ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୪୪ତମ ଚେସ୍ ଅଲିମ୍ପିଆଡ୍ ଉଦ୍ଘାଟିତ
ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଚେନ୍ନଇ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଚେସ୍ ଅଲିମ୍ପିଆଡ୍ର ଶୁଭାରମ୍ଭ ହୋଇଛି । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ଚେସ୍ ଅଲିମ୍ପିଆଡ୍ର ୪୪ତମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି। ତାମିଲନାଡୁର କଳା ସଂସ୍କୃତି ଓ ଦେଶର ସ୍ବାଧୀନତା ସଂଗ୍ରାମକୁ ନେଇ ନାନା ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ବିଶାଳ ରୋଡ ଶୋ’ରେ ଯାଇ ଷ୍ଟାଡିୟମରେ ପହଞ୍ଚିଥିଲେ । ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଚେସ୍ ମହାକୁମ୍ଭରେ ୧୮୬ଟି ଦେଶର ୧୭୩୩ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ୯୩୫ ପୁରୁଷ ଓ ୭୯୮ଜଣ ମହିଳା ପ୍ରତିଯୋଗୀ ରହିଛନ୍ତି। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।
ଭାରତୀୟ ପ୍ରତିଯୋଗୀ ଘରୋଇ ପରିବେଶରେ ଭଲ ପ୍ରଦର୍ଶନ କରିବାର ଆଶା ରଖିଛନ୍ତି । ଫିଡେ ଜୁନିୟର ଶ୍ରେଷ୍ଠ ୧୦ ମଧ୍ୟରେ ରହିଥିବା ଅର୍ଜୁନ ଇରିଗାସି , ଡି ଗୁକେଶ, ନିହାଲ ସରିନ, ଅଲିରେଜା ଫିରୋଜା , ଆର, ପ୍ରଜ୍ଞାନାନନ୍ଦ, ରୋନକ ସ୍ବାଧୱାନି ପ୍ରମୁଖଙ୍କ ଉପରେ ନଜର ରହିଛି। ଗ୍ରାଣ୍ଡମାଷ୍ଟର ଅର୍ଜୁନ ଭାରତର ଦ୍ବିତୀୟ ସିଡ୍ ଖେଳାଳି ରହିଥିବାବେଳେ ଡି ଗୁକେଶ ୬ଷ୍ଠ ଓ ନିହାଲ ୧୦ତମ ଭାରତୀୟ ମାନ୍ୟତା ଖେଳାଳି ରହିଛନ୍ତି। ଅନ୍ୟ ଦୁଇ ଯୁବ ଭାରତୀୟ ଆର. ପ୍ରଜ୍ଞାନାନନ୍ଦ ୧୧ତମ ଓ ରୋନକ ସାଧୱାନି ୧୫ତମ ମାନ୍ୟତା ରହିଛନ୍ତି। ଅର୍ଜୁନ ଗ୍ରୁପ-ଏ ରେ ରହିଥିବାବେଳେ ଅନ୍ୟ ୪ ଯୁବ ଭାରତୀୟ ଗ୍ରୁପ-ବି ରେ ରହିଛନ୍ତି। ଚେସ୍ ଅଲିମ୍ପିଆଡ ପ୍ରସ୍ତୁତି ନେଇ ଗତ ମାସରେ ସର୍ବିଆରେ ପରାଚିନ୍ ଓପନ , ନରୱେ ଓପନ, ମେଲଟୱାରା ଓପନ ଆଦି ଅନ୍ଲାଇନ୍ ଚେସ୍ ଚମ୍ପିଆନସିପରେ ଭାଗ ନେଇଛି। ବିଶ୍ବର ଏକ ନମ୍ବର ଚେସ୍ ଖେଳାଳି ମାଗନୁସ୍ କାଲସନଙ୍କୁ ମଧ୍ୟ ଅନ୍ଲାଇନ୍ ଚେସରେ ପରାସ୍ତ କରିଛି। ବୋର୍ଡରେ ଚେସ୍ ଅଲିମ୍ପିଆଡ ଖେଳିବା ବଡ ଆହ୍ବାନ ବୋଲି ପ୍ରଜ୍ଞାନାନନ୍ଦ କହିଛନ୍ତି। ଅନ୍ୟପକ୍ଷରେ ଗୁକେସ ଚଳିତ ବର୍ଷ ସ୍ପେନରେ ୪ଟି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହୋଇଛନ୍ତି। ସ୍ବିଜରଲାଣ୍ଡ୍େର ଆୟୋଜିତ ବାଲି ଚେସ୍ ମହୋତ୍ସବରେ ୩ୟ ସର୍ବକନିଷ୍ଠ ଖେଳାଳି ଭାବେ ୨୭୦୦ ଏଲୋ ରେଟେଡ୍ ଖେଳାଳି ଭାବେ ଅଂଶଗ୍ରହଣ କରିଥିଲେ। ଅର୍ଜୁନ ଟାଟା ଷ୍ଟିଲ ଚ୍ୟାଲେଞ୍ଜ, ଦିଲ୍ଲୀ ଇଣ୍ଟରନ୍ୟାସନାଲ ଓପନ ଆଦିରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲେ। ୧୮ ବର୍ଷ ବୟସରେ ଚେସ୍ ଅଲିମ୍ପିଆଡରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇଛନ୍ତି। ରୋନକ୍ ଲୋୟାର ଗ୍ରେଡ ବି ଗ୍ରୁପରେ ରହିଛନ୍ତି।ଏ -ଗ୍ରୁପ ଭାରତୀୟ ଦଳ ପ୍ରଶିକ୍ଷକ ଶ୍ରୀନାଥ ନାରାୟଣନ କହିଛନ୍ତି ଯେ, ଯୁବ ଖେଳାଳିମାନେ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି। ଗ୍ରୁପ-ବି ଭାରତୀୟ ଦଳର ପ୍ରଶିକ୍ଷକ ଆର.ବି ରମେଶ କହିଛନ୍ତି ଯେ, ଚେସ୍ ଅଲିମ୍ପିଆଡରେ ତାରକା ଖେଳାଳିଙ୍କୁ ଦେଖିବାକୁ ମିଳିବ। ଭାରତୀୟ ଯୁବ ଖେଳାଳିମାନଙ୍କ ନିକଟରେ କମ୍ ଦିନର ଅଭିଜ୍ଞତା ରହିଛି। ଏହା ସତ୍ତ୍ବେ ଭଲ ପ୍ରଦର୍ଶନ ନେଇ ଭାରତୀୟ ଯୁବ ଖେଳାଳିମାନେ ପ୍ରସ୍ତୁତ ରହିଛନ୍ତି ବୋଲି ରମେଶ କହିଛନ୍ତି।
Comments are closed.