QNETIC – Mobile

ନୂଆ ଦାୟିତ୍ବ ସହ ସୁବ୍ରତ ବାଗ୍‌ଚୀଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ

ରାଜ୍ୟ ସରକାରଙ୍କ ଅନୁଷ୍ଠାନର ଦକ୍ଷତା ବିକାଶ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗ୍‌ଚୀଙ୍କୁ ନୂଆ ଦାୟିତ୍ବ ସହ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଅନୁଷ୍ଠାନର ଦକ୍ଷତା ବିକାଶ ମୁଖ୍ୟ ଉପଦେଷ୍ଟା ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଛନ୍ତି। ସିଭିଲ ସର୍ଭିସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ ଦକ୍ଷତା ବୃଦ୍ଧି ପାଇଁ ଶ୍ରୀ ବାଗ୍‌ଚୀ କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି। ନୂତନ ଭୂମିକାରେ ସେ ସିଭିଲ ସର୍ଭିସ ଟ୍ରେନିଂ ଇନଷ୍ଟିଚ୍ୟୁସନ ପାଇଁ ଏକ ଭବିଷ୍ୟ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ ଏବଂ ସେମାନଙ୍କୁ ବିଶ୍ୱର ଶ୍ରେଷ୍ଠ ସହ ସମକକ୍ଷ କରିବାରେ ସାହାଯ୍ୟ କରିବେ। ରାଜ୍ୟର ଉଭୟ ପ୍ରବେଶ ସ୍ତରୀୟ ଏବଂ ସେବାରତ ପ୍ରଶାସନିକ ଅଧିକାରୀଙ୍କ ପାଇଁ ନେତୃତ୍ୱ କ୍ଷମତା ନିର୍ମାଣ ପାଇଁ ସେ ଏହି ଅନୁଷ୍ଠାନଗୁଡ଼ିକୁ ଏକ ଏକୀକୃତ ଦିଶା ପ୍ରଦାନ କରିବେ।

ଗତ ଜୁନ ୨୯ରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚୀ ଇସ୍ତଫା ଦେଇଥିଲେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଶ୍ରୀ ବାଗ୍‌ଚୀ ଟ୍ୱିଟ୍‌ ଯୋଗେ ସୂଚନା ଦେବା ସହିତ ବ୍ୟକ୍ତିଗତ କାରଣ ପାଇଁ ସେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡୁଛନ୍ତି ବୋଲି ଟ୍ବିଟରେ ଲେଖିଥିଲେ।

Comments are closed.