବିକାଶର ପ୍ରତିଟି କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ରାଜ୍ୟରେ ବିକାଶର ନୂଆ ଦିଗନ୍ତ ଆରମ୍ଭ ହୋଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟ ଅଡିଟରିଅମ୍ରେ ଓଡ଼ିଶା ପ୍ରଶାସନିକ ସେବା ସଂଘର ଦୁଇ ଦିନିଆ ସାଧାରଣ ସମ୍ମିଳନୀରେ ଯୋଗ ଦେଇ ସେ ଏହା କହିଛନ୍ତି । ବିଗତ ଦୁଇ ଦଶନ୍ଧି ଧରି ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ କରାଯାଇଛି ଏବଂ ଆଗାମୀ ୫ରୁ ୬ ବର୍ଷ ମଧ୍ୟରେ ଓଡ଼ିଶା ଦେଶରେ ବିକାଶଶୀଳ ରାଜ୍ୟ ଭାବେ ଉଭା ହେବ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏବଂ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ରାଜ୍ୟର ବିକାଶ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ରହିଥିବା ଶ୍ରୀ ମହାପାତ୍ର କହିଛନ୍ତି । ଶିକ୍ଷାର ବିକାଶ ନିମନ୍ତେ ପ୍ରତ୍ୟେକ ପଂଚାୟତରେ ୫-ଟି ମାଧ୍ୟମରେ ହାଇସ୍କୁଲ ରୂପାନ୍ତରଣ କରାଯାଇଛି । ଖାଦ୍ୟ ସୁରକ୍ଷା ଏବଂ ବିଗତ ୫ ବର୍ଷ ମଧ୍ୟରେ ଜିଏସ୍ଟି ଆଦାୟ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଆଗରେ ରହିଛି । ତଳସ୍ତରରେ ଉତ୍ତମ ସେବା ପ୍ରଦାନ ଦ୍ୱାରା ରାଜ୍ୟରେ ନକ୍ସଲ ଉପଦ୍ରବ ହ୍ରାସ ପାଇଛି । ବିକାଶ ସହ ପରିବେଶ ସୁରକ୍ଷା ଉପରେ ମଧ୍ୟ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ଯାହାଦ୍ୱାରା ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ ଶତକଡ଼ା ୩୦ ରୁ ୪୦ ଭାଗ ବୃଦ୍ଧି ପାଇଛି । ଓଲିଭ ରିଡ଼୍ଲେ ଏବଂ ବିଦେଶାଗତ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି ।
ଏ ପରିକି ଗତ ଦଶ ବର୍ଷ ମଧ୍ୟରେ ପ୍ରାୟ ଦେଢ ହଜାର ପୋଲ ଏବଂ ପ୍ରତ୍ୟେକଟି ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇଛି । ଆର୍ନ୍ତଜାତିକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ, ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଏବଂ କୋଭିଡ୍ ମହାମାରୀର ସଫଳ ପରିଚାଳନା ପ୍ରଶାସନିକ ସ୍ତରରେ ଦଳଗତ ମନୋଭାବ ଯୋଗୁଁ ସମ୍ଭବ ହୋଇଥିବା ସେ ଉଲ୍ଲେଖ କରିଥିଲେ । ପ୍ରତ୍ୟେକଟି ସ୍ତରରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଏବଂ ୫-ଟି ମାଧ୍ୟମରେ ସେବା ପ୍ରଦାନ କ୍ଷେତ୍ରରେ ସଫଳତା ହାସଲ ହୋଇଛି । ରାଜ୍ୟର ବିକାଶରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ମାନଙ୍କ ଭୂମିକା ପ୍ରଶଂସନୀୟ । ବିଭିନ୍ନ କଷ୍ଟକର ପରିବେଶ ମଧ୍ୟରେ ରହି ଉତ୍ତମ ସେବା ପ୍ରଦାନ ନିମନ୍ତେ ସେମାନଙ୍କ ପ୍ରତିଶୃତି ବଦ୍ଧତା ପ୍ରେରଣାଦାୟୀ ବୋଲି ସେ କହିଛନ୍ତି ।
ଏହି ଅବସରରେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏବଂ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ରାଜ୍ୟର ପ୍ରଗତି ସଂପର୍କରେ ବିଭିନ୍ନ ତଥ୍ୟ ଦେବା ସହ ବିକାଶ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ମାନଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଓଡିଶା ପ୍ରଶାସନିକ ସେବା ସଂଘର ସାଧାରଣ ସଂପାଦକ ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର, ଉପ ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ଦେଇଥିବା ବେଳେ ଯୁଗ୍ମ ସଂପାଦକ ଶ୍ରୀ ଶାନ୍ତନୁ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।
Comments are closed.